Latest Odisha News

BREAKING NEWS

ଗେହଲୋଟ କହିଲେ ପାଇଲଟ ଗଦ୍ଦାର, ମୁଖ୍ୟମନ୍ତ୍ରୀ କିପରି ହେବେ?

ପାଇଲଟଙ୍କ ଉପରେ ବର୍ଷିଲେ ଗେହଲୋଟ

ଜୟପୁର:  ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଆଉ ଏକ ସପ୍ତାହ ପରେ ରାଜସ୍ଥାନରେ ହେବ । ତେବେ ତାହା ପୂର୍ବରୁ ରାଜସ୍ଥାନରେ କ୍ଷମତା କନ୍ଦଳ ପୁଣି ଜୋର ଧରିଲାଣି । କଂଗ୍ରେସରେ ସଚ୍ଚିନ ପାଇଲଟ ଏବଂ ଅଶୋକ ଗେହଲୋଟଙ୍କ ମଧ୍ୟରେ ବିବାଦ ପୁଣି ଜାତୀୟ ରାଜନୀତିରେ ଚର୍ଚାର ବିଷୟ ହୋଇଛି ।  ସଚିନ ପାଇଲଟଙ୍କ ସମର୍ଥକମାନେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅପେକ୍ଷା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏହାକୁ ରୋକଠୋକ ମନା କରିଛନ୍ତି । ଗେହଲୋଟ  କହିଛନ୍ତି ଯେ ପାଇଲଟଙ୍କୁ କିପରି ସିଏମ୍ କରାଯାଇପାରିବ? 10 ଜଣ ବିଧାୟକ ତାଙ୍କ ପାଖରେ ନାହାଁନ୍ତି । ସେ ବିଦ୍ରୋହୀ, ଯିଏ ଦେଶଦ୍ରୋହୀ ଭାବରେ ପରିଚିତ ସେଭଳି ବ୍ୟକ୍ତିଙ୍କୁ ଆମେ କିପରି ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିପାରିବୁ?

ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଏଭଳି ବୟାନ ଦେଇ ଅଶୋକ ଗେହଲୋଟ ସିଧା ପୁଣି ସଚିନଙ୍କ ଉପରେ ଆକ୍ରମଣ କରିଥିବା ରାଜନୀତି ସମୀକ୍ଷକଙ୍କ ମତ । କାରଣ ମୁଖ୍ୟମନ୍ତ୍ରୀ ପଦ ସଚ୍ଚିନଙ୍କୁ ନଦେବା ପାଇଁ ଅଶୋକ ଗେହଲୋଟ କିଛି ଦିନ ପୂର୍ବରୁ କଂଗ୍ରେସ ସଭାପତି ପଦକୁ ମଧ୍ୟ ହାତ ଛଡା କରିଥିଲେ । ଏବେ ପୁଣି ପାଇଲଟଙ୍କୁ ଗଦ୍ଦାର କହିବାକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ହେବାରେ ଲାଗିଛି । କାରଣ ଭାରତ ଯୋଡୋ ଯାତ୍ରା ବେଳେ ଦୁଇ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ବିସ୍ଫୋରକ ସ୍ଥିତି ଉପୁଜିବାର ସଂଭାବନା ରହିଛି ।

ଗେହଲୋଟଙ୍କ ଏଭଳି ବୟାନକୁ ନେଇ ପାଇଲଟ ମାପିଚୁପି ବୟାନ ଦେଇଛନ୍ତି । ସେ କହିଛନ୍ତି ତାଙ୍କୁ  ଅତୀତରେ ମୂଲ୍ୟହୀନ  ଏବଂ ଦେଶଦ୍ରୋହୀ ବୋଲି ଗେହଲୋଟ କହିଛନ୍ତି । ଏହା ନୂଆ ନୁହେଁ । ଭାରତ ଯୋଡୋ ଯାତ୍ରାରେ କିଛି ସମସ୍ୟା ହେବନାହିଁ ।  ମୋ ବିରୁଦ୍ଧରେ ଯେଉଁ ଅଭିଯୋଗ ଗେହଲୋଟ  ଆଣିଛନ୍ତି ତାହା ଭିତ୍ତିହୀନ। ଗେହଲୋଟ ହେଉଛନ୍ତି ଦଳର ଜଣେ ଅଭିଜ୍ଞ ନେତା, ସେ କ୍ଷମତାକୁ ନେଇ ଅସୁରକ୍ଷିତ ହେବା ଉଚିତ ନୁହେଁ। କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଗେହଲୋଟ୍ ତାଙ୍କ ଯୁବ ସାଥୀ ସଚିନ୍ ପାଇଲଟ୍ ସହ ଆଲୋଚନା କରି ସମସ୍ୟା ସମାଧାନ କରିବେ । ଭାରତ ଯୋଡୋ ଯାତ୍ରାରେ ଏହାର କୈାଣସି ପ୍ରଭାବ ପଡିବନାହିଁ । ଏହି ଯାତ୍ରା ରାଜସ୍ଥାନରେ କଂଗ୍ରେସକୁ ମଜବୁତ କରିବ, କାରଣ ସମସ୍ତଙ୍କ ଲକ୍ଷ୍ୟ ହେଉଛି ଭାରତ ଯୋଡା ଯାତ୍ରାକୁ ସଫଳ କରିବା।

 ଗେହଲୋଟ୍ ଇଣ୍ଟରଭ୍ୟୁରେ ପାଇଲଟଙ୍କୁ ଟାର୍ଗେଟ କରି କହିଥିଲେ ଯେ ଯେଉଁ କାରଣରୁ ଆମେ 34 ଦିନ ହୋଟେଲରେ ବସିଥିଲୁ, ଏହି ସରକାର ଭାଙ୍ଗିବା ଅବସ୍ଥାରେ ଥିଲା । ସେ ସମୟର ସବୁ ପ୍ରମାଣ ରହିଛି । କଂଗ୍ରେସ ପ୍ରତି ବିଶ୍ୱାସଘାତକତା କରିଥିବା ବ୍ୟକ୍ତିଙ୍କୁ ସେମାନେ କିପରି ଗ୍ରହଣ କରିବେ, ଆମର ବିଧାୟକ ଏବଂ ମୁଁ ନିଜେ ଯନ୍ତ୍ରଣା ଭୋଗିଥିବା କହିଥିଲେ ଗେହଲୋଟ ।

ଗେହଲୋଟଙ୍କ ବକ୍ତବ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏହି ବକ୍ତବ୍ୟ ପୁଣିଥରେ ରାଜସ୍ଥାନ ରାଜନୀତିରେ ନୂଆ ମୋଡ ନେଇପାରେ ।  ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସ୍ଥାନରେ ଦଳ ଯୁବନେତା ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଦଳର ହାଇକମାଣ୍ଡ ଅନେକ ଥର ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଗେହଲୋଟଙ୍କ ସମର୍ଥକ ବିଧାୟକଙ୍କ ଜିଦପାଇଁ ପାଇଲଟ କୋଣଠେସା ହୋଇ ରହିଛନ୍ତି ।

ରାଜସ୍ଥାନରେ ପୂର୍ବ ବିଧାନସଭା ନିର୍ବାଚନ ବେଳେ ସଚ୍ଚିନ ପାଇଲଟ ରାଜ୍ୟ କଂଗ୍ରେସ ସଭାପତି ଥିଲେ । ସେ ନିର୍ବାଚନରେ ମୁଖ୍ୟ ଭୂମିକା ତୁଲାଇଥିଲେ । ହେଲେ ଦଳ ବିଜୟୀ ହେବା ପରେ ଦଳର ହାଇକମାଣ୍ଡ ଅଶୋକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ଏହାକୁ ନେଇ ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକମାନେ ଅସନ୍ତୋଷ ଥିଲେ ।   ସଚ୍ଚିନଙ୍କୁ ଉପ ମୁଖ୍ୟମନ୍ତ୍ରୀ ସହ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ଦିଆଯାଇଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଥିଲେ । 2020 ଅଗଷ୍ଟରେ ସଚ୍ଚିନ ମୁଖ୍ୟମନ୍ତ୍ରୀ ହେବା ନେଇ ବିଧାୟକଙ୍କୁ ଏକଜୁଟ କରିବା ଏବଂ ତାଙ୍କୁ ସମର୍ଥକ ଦେବାକୁ ମନ୍ତ୍ରବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ସମର୍ଥକମାନେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଥିଲେ ।  ସେତେବେଳେ ପାଇଲଟଙ୍କ ଠାରୁ ଉଭୟ ପଦ ଛଡାଇ ନିଆଯାଇଥିଲା । ସେବେଠାରୁ ପାଇଲଟ  କ୍ଷମତା ବଳୟରୁ ଦୂରରେ ରହିଛନ୍ତି ।

ଏବେ ଭାରତ ଯୋଡୋ ଯାତ୍ରା ରାଜସ୍ତାନରେ ଆୟୋଜନ ନେଇ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପାଇଲଟଙ୍କୁ ପୁଣି ଗଦ୍ଦାର କହି ଏହି ଯାତ୍ରାରୁ ଦୂରେଇ ରଖିବାକୁ ଚାହୁଁଥିବା ରାଜନୀତି ସମୀକ୍ଷକମାନେ ଚାହୁଁଛନ୍ତି । କାରଣ ଗେହଲୋଟ ପୁଣି ଥରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି । ଆଉ ବର୍ଷେ ରହିଛି ବିଧାନସଭା ନିର୍ବାଚନ । ତାଙ୍କ ନେତୃତ୍ବରେ ଆଗାମୀ 2023 ନିର୍ବାଚନରେ କଂଗ୍ରେସ ପୁଣି ସରକାର ଗଠନ କରିବ ବୋଲି ଗେହଲୋଟଙ୍କ ଦୃଢ଼ ବିଶ୍ବାସ ରହିଛି । ତେବେ ଦୁଇ ନେତାଙ୍କ ସମର୍ଥକଙ୍କ ମଧ୍ୟରେ ଭାରତ ଯୋଡୋ ଯାତ୍ରା ବେଳେ କିଭଳି ସମନ୍ବୟ ରହୁଛି ତାହା ଦେଖିବାକୁ ବାକି ରହିଛି ।

Leave A Reply

Your email address will not be published.