Latest Odisha News

BREAKING NEWS

ଗୁମର ଖୋଲୁଛି ପୁରୀ ‘ଟ୍ରିପଲ୍ ମର୍ଡ଼ର୍ ଘଟଣା’ର ରହସ୍ୟ, ୪ ଜଣ ଅଟକ

ପୁରୀ: ପୁରୀ ସତ୍ୟବାଦୀ ନିକଟସ୍ଥ ପଟ୍ଟନାୟକିଆ ଛକ ଜାତୀୟ ରାଜପଥରେରେ ରବିବାର ଦିନ ହୋଇଥିବା ଟ୍ରିପଲ୍ ମର୍ଡ଼ର୍ ଘଟଣାରେ ପୋଲିସ ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଏସମ୍ପର୍କରେ ପୁରୀ ଏସଡ଼ିପିଓ କିଶୋର ଚନ୍ଦ୍ର ମୁଣ୍ଡ କହିଛନ୍ତି, “ପଟ୍ଟନାୟକିଆ ଛକ ଘଟଣାସ୍ଥଳରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜକୁ ଭିତ୍ତିକରି ୩ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ, ଏନେଇ ସମସ୍ତ ଯାଞ୍ଚହେବା ପରେ ଘଟଣାର ରହସ୍ୟ ପଦାକୁ ଆସିବ” ।

ଜମିଜମା ଗଣ୍ଡଗୋଳକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଏସଡ଼ିପିଓ ଗଣମାଧ୍ୟମକୁ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ କିଛି ଅଜଣା ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଏହି ହତ୍ୟା ଘଟଣାରେ ଗୋଟିଏ ପରିବାରର ତିନିଜଣ ମୃତକ ହେଲେ କୃଷ୍ଣ ବେହେରା, ପଞ୍ଚୁ ବେହେରା ଏବଂ ପୂର୍ଣ୍ଣ ବେହେରା ।

ଏହି ହତ୍ୟାକାଣ୍ଡକୁ କେନ୍ଦ୍ରକରି ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥକୁ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ୧ ଘଣ୍ଟା ଧରି ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯଥାଶିଘ୍ର ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧରୁ ବିରତ ରହିଥିଲେ ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପଟ୍ଟନାୟକିଆ ଛକରେ ୧ ପ୍ଲାଟୁନ ପୋଲିସ ମୂତୟନ ହୋଇଥିବା ବେଳେ ସଦାନନ୍ଦପୁର ଗ୍ରାମରେ ମଧ୍ୟ ୧ ପ୍ଲାଟୁନ୍ ପୋଲିସ ମୂତୟନ ହୋଇଛନ୍ତି ।

Leave A Reply

Your email address will not be published.