ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କେଭିନ୍ ପିଟରସନ୍ ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ୟ୍ୟବଂଶୀଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି । ତାଙ୍କ ମତରେ, ଆଗାମୀ ୫ ବର୍ଷ ମଧ୍ୟରେ ୧୫ ବର୍ଷୀୟ ବୈଭବ ଟେଷ୍ଟ କ୍ରିକେଟ୍ର ଗୋଟିଏ ଇନିଂସରେ ୫୦୦ ରନ୍ କରିବାର କ୍ଷମତା ରଖନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଟେଷ୍ଟ କ୍ରିକେଟ୍ ଇତିହାସରେ କୌଣସି ବ୍ୟାଟର ଗୋଟିଏ ଇନିଂସରେ ୫୦୦ ରନ୍ କରିନାହାନ୍ତି ଏବଂ ୨୦୦୪ ମସିହାରେ ଇଂଲଣ୍ଡ ବିପକ୍ଷରେ ବ୍ରାୟନ୍ ଲାରାଙ୍କ ଅପରାଜିତ ୪୦୦ ରନ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି । ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ବୈଭବ ମାତ୍ର ୫୩ ବଲ୍ରେ ୨୦୪ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ ।
ସେ ଏହି ଇନିଂସରେ ୨୮ ବଲ୍ରେ ଶତକ ଏବଂ ୫୨ ବଲ୍ରେ ଦ୍ୱିଶତକ ହାସଲ କରିବା ସହ ମୋଟ୍ ୨୮ଟି ଛକା ମାରି ଏକାଧିକ ରେକର୍ଡ ଭାଙ୍ଗିଥିଲେ । ରାଇଜିଂ ଷ୍ଟାର୍ସ ଏସିଆ କପ୍ ସେମିଫାଇନାଲ୍ ପୂର୍ବରୁ ପିଟରସନ୍ ଲେଖିଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ଭିତରେ ବୈଭବ ଏକ ଟେଷ୍ଟ ମ୍ୟାଚ୍ରେ ୫୦୦ ରନ୍ କରିବେ । ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ବଡ଼ ସ୍କୋର କରି ନ ପାରି ନିରାଶ ଥିବା ବେଳେ ବୈଭବ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ସହ ପ୍ରାୟ ଅଧଘଣ୍ଟା ଫୋନ୍ରେ କଥା ହୋଇଥିଲେ । ଯୁବରାଜଙ୍କ ପରାମର୍ଶ ଓ ବ୍ୟାଟିଂ ତ୍ରୁଟି ସୁଧାରିବା ପରେ ବୈଭବଙ୍କ ପ୍ରଦର୍ଶନରେ ସୁଧାର ଆସିଥିବା ସେ ପ୍ରକାଶ କରିଛନ୍ତି ।
