Latest Odisha News

BREAKING NEWS

ଶିଶୁ କବିତା : ଘରଚଟିଆ

ପ୍ରଣତି ଆଚାର୍ଯ୍ୟ ମିଶ୍ର

କଚିରି ମିଚିରି ଚଟିଆ
ଦେଖିବାକୁ ସେ ତ ଭାରି ଛୋଟିଆ
ମୁକ୍ତ ଆକାଶର ବିହଙ୍ଗଟିଏ ସେ
ଚିଂ ଚିଂଯଚିଂ ଚଟିଆ, କରିଚି ମିଚିରି ଚଟିଆ ।

ଘରେ ଘରେ ବସା ବାନ୍ଧଇ
କଚିରି ମିଚିରି କରଇ
ଧାନବିଲେ ଜଗି ବସିଛନ୍ତି ଜେଜେ
ଖାଇଦେବ ଭାବି ଚଟିଆ, କିଚିରି ମିଚିରି ଚଟିଆ ।

ଝିକର ଛପର କୁଡିଆ
ବସାଟିଏ ବାନ୍ଧେ ଛୋଟିଆ
ପାଠ ପଢିଅଛି କେଉଁ କଲେଜରେ
ହୋଇଅଛି ଯନ୍ତ୍ରୀ ବଢିଆ , କିଚିରି ମିଚିରି ଚଟିଆ ।

ଭାରି ଚଗଲୀ ସେ ଚଟେଇ
ଧରାଦିଏ ନାହିଁ ଫୁଲେଇ
ଧିରେ ଉଡିଯାଏ ଟିକିଏ ଫାଙ୍କରେ
ହୋଇଥିବା ଯୋଗୁଁ ଛୋଟିଆ, କଚିରି ମିଚିରି ଚଟିଆ ।

ଚାଳଘର ଛାତ ହୋଇଲା
ଚଟିଆର ଘର ଭାଙ୍ଗିଲା
ଶୁଭେନାହିଁ ଆଉ ଚିଂ ଚିଂ ରଡି
ଧାନ ଜଗୁନାହିଁ ନଟିଆ, କିଚିରି ମିଚିରି ଚଟିଆ ।

ନୟାଗଡ଼

Leave A Reply

Your email address will not be published.