କେରଳ: ସାମ୍ନାରେ ଗଜରାଜକୁ ଦେଖି ରାସ୍ତାରୁ ହଟିଗଲେ ବସ୍ ଚାଳକ । ପଶୁ ସୁରକ୍ଷା ହେଉ ଅବା ପଶୁ ଭୟରେ ହେଉ ହାତୀ ଭଳି ବିରାଟକାୟ ପଶୁକୁ ଦେଖିଲେ ଯେକେହି ହଟିବା ପାଇଁ ବାଧ୍ୟ । ଠିକ୍ ତାହାହିଁ କରିଥିଲେ କେରଳର ଜଣେ ବସ ଡ୍ରାଇଭର । ସାମ୍ନାରୁ ହାତୀ ଆସୁଥିବା ଦେଖି ଡ୍ରାଇଭର ଜଣକ ବସ୍ ପଛକୁ ଚଲାଇଥିଲେ । ୧ କିମ୍ୱା ୨ ନୁହେଁ ପୂରା ୮ କିଲୋମିଟର ବ୍ୟାକଫୁଟ୍ ଯାଇଥିଲେ ଡ୍ରାଇଭର ।
ସଂକୀର୍ଣ୍ଣ ପିଚୁ ରାସ୍ତାରେ ଆଗ ପଟୁ ଦୋହଲି ଦୋହଲି ମାଡି ଆସୁଥାଏ ବିରାଟ ହାତୀଟିଏ । ଆଉ ତାଳ ଦେବା ଭଳି ପଛକୁ ପଛକୁ ଗଡୁଥାଏ ବସ୍ । ମଝିରେ ମଝିରେ ଗାଡ଼ି ଆଗକୁ ମାଡ଼ି ନେବାକୁ କେହି କହୁଛନ୍ତି । ଭୟରେ ହାତୀ ରାସ୍ତାରୁ ଓହ୍ଲାଇ ବଣ ଆଡ଼କୁ ପଳାଇବ ଭାବିଥିଲେ ବି ହାତୀଟି ବିଚଳିତ ହେଉନଥିଲା । ଆଉ ରାଜକୀୟ ଠାଣିରେ ଆଗକୁ ବଢିଚାଲିଥିଲା । ହେଲେ ହାତୀ ଭଳି ପଶକୁ ନଡରିବ ବା କିଏ? ୮ କିଲୋମିଟର ପରେ ହାତୀଟି ରାସ୍ତାରୁ ଓହ୍ଲାଇ ଜଙ୍ଗଲକୁ ଚାଲିଯାଇଥିଲା ।
ତ୍ରିଶୂରର ଏକ ବଣୁଆ ରାସ୍ତାରେ ବସ ଯାଉଥିଲା ଓ ବସରେ ୪୦ ଜଣ ଯାତ୍ରୀ ଥିଲେ । ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ଡ୍ରାଇଭରଙ୍କ ଏକମାତ୍ର କର୍ତ୍ତବ୍ୟ । ତେଣୁ ନିଜର ଉପସ୍ଥିତ ବୁଦ୍ଧି ଲଗାଇ ଖୁବ୍ ଦକ୍ଷତାର ସହିତ ସେ ୮ କିଲୋମିଟର ବସ୍ ପଛକୁ ଚଲାଇଥିଲେ । ଏହା ସହଜ ନଥିଲେ ବି କର୍ତ୍ତବ୍ୟବୋଧ ତଥା ମୃତ୍ୟୁର ଭୟ ତାଙ୍କୁ ସେପରି କରିବାକୁ ଯେପରି ବଳ ଯୋଗାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଭୂରି ଭୂରି ପ୍ରଶଂସା କରାଯାଉଛି । ନାଁ ତାଙ୍କର ଅମ୍ଭୁଜାକସନ୍ ।
Comments are closed.