ଭୁବନେଶ୍ୱର: ଇଡି ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଗୋଟିଏ ପରେ ଗୋଟିଏ ଲିଙ୍କ୍ ପଦାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ ପରେ ଜଣଙ୍କ ପରେ ଜଣେ ଇଡିରେ ହାଜର ହେଉଛନ୍ତି ।
ବ୍ଯବସାୟୀ ଅମୀୟକାନ୍ତ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ପରେ ଆଜି ଇଡିରେ ହାଜର ହୋଇଛନ୍ତି ଆଉ ଜଣେ ବ୍ୟବସାୟୀ । ଇଡିରେ ହାଜର ହୋଇଥିବା ବ୍ୟବସାୟୀ ଗଙ୍ଗାଧର ସାମଲ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ବୋଲି ଜଣାପଡ଼ିଛି ।
ଅର୍ଚ୍ଚନାଙ୍କ ସହ ଗଙ୍ଗାଧର ପ୍ରାୟ ୩୦ ଟଙ୍କାର ଦେଣନେଣ କରିଛନ୍ତି । ତାଙ୍କର ଏକ କାର୍ ଶୋ ରୁମ୍ ଥିବା ସୂଚନା ମିଳିଛି । ଅନ୍ୟପଟେ ଇଡିରେ ଗତକାଲି ବୁଧବାର ହାଜର ହୋଇଥିଲେ ଶ୍ରଦ୍ଧାଞ୍ଜଳି । ଜେରା ବେଳେ ଶ୍ରଦ୍ଧାଞ୍ଜଳି, ଅର୍ଚ୍ଚନାଙ୍କ କଲା ସାମ୍ରାଜ୍ୟ ବିଷୟରେ ଇଡି ଆଗରେ ମୁହଁ ଖୋଲିଥିବା କୁହାଯାଉଛି ।
ବିଶେଷକରି ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳିଙ୍କ ଭଳି ଏକାଧିକ ଯୁବତୀଙ୍କୁ ବ୍ୟବହାର କରି କାହାକୁ ଜାଲରେ ଫସାଉଥିଲେ ? କାହାକୁ କିଭଳି, କେତେ ଟଙ୍କା ଆଦାୟ କରୁଥିଲେ ? ଅର୍ଚ୍ଚନାଙ୍କ ଟାର୍ଗେଟରେ କେଉଁ ମାନେ ଥିଲେ ? କେମିତି ଡିଲ୍ ପରେ ସିକ୍ରେଟ୍ କ୍ୟାମେରାରେ ହେଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଚତ୍ର ଉତ୍ତୋଳନ ? ୧୨ ଘଣ୍ଟାର ଜେରା ବେଳେ ଏ ବିଷୟରେ ଶ୍ରଦ୍ଧାଞ୍ଜଳି ଇଡିକୁ ସବୁ କହିଛନ୍ତି ।
ଅନ୍ୟପଟେ ଖଗେଶ୍ୱର ବି ଇଡିକୁ ଅନେକ ତଥ୍ୟ ଦେଇଛି । ଏବେ ଇଡି ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗକୁ ରିମାଣ୍ଡରେ ଆଣି ପଚରାଉଚରା ପାଇଁ ଯୋଜନା କରୁଛି । ଆଜି ଖଗେଶ୍ୱରର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରୁଥିବାରୁ ଅର୍ଚ୍ଚନା ସହ ଖଗେଶ୍ୱରକୁ ଇଡି ଏକାବେଳେ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ ।
Comments are closed.