ମୁମ୍ବାଇ: ଆଇପିଏଲ ୨୦୨୭ ସିଜନ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ନୂଆ ଅଧିନାୟକଙ୍କ ନାମ ଘୋଷଣା କରିବାକୁ ଯାଉଛି । ଫ୍ରାଞ୍ଚାଇଜ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି (ଶୁକ୍ରବାର, ନଭେମ୍ବର ୨୭) ସନ୍ଧ୍ୟା ୫ଟା ୪୫ ମିନିଟରେ ଅଧିନାୟକ ପଦ ନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ତେବେ ଏହି ଘୋଷଣା ସମୟ ଓ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ପୂର୍ବତନ ଅଧିନାୟକ ରୋହିତ ଶର୍ମା ପୁଣିଥରେ ଦଳର ମଙ୍ଗ ଧରିବା ନେଇ ପ୍ରବଳ ଚର୍ଚ୍ଚା ଆରମ୍ଭ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଆଜି ସନ୍ଧ୍ୟା ୫ଟା ୪୫ ମିନିଟରେ ଏକ ପୋଷ୍ଟ ଶେୟାର କରି ୨୪ ଘଣ୍ଟା ପରେ ବଡ଼ ଘୋଷଣା ହେବ ବୋଲି ଜଣାଇଥିଲା ।
ରୋହିତ ଶର୍ମାଙ୍କ ଜର୍ସି ନମ୍ବର ୪୫ ହୋଇଥିବାରୁ ‘୫:୪୫’ ସମୟକୁ ପ୍ରଶଂସକମାନେ ରୋହିତଙ୍କ ପ୍ରତ୍ୟାବର୍ତ୍ତନର ସଙ୍କେତ ଭାବେ ଦେଖୁଛନ୍ତି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗତ ତିନି ସିଜନ୍ରେ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା ଏବଂ ୨୦୨୬ ସିଜନ୍ରେ ଦଳ ନବମ ସ୍ଥାନରେ ରହିଥିଲା । ନିକଟରେ ଏକ ବଡ଼ ଟ୍ରେଡ୍ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଞ୍ଜାବ କିଙ୍ଗ୍ସ ହସ୍ତାନ୍ତର କରିଥିବା ବେଳେ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ସାମିଲ୍ କରିଛି । ଡିସେମ୍ବର ୧୬ରେ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ ୨୦୨୭ ମିନି ଅକ୍ସନ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜ କୋଚିଂ ଷ୍ଟାଫ୍ରେ ମଧ୍ୟ ବଡ଼ ପରିବର୍ତ୍ତନ କରିଛି । କିରନ୍ ପୋଲାର୍ଡଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଥିବା ବେଳେ ଦଳ ୩୨.୬୦ କୋଟି ଟଙ୍କାର ପର୍ସ ସହ ନିଲାମରେ ଓହ୍ଲାଇବ ।
