Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଆଉ ଜଣେ କୁନ୍ତୀ

ବିଷ୍ଣୁ ପ୍ରଭାକର ହିନ୍ଦୀ ସାହିତ୍ୟର ଜଣେ କିମ୍ବଦନ୍ତୀ ପୁରୁଷ ଭାବେ ସୁପରିଚିତ । ସ୍ୱାଧୀନୋତ୍ତର ହିନ୍ଦୀ ସାହିତ୍ୟକୁ ଷାଠିଏରୁ ଉର୍ଦ୍ଧ୍ୱ ଗଳ୍ପ ସଂକଳନ, ଉପନ୍ୟାସ, ଶିଶୁ ସାହିତ୍ୟ, ସମାଲୋଚନା, ଜୀବନୀ ପୁସ୍ତକ, ଭ୍ରମଣ କାହାଣୀ ଉପହାର ଦେଇଥିବା ଏହି ମୁର୍ଦ୍ଧନ୍ୟ ସ୍ରଷ୍ଟାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦେଶ ବିଭାଜନ ଉପରେ ତାଙ୍କଦ୍ୱାରା ରଚିତ ଅନେକ କାହାଣୀ କେବଳ ମନୋଜ୍ଞ ନୁହେଁ, ସେଗୁଡ଼ିକ ଉପରେ ଧାରାବାହିକ ଏବଂ ଚଳଚ୍ଚିତ୍ରମାନ ମଧ୍ୟ ନିର୍ମାଣ କରାଯାଇଛି । ୨୦୦୯ ମସିହାରେ ଏହି ବର୍ଷିଆନ୍‌ ସ୍ରଷ୍ଟାଙ୍କର ପରଲୋକ ଘଟିଥିଲା ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୯ 

ମୂଳ ହିନ୍ଦୀ: ବିଷ୍ଣୁ ପ୍ରଭାକର 

ପ୍ରିୟ ବନ୍ଧୁ,

ଆପଣ କେବେ କଳ୍ପନା କରିପାରିବେ ଯେ ଏଇ ଚିଠି ଖଣ୍ଡିକ ଲେଖିବାଲାଗି ମନ ସ୍ଥିର କରିବା ସକାଶେ ମୋତେ ପୂର ବର୍ଷେ ସମୟ ଲାଗିଯାଇଥିଲା । ଆଉ ଯଦି ଅଚାନକ ଏ ଘଟଣା ଘନି ନ ଥାଆନ୍ତା, ତା’ହେଲେ ସମ୍ଭବତଃ ମୁଁ ଏ ଚିଠି ଖଣ୍ଡିକ କେବେ ସୁଦ୍ଧା ଲେଖିପାରି ନ ଥାଆନ୍ତି । ମୁଁ ନିଜେ ଜାଣିନି, ଆପଣଙ୍କୁ କ’ଣ ବୋଲି ସମ୍ବୋଧନ କରିବି । ଆଜି କିନ୍ତୁ ମନ ସ୍ଥିର କରି ବସିଲି ଯେ ଚିଠି ଲେଖିସାରି ଉଠିବି । ସେଇଥିପାଇଁ ଯେଉଁ ସମ୍ବୋଧନ ମନକୁ ଆସିଲା ସେଇଆ ଲେଖୁଛି । ତା’ ପଛରେ କିଛି ଜାଣିଶୁଣି ଦିଆଯାଇଥିବା ଅର୍ଥ ନାହିଁ । ଚିଠି ଲେଖିବାର ଆଉ ଗୋଟିଏ କାରଣ ବି ଥାଇପାରେ । ସେଥିରେ ମନ ଆପେ ଆପେ ଖୋଟିଯାଏ । ମୁଁ ତ ମୋ ମନକୁ କାହା ଆଗରେ ସେମିତି ଖୋଲିବାକୁ ଚାହୁଁଥିଲି । ଆପଣଙ୍କର ମନେଥିବ, ଆଜକୁ ଦି’ବର୍ଷ ତଳେ, ଆପଣ ଏଇ ଶିବିରକୁ ବୁଲି ଆସିଥିଲେ । ସେତେବେଳେ ମୁଁ ମଧ୍ୟ ନୂଆକରି ଏଠାକୁ ଆସିଥିଲି । ସେତେବେଳେ ମୋର ଅବସ୍ଥା ଏମିତି ଥିଲା ଯେ ମୁଁ ନିଜେ ସୁଦ୍ଧା ବୁଝିପାରୁ ନ ଥିଲି – ମୁଁ ଜୀବିତ ଥିଲି ନା ମରି ସାରିଥିଲି । ଜିଇଁବା -ମରିବା କେବଳ ତ ନିଃଶ୍ୱାସ-ପ୍ରଶ୍ୱାସ ଚଳପ୍ରଚଳ କରିବାକୁ ବୁଝାଏ ନାହିଁ । କିନ୍ତୁ ସେ ଆଲୋଚନା ଭିତରେ ମୁଁ ମୁଣ୍ଡ ଖେଳେଇବାକୁ ଚାହୁଁନି । ମଣିଷ ଅଡ଼ୁଆ ସୂତାର ନଟେଇକୁ ସଜାଡ଼ୁ ସଜାଡ଼ୁ ସେଇ ଅଡ଼ୁଆସୂତାର ଫାଶ ଭିତରେ ନିଜେ ଫସି ଯାଇଥାଏ । ଆଉ ସେଇ ଜାଲ ଭିତରୁ ମୁକୁଳିବା ଲାଗି ତ ମୁଁ ବର୍ଷ ବର୍ଷ ଧରି ନିଜ ସଂଘର୍ଷ ଜାରି ରଖିଥିଲି । ପୁରୁଷ- ନାରୀଙ୍କ ସମ୍ପର୍କକୁ ନେଇ ମାସିକ ପତ୍ରିକା ‘ପ୍ରଜ୍ଞା’ରେ ମୁଁ ଆପଣଙ୍କ ଲେଖା ପଢ଼ିଥିଲି । ଠିକ୍ ତା’ପରେ ମୁଁ ଚାହୁଁଥିଲି ଆପଣଙ୍କ ନିକଟକୁ ଚିିଂ ଲେଖିବି । ସେ ଲେଖା ପଢ଼ିଲା ପରେ ମୁଁ କେମିତି ମନେ ମନେ ଉତ୍‌ଫୁଲ୍ଲିତ ହୋଇ ଉଠିଥିଲି । ସେଇ ଉତ୍କଣ୍ଠାର ଫଳଶ୍ରୁତି ହେଉଛି ଏ ଚିଠି । ଏଠାକୁ ଅନେକ ଲୋକ ଆସନ୍ତି । ଅନେକ ପ୍ରସଙ୍ଗରେ କଥାବାର୍ତ୍ତା କରନ୍ତି । ଜୀବନରେ ମିଳନ ଓ ବିରହର ଦୃଶ୍ୟ ବି ମୁଁ ଢେର୍ ଦେଖିଛି । ଏଠାରେ ଅନେକ ପ୍ରକାର ବେପାର ମଧ୍ୟ ହୁଏ । କିନ୍ତୁ ଆପଣଙ୍କ ସାଙ୍ଗରେ ସେମିତି କିଛି ଘଟନା ଘନି ନ ଥିଲା । ତଥାପି କାହିଁକି କେଜାଣି ଆପଣ ବାରମ୍ବାର ମୋ ସ୍ମୃତିପଟକୁ ଆସୁଥିଲେ । କାହିଁକି? ଆପଣଙ୍କ ପାଇଁ ମୋ ମନରେ ଏତେ ଆପଣାପଣ ଅନୁଭବ କରିବାର କାରଣ କ’ଣ?

ଆପଣଙ୍କର ଏକଥା ଭଲଭାବେ ମନେ ଥିବ, ସେତେବେଳେ ଯେବେ ବାଦଲ ଆଢ଼ୁଆଳ ରୁ ମୁକୁଳି ସ୍ୱଚ୍ଛ ଆକାଶ ଆତ୍ମପ୍ରକାଶ କରିବାକୁ ପ୍ରୟାସ କରୁଥିଲା … ମୁଁ କିନ୍ତୁ ଶିବିରର ଗୋଟିଏ କୋଣରେ ପାଞ୍ଚଟି ଶିଶୁଙ୍କ ଘେରରେ ଗୋଟିଏ ଜିଅନ୍ତା ଶବ ଭଳି ପଡ଼ି ରହିଥିଲି । ମୋ ଆଡ଼କୁ ଇଙ୍ଗିତ କରି ଶିବିର ସଂଚାଳିକା ଆପଣଙ୍କୁ କିଛି କହିଥିଲେ । ସେକଥା ଅବଶ୍ୟ ମୁଁ କମ୍ ଶୁଣି ପାରିଥିଲି, କିନ୍ତୁ ଢେର୍ କିଛି ଠଉରାଇ ପାରିଥିଲି । ଯେତେବେଳେ ଆପଣ ମୋ ପାଖ ଦେଇ ଚାଲିଗଲେ ଏବଂ ଠିକ୍ ସେଇ ଝର୍କା ପଛପଟେ ଆସି ଠିଆହୋଇଗଲେ ଯେଉଁଠିକୁ ମୁଁ ଫେରିଥିଲି । ସେତିକିବେଳେ ମୁଁ ବୁଝିପାରିଥିଲି ଆପଣ କିଏ । ମୋତେ ଦେଖି ଆପଣଙ୍କ ମୁହଁର ଭାବରେ କିଛି ପରିବର୍ତ୍ତନ ଆସି ନ ଥିଲା । ହୋଇଥାଇପାରେ ସେଭଳି ଭାବ ମୁହଁକୁ ଆସିବାକୁ ଆପଣ ଦେଇ ନ ଥିଲେ । ଅବଶ୍ୟ ସେକଥା ମୋତେ ଜଣା ନ ଥିଲା । କିନ୍ତୁ ଆପଣ ଯେତେବେଳେ ପଛରେ ଠିଆ ହୋଇଥିଲେ ସେତିକିବେଳେ ଆପଣଙ୍କ ତୁଣ୍ଡର ଅନେକ କଥା ମୁଁ ଶୁଣିଥିଲି । ସଂଚାଳିକା ଆପଣଙ୍କୁ କହିଥିଲେ, ‘ଦେଖନ୍ତୁ, ଏଠାକୁ ଅନେକ ଲୋକ ଆସୁଛନ୍ତି ଓ ଏ ସ୍ଥାନ ସଂପର୍କରେ ଢେର୍ କଥା ମଧ୍ୟ ଲେଖୁଛନ୍ତି । କିନ୍ତୁ ଆପଣଙ୍କୁ ମୁଁ ନିବେଦନ କରୁଛଇ,
ଏଇଥିପାଇଁ ଅନୁରୋଧ କରୁଛି ଯେ ଆପଣ ଜଣେ ଲେଖକ ଓ ଲେଖକମାନେ ସ୍ୱଭାବତଃ ସମ୍ବେଦନଶୀଳ । ମୋର ଅନୁରୋଧ, ଏ ମହିଳାଙ୍କ ସମ୍ପର୍କରେ ଆପଣ କିଛି ଲେଖନ୍ତୁନାହିଁ ।’
ସେତେବେଳେ ଆପଣ କହିଥିଲେ – ଯଦିବା ସେକଥା କହିବା ଭିତରେ କେଇଟି କ୍ଷଣ ବିତି ଯାଇଥିଲା ଏବଂ ମୁଁ ଜାଣିଛି ଯେ ସେଇ କେଇଟି ମୁହୂର୍ତ୍ତ ଭିତରେ ଆପଣଢ଼୍‌କ ମନରେ ସମୁଦ୍ର ମନ୍ଥନ ହୋଇଥିଲା – ଆପଣ ଦୀର୍ଘ ନିଃଶ୍ୱାସଟିଏ ଛାଡ଼ି କେବଳ ଗୋଟିଏ ଶବ୍ଦ କହିଥିଲେ – ‘ଆଚ୍ଛା’ । କିନ୍ତୁ ସେଇ ଶବ୍ଦଟି ପଛରେ କେତେ ଯେ ବେଦନା, କେତେ ଅନୁଭୂତି ଓ କେତେ ବିବଶତା ଥିଲା ।

ଆପଣଙ୍କ ଚେହେରାରେ ସ୍ପଷ୍ଟ ବାରିହୋଇ ପଡ଼ୁଥିବା ସେଇ ପୀଡ଼ାଦାୟକ ବିବଶତା ଧୀରେ ଧୀରେ ମୋ ସମଗ୍ର ଶରୀରରେ ଚରି ଯାଇଥିଲା । ମୁଁ ଯନ୍ତ୍ରଣା ଜର୍ଜରିତ ହୋଇ ଠିଆ ହୋଇପଡ଼ିଥିଲି । ଝର୍କା କବାଟକୁ ଧରି ମୁଁ ସେଇଆଡ଼କୁ ଉଣ୍ଡିଥିଲି । ସେତେବେଳକୁ ଆପଣ ସଂଚାଳିକା ସହିତ ଧୀରେ ଧୀରେ ବାହାରକୁ ଯାଉଥିଲେ । କେଇଟି ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ସେଇ ଥଣ୍ଡା ଝର୍କା କବାଟକୁ ଧରି ସେମିତି ଠିଆହୋଇ ଉଷ୍ମ ଲୁହରେ ଢଳଢ଼ଳ ହେଉଥିବା ଆଖିରେ ନିଜ ଶରୀରକୁ ଆଉଜେଇ ରଖିଥିଲି । ଦୁଆରମୁହଁରେ ପହଞ୍ଚି ଆପଣ ପୁଣି ଥରେ ପଛକୁ
ବୁଲି ଚାହିଁଲେ । ମୋତେ ଦେଖିବାକୁ ନୁହେଁ, ବରଂ ସଂଚାଳିକାଙ୍କୁ ନମସ୍କାର କରିବା ଲାଗି । ଆପଣ ମୋତେ ଦେଖି ନ ଥାଆନ୍ତୁ ପେଇ, ମୁଁ କିନ୍ତୁ ଆପଣଙ୍କୁ ଦେଖି ନେଇଥିଲି ।

ଆଉ ସେଇ ମୁହୂର୍ତ୍ତରେ ମୁଁ ବୁଝି ପାରିଥିଲି ଯେ ଆପଣ ମୋ କାହାଣୀକୁ କାଗଜ କଲମରେ ନ ଲେଖନ୍ତୁ ପଛେ, ଆପଣଙ୍କ ହୃଦୟରେ କିନ୍ତୁ ଅବଶ୍ୟ ଧରି ରଖିବେ । ଶିବିର ସଂଚାଳିକା ମୋ ଜୀବନ କାହାଣୀ ସମ୍ପର୍କରେ ଆପଣଙ୍କୁ ଅବଶ୍ୟ କହିଥିବେ । କିନ୍ତୁ ସତକୁ ସତ ସିଏ କ’ଣ ମୋ କାହାଣୀ କହିପାରିବେ? ମୋ କଥା ଓ ବ୍ୟଥାକୁ କେହି ହେଲେ ଶବ୍ଦ ଦେଇପାରି ନାହାନ୍ତି । ମୁଁ ବି ନୁହେଁ । ସହି ସହି ମୋ ଦେହରୁ ଅନୁଭବ କରିବାର ସବୁ ସାମର୍ଥ୍ୟ ସୁଦ୍ଧା ନିଃଶେଷ ହୋଇସାରିଛି । କିନ୍ତୁ ଆପଣ କ’ଣ କେବେ ବିଶ୍ୱାସ କରିବେ ଯେ ଆପଣଙ୍କର ଏଇ ଲେଖାଟି ପଢ଼ି ମୋ ନିଜ ଜୀବନ କାହାଣୀକୁ ମୁଁ ନିଜେ ବୁଝି ପାରିଥିଲି । ଜାଣିଛି, ଆପଣ ସେ ଲେଖା ମୋ ପାଇଁ ଲେଖି ନ ଥିଲେ । ଆପଣ କେବଳ ସାତ ସମୁଦ୍ର ପାର ହୋଇ କୌଣସି ଗୋଟିଏ ଦେଶକୁ କରିଥିବା ଯାତ୍ରା ବୃତ୍ତାନ୍ତ ହିଁ ଲେଖିଥିଲେ । ସାତ ଦରିଆ ପାର ହେବା ବିଷୟରେ ଢେର୍ କାହାଣୀ ମୁଁ ମୋ ବୁଢ଼ୀମା’ଠାରୁ ଶୁଣିଥିଲି – ଜଣେ ସାହସୀ ରାଜକୁମାର, ଆଉ ଗୋଟିଏ ସୁନ୍ଦରୀ ରାଜଜେମାଙ୍କ ପ୍ରେମ କାହାଣୀ । କିନ୍ତୁ ଆପଣ ଯେଉଁ ଲେଖା ଲେଖିଥିଲେ, ସେଥିରେ ନା ରାଜକୁମାରର ଚର୍ଚ୍ଚା ଥିଲା, ନା ଥିଲା ରାଜକୁମାରୀର କୌଣସି ଆଭାସ ।

ତଥାପି ସେଥିରେ ଅଦ୍ଭୁତ ସାହସ ଓ ବିଚିତ୍ର ସୌନ୍ଦର୍ଯ୍ୟର କଥା ନିହିତ ଥିଲା । ପୁରୁଷ ଓ ନାରୀର ସମ୍ପର୍କର କଥା… ମୋ ଜୀବନ କାହାଣୀ ସେଇଭଳିଆ ବ୍ୟଥା-କଥାରେ ଭରପୂର । ମୁଁ
ଗୋଟିଏ ତଥାକଥିତ ସମ୍ଭ୍ରାନ୍ତ ଓ ସମ୍ପନ୍ନ ପରିବାରର ଝିଅ ଏବଂ ଅନୁରୂପ ଭାବେ ଖାନଦାନ୍ ଓ ପ୍ରତିପତ୍ତି ଥିବା ପରିବାରର ବୋହୂ ଥିଲି । ମୋର ରୂପ ବି ସେମିତି ମୋହକ ଓ ଆକର୍ଷଣଭରା
ଥିଲା । ସେତେବେଳେ ମଧ୍ୟ ବେଶ୍ ଜାଡ଼ ପଡ଼ିଥିଲା କିନ୍ତୁ ଏକ ବିଚିତ୍ର ଆକର୍ଷଣ ସେଦିଦ ମୋ ଆଖିରେ ଆପଣ ଉଦାସଭାବ ଓ ଦୁଃଖ ଅବଶ୍ୟ ପାଇଥିବେ । ସେଇ ଆଖି ଯୋଗୁ ତ ମୁଁ
ବାରମ୍ବାର ଠିକିଥିଲି । ଯେତେବେଳେ ମୋତେ ଊଣେଇଶ ବର୍ଷ ହୋଇଥିଲା, େସେତେବେଳେ ମୁଁ କେମିତି ଲାଗୁଥିବି, ଆପଣ ଅନୁମାନ କରିପାରୁଥିବେ । ନା, ଆପଣ ସେକଥା କେବେ କଳ୍ପନା ସୁଦ୍ଧା କରିପାରିବେନି । ସୌନ୍ଦର୍ଯ୍ୟକୁ ଶବ୍ଦରେ ବାନ୍ଧିବା ଗୋଟିଏ କଥା, ଆଉ ତାକୁ ବାସ୍ତବରେ ଅନୁଭବ କରିବା ଆଉ ଏକ କଥା । ସେତେବେଳେ ମୁଁ ଆକଣ୍ଠ ଐଶ୍ୱର୍ଯ୍ୟ ଏବଂ
ବିଳାସରେ ଡୁବିରହି ନିଜ ପତିଙ୍କ ସହ ଜୀବନକୁ ମନଭୂି ଉପଭୋଗ କରୁଥିଲି । ଏକ ସୁଖ ସ୍ୱପ୍ନ ଭଳି ସମୟ ବିତି ଚାଲିଥିଲା ।

ସେତିକିବେଳେ ହଠାତ୍ ମୋ ଦେଶର ଭାଗ୍ୟାକାଶରେ ବିପଦର ଏକ କଳାବାଦଲ ଢାଙ୍କି ହୋଇଗଲା । ସେ ବିପତ୍ତି କେମିତି ଦେଶର ଦୁର୍ଭାଗ୍ୟରେ ପରିଣତ ହେଲା, ସେକଥା ଆପଣଙ୍କୁ ବତେଇବାର ଆବଶ୍ୟକତା ନାହିଁ । ସେହି ମହାବିନାଶର ପ୍ରଳୟଙ୍କରୀ ଝଡ଼ରେ କିଏ କୁଆଡ଼େ ଗଲା, କାହା ଉପରେ କ’ଣ ବିତିଲା, ସେକଥା ଇତିହାସକାର କି ପତ୍ରକାର କାହାକୁ ଦୃଶ୍ୟ ହେଲାନାହିଁ । ସେକଥା ଆଲୋଚନା କରିବାର କାହାର ଆବଶ୍ୟକତା ହିଁ ନାହିଁ । ନିଜ କଳଙ୍କକୁ ଅମରତ୍ୱ ପ୍ରଦାନ କରିଦେବା କେଉଁ ଭଲ କଥା ଯେ? ସମୟ ବେଶ୍ ନୃଶଂସ ଭାବେ ଆମକୁ ଏକଥା ଅନୁଭବ କଦେଇଦେଲା ଯେ ଉଚିତ ଅବସର ଆସିଲେ ଗୋଟିଏ ମୁହୂର୍ତ୍ତରେ ସୁଦ୍ଧା ଈଶ୍ୱରଙ୍କ ସର୍ବୋତ୍ତମ ସୃଷ୍ଟି – ମଣିଷ ରାକ୍ଷସରେ ରୂପାନ୍ତରିତ ହୋଇଯାଇପାରେ ।

ମୋ ମନ ପୁଣି ଅସ୍ଥିର ହୋଇଉଠିଲା । ମନ ଭିତରେ ଯେଉଁ ଦୁଶ୍ଚିନ୍ତା ଥିଲା, ଯେତେ ଚେଷ୍ଟା କଲେସୁଦ୍ଧା ତାହା ବିସ୍ମୃତିର ସୁଅରେ ଭାସିଯାଇ ପୁଣି ପର ମୁହୂର୍ତ୍ତରେ ଚାରିଆଡ଼େ ବ୍ୟାପି ଯାଇଥିଲା । ଦିନକୁ ଦିନ ହିଂସା,ଦଙ୍ଗା ବ୍ୟାପିବାରେ ଲାଗିଥିଲା । ଅଚାନକ ଦିନେ ଆଗ ଘର ଉପରେ ଭୟଙ୍କର ଆକ୍ରମଣ ହେଲା । ସେଭଳି ଦୃଶ୍ୟକୁ ମୁଁ କେମିତି ଶବ୍ଦରେ ବଖାଣି ପାରିବି ? ଘରର ଅଧିକାଂଶ ଲୋକ ସେତେବେଳକୁ ଶରଣାର୍ଥୀ ଶିବିରକୁ ଯାଇସାରିଥିଲେ । କେବଳ ଯାହା ମୁଁ ଓ ମୋର ସ୍ୱାମୀ ଘରେ ଥିଲୁ । ଶେଷରେ ଯିବୁ ବୋଲି ମନସ୍ଥ କରିଥିଲୁ । ମୋ ସ୍ୱାମୀ ଦଙ୍ଗାକାରୀମାନଙ୍କର ମୁକାବିଲା ବି କରିଥିଲେ । କିନ୍ତୁ ଏକୁଟିଆ ସେ ଭଲା କ’ଣ କରିପାରି ଥାଆନ୍ତେ? ନୃଶଂସ ଲୋକଗୁଡ଼ାକ ତାଙ୍କୁ ଜୀବନରେ ମାରିଦେଲେ ଓ ସେଇଠି ସେମାନେ ମୋ ଉପରେ ବଳାତ୍କାର କଲେ । ଜଣେ ମାନସିକ ଭାରସାମ୍ୟ ହରାଇ ବସିଥିବା ପାଗଳ ଯେମିତି ଏକା ନିଃଶ୍ୱାସକେ ସବୁ କଥା କହିପକାଏ, ସେମିତି ମୁଁ ଏକା ହୋସ୍‌ରେ ଏତେସବୁ କଥା ଲେଖି ପକାଇଛି । ଯଦି ତା’ଭିତରେ ଆଉ ଗୋଟିଏ ନିଃଶ୍ୱାସ ନେଇଥାଆନ୍ତି, ତା’ହେଲେ ଆଉ ଲେଖି ପାରି ନ ଥାଆନ୍ତି ।

ମୋର ଯେତେବେଳେ ହୋସ୍ ଆସିଲା, ମୁଁ ଲକ୍ଷ୍ୟ କଲି, ଗୋଟିଏ ଛୋଟ କଚ୍ଚାଘର ଭିତରେ ଗନ୍ଧିଆ ଦୋକାନ ଚଟାଣରେୁ ମୁଁ ତଳେ ଶୋଇଛି । ସମ୍ପୂର୍ଣ୍ଣ ଏକାକୀନି, ଅସହାୟ ଓ ଅଚଳାୟତନ ଅବସ୍ଥାରେ । ମତେ ଲାଗୁଥିଲା ମୋର ସର୍ବାଙ୍ଗ ଶରୀର ପଙ୍ଗୁ ହୋଇଯାଇଛି । ଚେଷ୍ଟାକରି ସୁଦ୍ଧା ମୁଁ ସେସବୁକୁ ଘୁଞ୍ଚାଇ ପାରୁ ନ ଥିଲି । ମୁଁ ଭାବିଲି, ବୋଧହୁଏ ମୁଁ ମରିସାରିଛି ଓ ମୋର ପାପର ଦଣ୍‌ନ ପାଇବା ସକାଶେ ମୋତେ ନର୍କକୁଣ୍ଡରେ ଫିଙ୍ଗି ଦିଆଯାଇଛି! କିଏ ନିଦରେ ଶୋଇ ସ୍ୱପ୍ନରେ ନନ୍ଦନକାନନରେ ବିଚରଣ କରୁଥିବା ଦୃଶ୍ୟ ଦେଖେ ଏବଂ ସକାଳ ହେଲାବେଳକୁ ନର୍କ ଭିତରେ ନିଜକୁ ଆବିଷ୍କାର କରେ! ମନକୁ କେତେ ଆଘାତ ଲାଗୁଥିବ ସେକଥା, ଆପଣ ନିଶ୍ଚୟ ବୁଝିପାରୁଥବେ । କିନ୍ତୁ ତାହା ନର୍କ ନ ଥିଲା । କାରଣ, ଧୀରେ ଧୀରେ ମୋ ଚାରିକଡ଼େ ଆଲୋକ ବିଛାଡ଼ି ହୋଇ ପଡ଼ିବାକୁ ଅରମ୍ଭ କରିଥିଲା ଓ ମୋର ଚେତା ଲେଉଟି ଆସୁଥିଲା । ମୁଁ ଧୀରେ ଉଠି ବସିବାକୁ ଚେଷ୍ଟା କଲାବେଳେ ହଠାତ୍ କମାଟ ଖୋଲି ଜଣେ ଅଚିହ୍ନା ଲୋକ ଆସି ମୋ ସାମ୍‌ନାରେ ଠିଆ ହେଲା ।

ଲୋକଟି ମୋତେ ଅପଲକ ନୟନରେ କିଛି କ୍ଷଣ ଚାହିଁରହିଲା । ତା’ଆଡ଼କୁ ମୁଁ ବି ଚାହିଁ ରହିଥିଲି ଓ ମଝିରେ ମଝିରେ ଆଖି ପତାକୁ ମିଟିମିଟି କରୁଥିଲି । ସେ ପଚାରିଲା, ‘କେମିତି ଲାଗୁଛି?’ ତା’କଣ୍ଠସ୍ୱର କାହିଁ କେତେ ଦୂରରୁ ଭାସି ଆସିବା ପରି ଶୁଭୁଥିଲା । ମୁଁ ହଠାତ୍ ଚିଦ୍‌କା କରିଉଠିଲି, ‘ମୁଁ କେଉଁଠି? ଇଏ କେଉଁ ଜାଗା? ତୁମେ କିଏ?’ ମୋ ସାମ୍‌ନାରେ ସେଇ ସୁସ୍ଥ ସବଳ ବ୍ୟକ୍ତି ଠିଆହୋଇଥିଲେ । ଏଥର ଲକ୍ଷ୍ୟ କଲି, ତାଙ୍କ ଆଖିରେ କ୍ରୂରତା ନ ଥିଲା । ବେଦନାକ୍ଳାନ୍ତ କଠୋରତା କେମିତି ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ସେ ଧୀର କଣ୍ଠରେ କହିଲେ, ‘ମୁଁ ଜାଣେନା

ତୁମେ କିଏ ତୁମ ଘର କେଉଁଠ କିମ୍ବା ତୁମ ପରିବାରର ଅନ୍ୟ ଲୋକମାନେ କେଉଁଠି ଅଛନ୍ତି । କେଇଜଣ ଗୁଣ୍ଡା କିଛି ସ୍ତ୍ରୀଲୋକମାନଙ୍କୁ ଉଠାଇ ନେଇଯାଉଥିଲେ । କିନ୍ତୁ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଚାରିଆଡ଼ୁ ଘେରି ଯାଇଥିଲେ । ସେଇ ଗୁଳିଗୋଳା ବିନିମୟ ଭିତରେ ଅନେକ ଝିଅ ଓ ମହିଳା ଏଣେତେଣେ ପ୍ରାଣ ବିକଳରେ ପଳାଇଗଲେ । ଯେତେବେଳେ ସବୁ ଲୋକ ସେଠାରୁ ଚାଲିଗଲେ, ତୁମକୁ ମୁଁ ଗୋଟିଏ କ୍ଷେତ ଭିତରୁ ବେହୋସ ଅବସ୍ଥାରେ ପାଇଥିଲି । ମୁଁ କିଏ ସେକଥା ଜାଣିବା ତୁମର କିଛି ଦରକାର ନାହିଁ । ଏବେ କେବଳ ଏତିକି

ଜାଣ, ମୋ ନାଁ ନୂର୍ । ତୁମେ ଯଦି ତୁମ ପରିଚୟ ଦେବ, ତା’ହେଲେ ତୁମ ଘର ଲୋକଙ୍କୁ ଖୋଜିବା ଲାଗି ମୁଁ ଚେଷ୍ଟା କରିବି ।’

ମୁଁ ଜାଣେନା କେମିତି ଏକ ସମ୍ବେଦନା ଭରି ରହିଥିଲା ତାଙ୍କର ସେ ସାଧାସିଧା ଓ ସ୍ପଷ୍ଟ କଥାରେ! ମୁଁ କାନ୍ଦି ଉଠିଥିଲି ଓ ତା’ରି ଭିତରେ ନିଜ ଉପରେ ବିତିଥିବା ସବୁ କାହାଣୀ ବଖାଣିଥିଲି ।
କିଛି ସମୟ ପର୍ଯ୍ୟନ୍ତ ସେ ଉଁ ଚୁଁ କିଛି କହି ନ ଥିଲେ, ଯେମିତି କିଛି ଅକଥନୀୟ କଥା କହିବା ସକାଶେ ମନେମନେ ସେ ସାହସ କୁଳାଉଥିଲେ । କିଛି କ୍ଷଣ ପରେ ଧୀରେ ଧୀରେ ସେ କହିବା ଆରମ୍ଭ କଲେ, ‘ମୁଁ ଜାଣିଛି, ଏ ସହରରେ ତୁମ ଘର କି ପରିବାରର ଆଉ କେହି ଲୋକ ବଞ୍ôଚନାହାନ୍ତି । ତୁମ ଜାତିର ବି କୌଣସି ଲୋକ ନାହାନ୍ତି । ଭାରତ ଚାଲିଯିବା ସକାଶେ କିଛି ଲୋକ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇସାରିଛନ୍ତି । ଆଉ କିଛି ଲୋକ ସାମ୍ପ୍ରଦାୟିକ ଘୃଣା ଓ ହିଂସାରର ସ୍ରୋତରେ ବହି ଯାଇଛନ୍ତି… ।’ ମୁଁ ଛଟପଟ ହୋଇଉଠିଲି । ଚିତ୍କାର ଛାଡ଼ି କହିଲି, ‘ମୁଁ କାଇଁକି ଶରଣାର୍ଥୀ ଶିବିରକୁ ଯାଇ ପାରିବିନି? ମୋତେ କ’ଣ ସେଠାରୁ ପଳେଇ ଯିବାପାଇଁ ଆପଣ ସାହାଯ୍ୟ କରିପାରିବେନି? ଦୟାକରି ଆପଣ…’ ସେଇ ଦ୍ୱାର ମୁହଁରେ ସେଇ ସାହାଯ୍ୟକାରୀ ବ୍ୟକ୍ତିଜଣକ ଠିଆ ହୋଇଥିଲେ । ଏଥର ସେ ଆହୁରି ପାଖକୁ ଆସିଲେ ଓ ବେଶ୍ ଧୀର ସ୍ୱରରେ କହିଲେ, ‘ଏବେ ଆଉ କିଛି ହୋଇପାରିବ ନାହିଁ ।

ଚାରିଆଡ଼େ ଜଳନ୍ତା ନିଆଁ ଯେମିତି ତା’ର ଜିଭ ଲହଲହ କରି ବ୍ୟାପିଚାଲିଛି । କୌଣସି ଏକ ଅନ୍ଧାର ରାତିରେ ମୁଁ ତୁମକୁ ନିଜ ଘରକୁ ନେଇଯିବି । ମୁଁତୁମଲାଗି କିଛି ନୂଆ ପୋଷାକ ଆଣିଛି । ହଁ, ଆଉ ଗୋଟିଏ କଥା । ଆଜିଠାରୁ ତୁମ ନାଁ ଆୟେଶା । ଏକଥା ଯେମିତି ଭୁଲ୍‌ରେ ଭୁଲି ନ ଯାଅ ।’

‘କ’ଣ?’

‘ହଁ, ଏବେ ତୁମେ ଆୟେଶା । ବୁଝିଲ! ନ’ହେଲେ ବିପଦ ଅଛି ।’ ‘ପ୍ରିୟ ବନ୍ଧୁ, ସେ ନୂଆ ପୋଷାକ ପିନ୍ଧିଲାବେଳେ ମୁଁ ଢେର୍‌ କାନ୍ଦିଥିଲି । ତଥାପି ସେଇଆ ହେଲା, ଯାହା ନୂର ଚାହିଁଥିଲା ।
ଆସନ୍ତା ପ୍ରଥମ ଅମାବାସ୍ୟା ଦିନ ମୁଁ ସେଇ ପୋଷାକ ପିନ୍ଧି ରାତି ଅନ୍ଧାରରେ ତାଙ୍କର ଘରକୁ ଚାଲିଯାଇଥିଲି… ମୁଁ ମରି ପାରିଲିନି । ମରିବା ମୋର ଉଚିତ ଥିଲା… । କିନ୍ତୁ ପାରିଲିନି । କାରଣ, ନିଜ ପାଖରେ ନିଜେ ଅପରିଚିତ ହୋଇ ଜୀବନ  ବେଶ୍ ଯନ୍ତ୍ରଣାଦାୟକ । ତା୩ଠାରୁ ବରଂ ମରିଯିବା ଭଲ । ମୁଁ ଭଲଭାବେ ଜାଣିଥିଲି, ନୂର୍ ମତେ ଏଇଥିପାଇଁ ବଞ୍ଚେଇ
ରଖିବାକୁ ଚାହୁଁଥିଲା । କାରଣ – ମୁଁ ଜଣେ ନାରୀ । ସୁନ୍ଦରୀ ବି । ଆଉ ଅସହାୟା । ପୁରୁଷ ଓ ନାରୀ ଭିତରେ ଏଇ ତ ଆକର୍ଷଣ, ଯାହାକୁ ଆମେ ଶାଶ୍ୱତ ବୋଲି କହେ… ‘ଆଉ ଗୋଟିଏ କଥା କହୁଛି । ନୂର୍ ଥିଲା ଅବିବାହିତ ଏବଂ ହିନ୍ଦୁ । ଏକଥା ମୁଁ କିଛି ଦିନପରେ ଜାଣିବାକୁ ପାଇଥିଲି । ସେ ନିଜର ଘରଦ୍ୱାର, ଧନସମ୍ପତ୍ତି ବଞ୍ଚେଇବା ସକାଶେ ଧର୍ମ ବଦଳେଇଥିଲା ।

‘ମୋ କାହାଣୀ ବେଶ୍ ଲମ୍ବା । ଅଳ୍ପ ଅଳ୍ପ କରି ଆପଣଙ୍କ ଆଗରେ ସେସବୁ ବଖାଣିବି । ଆପଣ ଚାହିଁଲେ ମୋ ଜୀବନ ପାହାଣୀକୁ ନେଇ ଉପନ୍ୟାସ ଲେଖି ପାରିବେ । କିନ୍ତୁ ମୋର ଗୋଟିଏ ଅନୁରୋଧ – ସେମିତି କିଛି ଲେଖନ୍ତୁନି । କିଏ ଭଲା କେମିତି ଶବ୍ଦରେ ମୋ’ଠାରେ ବିତିଥିବା ସେଇ ତୀବ୍ର ଭାବନାକୁ ରୂପାନ୍ତରିତ କରିପାରିବ? ସେତେବେଳେ ମୋ ମନରେ ଯେଉଁ ଭାବନା ଉଠିଥିଲା ତାହା ବର୍ଣ୍ଣନାତୀତ ଯେତେବେଳେ ମୁଁ ଅନୁଭବ କରିଥିଲି ଯେ ମୁଁ ସନ୍ତାନସମ୍ଭବା – ମା’ହେବାକୁ ଯାଉଛି ।

ବେଦନା ଓ ଘୃଣା ମୋ ଶରୀର ଓ ଅନ୍ତରରେ ତିଳେ ତିଳେ ଭେଦି ଯାଇଥିଲା । ନିଜ ଉଦରକୁ ମୁଁ ଘୁଷି ମାରି ମାରି ଗର୍ଭପାତ ଲାଗି ଅନେକ ଥର ଅସଫଳ ପ୍ରୟାସ ମଧ୍ୟ କରିଥିଲି କିନ୍ତୁ ନୂର୍‌
ମୋତେ ଗୋଡ଼େ ଗୋଡ଼େ ଜଗିଥିଲା । ସଦାବେଳେ ମୋ ଉପରେ ସତର୍କ ଦୃଷ୍ଟି ରଖିଥିଲା । ତେଣୁ ମୁଁ ମୋ ପ୍ରୟାସରେ ସଫଳ ହୋଇପାରି ନ ଥିଲି । ସତ କଥା ହେଲା, ମୋ ଭିତରେ ଏପରି କେହି ଜଣେ ଥିଲା ଯିଏ ମୋର ଏଭଳି ପ୍ରଚେଷ୍ଟାକୁ ଭଣ୍ଡୁର କରିବା ସକାଶେ ବଦ୍ଧପରିକର ଥିଲା । ନିଜ ଭିତରେ ଥିବା ‘ମୁଁ’ର ଦୋହରାପଣକୁ ଆମେ କେବେ ବୁଝିପାରିଥାଏ କି?
ମୋର ଆଉ ଗୋଟିଏ ପୁଅ ଥିଲା ଯାହାକୁ ମୁଁ ପଛରେ ଛାଡ଼ି ଆସିଥିଲି । ତା’ରି କଥା ଭାବି ଭାବି ଅଧିକାଂଶ ସମୟରେ ମୁଁ ଆଖିରୁ ଲୁହ ଗଡ଼ାଉଥିଲି । ମୋ ସ୍ୱାମୀ ତ ଏବେ ଆଉ ଫେରି ଆସିବେନି । କିନ୍ତୁ ନିଜ ସନ୍ତାନକୁ କ’ଣ ମୁଁ ଆଉ ଥରେ ଦେଖିପାରିବିନି? ହଁ, ମୁଁ ତ ମୋ ନବାଗତ ସନ୍ତାନ କଥା ଆପଣଙ୍କୁ କହୁଥିଲି । ଏଠିକି କେମିତି ଆସିଲି, କେବେ ଆସିଲି? ନୂର ତ ଏବେଦିନ ଧରି ମୋ ପାଖ ମାଡ଼ି ନ ଥିଲା? ଭଗବାନଙ୍କୁ ମନେ ମନେ ଡାକିଲି : ସତରେ କ’ଣ ତୁମେ ଅଛ? ମୁଁ କେତେ ଆକୁଳ ବ୍ୟାକୁଳ ହୋଇ ଭଗବାନଙ୍କୁ ଡାକିଲି?

ହେଲେ ଭଗବାନ ବଡ଼ ନିଷ୍ଠୁର, ନିର୍ମମ । ମୋର କୌଣସି ଡାକ ତାଙ୍କ କାନରେ ପଡ଼ିଲାନି । ସମୟ ଧୀରେ ଧୀରେ ଗଡ଼ି ଚାଲିଥିଲା । ମୋତେ ଲାଗିଲା, ଯେମିତି ନୂର ତା’ କଥାରୁ ଓହରି
ଯାଇଛି । ମୋ ଚାରିକଡ଼େ ହୁତହୁତ୍ ହୋଇ ନିଆଁ ଜଳୁଛି । ଚାରିଆଡ଼କୁ ସେ ନିଆଁ ଗ୍ରାସ କରିଚାଲିଛି । ଆଉ ସେଇ ନିଆଁ ଭିତରୁ ପୋଡ଼ା ମଣିଷଙ୍କ ଗନ୍ଧ ମୋ ନାକପୁଡ଼ାକୁ ଏକବାରେ ରୁଦ୍ଧି ପକାଉଛି!

ହଠାତ୍ ନିଜରେ ମୁଁ ଚିରଚିରେଇ ଉଠିଲି । ବାହାରକୁ ପଳେଇଯିବା ଲାଗି ମୋ ମନ ସତେକି ପାଗଳ ପ୍ରାୟ ହୋଇ ଉଠୁଥିଲା । କିନ୍ତୁ ଏଇ ବିଭୀଷିକା ଭିତରେ ନୂର୍ ମୋ ପାଖାରେ ଠିଆ
ହୋଇଥିଲା । ମଜଭୁତ ଚଟାଣ ଭଳି ଅଚଳ, ଅଟଳ ଥିôଲା । ସେ ମୋ ପାଖକୁ ଆସୁ ନ ଥିଲା । କିନ୍ତୁ ଦୂରକୁ ବି ଯାଉ ନ ଥିଲା । ମୋ ଆଖିରୁ ଲୁହ ପୋଛିବାଲାଗି ସେ ଆପ୍ରାଣ ପ୍ରୟାସ
ଜାରି ରଖିଥିଲା । ହେଲେ ସେଥିରେ ସେ ସଫଳ ହୋଇପାରି ନ ଥିଲା । ତା’ ଭିତରେ ଦିନେ ସେ ଆସି ମୋ ପାଖରେ ବସିପଡ଼ିଲା ଓ କହିଲା, ‘ଚାରିଆଡ଼ୁ ଦଙ୍ଗାଫସାଦ୍ ଓ ନିଆ ଥମି ଆସୁଛି । ତୁମମାନଙ୍କୁ ଏଠାରୁ ଉଦ୍ଧାର କରିବା ଲାଗି ଫଉଜ ଆସି ପହଞ୍ଚୁଛନ୍ତି । ଯଦି ଚାହୁଁଛ ତା’ହେଲେ ଭାରତ ପଳେଇ ଯାଇପାରିବ ।’

‘ଆଶ୍ଚର୍ଯ୍ୟ! ଏକଥା ଶୁଣୁ ଶୁଣୁ ମୁଁ ଶୁଖିଲା ପତ୍ରଟିଏ ପରି ଥରି ଉଠିଥିଲି । ମୁଁ ଚିତ୍କାର କରି କହିଥିଲି, ‘ନା, ନା, ମୁଁ ଯାଇ ପାରିବିନି । ମୁଁ ଯିବିନି ।’

ସେଦିନ ପ୍ରଥମ ଥର ପାଇଁ ସେ ମୋ ପାପୁଲିକୁ ନିଜ ପାପୁଲି ଭିତରେ ରଖି ଥାପୁଡ଼େଇ ଦେଇଥିଲେ । ସେଇ ସ୍ପର୍ଶରେ କେମିତି ଭିଜା ଭିଜା ସମ୍ବେଦନା ଥିଲା କେଜାଣି, ମୋର ଶିରା
ପ୍ରଶିରାରେ ଯେମିତି ତାହା ଭେଦି ଯାଇଥିଲା! ମୋତେ ଆଶ୍ୱସ୍ତ ଲାଗିଥିଲା । ସେଦିନ ସେ ଆଉ କିଛି ନ କହି ଚୁପ୍‌ଚାପ୍‌ ଚାଲିଯାଇଥିଲା । କିନ୍ତୁ ତୃତୀୟ ଦିନ, ପଞ୍ଚମ ଦିନ, ସପ୍ତମ ଦିନ, ସିଏ
ପୁଣି ସେଇକଥା କହିଲା । ମୁଁ କିନ୍ତୁ ନିଜେ ନିଜ ସହ ସଂଗ୍ରାମ କରିଚାଲିଥିଲି । ପନ୍ଦର ଦିନ ପରେ ସେ ମୋ ପାଖକୁ ଆସି ବେଶ୍‌ ସ୍ନେହବୋଳା କଣ୍ଠରେ କହିଲା, ‘ଚାଲ । ସେ ଲୋକମାନେ ଖୁବ୍‌ ନିକଟରେ ଅଛନ୍ତି । ମୁଁ ତୁମକୁ ନେଇ ସେମାନଙ୍କ ପାଖରେ ଛାଡ଼ିଦେଇ ଆସିବି । ତୁମେ ଯଦି ସେଠାକୁ ଯିବାକୁ ଚାହୁଁନାହଁ, ତା’ହେଲେ ମୁଁ ସେମାନଙ୍କୁ ଏଠାକୁ ଡକେଇ ଆଣିବି ।’

‘ଏବେ ମୁଁ ସମ୍ପୂର୍ଣ୍ଣ ରୂପେ ଶାନ୍ତ ପଡ଼ିସାରିଥିଲି । ତେଣୁ ତାକୁ ବେଶ୍ ଦୃଢ଼ଭାବରେ ଉତ୍ତର ଦେଲି, ‘ମୁଁ ଯିବିନି । ତୁମେ ସବୁକଥା ଜାଣିଛ । ତଥାପି ମତେ ଯିବାକୁ କହୁଛ, କାହିଁକି?’
‘ସେତେବେଳକୁ ସେ ତା’ଜୀବନ କାହାଣୀ ମୋତେ ଶୁଣାଇ ସାରିଥିଲା । ଏବେ କେଇ କ୍ଷଣ ଲାଗି ସେ ମୋତେ ଚାହିଁରହିଲା ।

ତା’ପରେ ସେ ଆଉ କେବେ ମୋତେ ଭାରତ ଚାଲିଯିବା କଥା କହିଲାନି । ଏବେ ସାରା ଜୀବନ ମୋତେ ସେଇଠି ରହିବାର ଥିଲା ।

‘ବନ୍ଧୁ ମୋର, ଏମିତି ଘୋର ଦୁଶ୍ଚିନ୍ତା ଭିତରେ ଡୁବି ରହିଥିଲେ ସୁଦ୍ଧା ସେଦିନ ମୋ ଉଦାସ ଚେହେରାରେ ପ୍ରଥମଥର ଲାଗି ହସ ଚେନାଏ ଉକୁଟି ଉଠିଥିଲା । ଆଉ ତା’ରି ସହ ଆରମ୍ଭ
ହୋଇଥିଲା ମୋ ଜୀବନର ଦ୍ୱିତୀୟ ଅଧ୍ୟାୟ । ତା’ପରେ ଦିନେ ମୁଁ ମା’ହେଲି । ଯେତେବେଳେ ଜୀବନରେ କିଛି ଅତ୍ୟାଚାରର ସାମ୍ନା କରେ, ସେଇ ନବଜାତକର ମୁହଁକୁ ଚାହିଁ ସେସବୁ ଭୁଲିଯାଏ । ସେଇ ନିଷ୍ପାପ ଶିଶୁଟିର ଦୃଷ୍ଟିରେ ଭଗବାନଙ୍କୁ ଜଣା, କ’ଣ ମୋହକ ଶକ୍ତି ଥିଲା କେଜାଣି, ତାକୁ ଦେଖିବା ମାତ୍ରେ ମୋର ସବୁ ଦୁଃଖକଷ୍ଟ କୁଆଡ଼େ ଉଭେଇ ଯାଉଥିଲା । ହୃଦୟ ପୁଣି ଉନ୍ମାଦନାରେ ଭରି ଉଠୁଥିଲା । ଜଣେ ନାରୀର କାରାବାସର କାହାଣୀ ଏଇଠାରୁ ଆରମ୍ଭ ହୋଇଥିଲା ।

‘ପ୍ରିୟ ବନ୍ଧୁ! ଆପଣ କେବେ ଏକଥା ବିଶ୍ୱାସ କରିବେ ଯେ ଛଅମାସ ବିତୁଣୁ ନ ବିତୁଣୁ ମୁଁ ପୁଣି ଥରେ ଗର୍ଭଧାରଣ କରିଥିଲି । ମା’ ହେବାର ଆଭାସ ମୋତେ ମିଳିଥିଲା ।  ମୁଁ ମଧ୍ୟ ମୋର ଅତୀତର ଜୀବନକୁ ମନରୁ ଧୋଇ ପୋଛି ପକାଇଥିଲି । ମନରୁ ଅତୀତର ସ୍ମୃତିକୁ ପୋଛିବା କେତେ ମର୍ମାନ୍ତିକ ସେକଥା କେବଳ ଅନୁଭବୀ ହିଁ କହିପାରିବ । ସେକଥା ଏବେ କ’ଣ ଅବା
ବଖାଣିବି? ପତି ତ ମୋ’ଠାରୁ ଚାଲି ଯାଇସାରିଥିଲେ । ତାଙ୍କ ପରିବାର ମୋତେ ସ୍ୱୀକାର କରିାବକୁ ଚାହୁଁ ନ ଥିଲେ । ବାସ୍‌, କେବଳ ମୋର ମନେ ପଡ଼ୁଥିଲା ପୁଅ କଥା । କେଡେ ବିଡମ୍ବନାର କଥା -ଯିଏ ସ୍ନେହ ଓ ପ୍ରେମର ମାର୍ଗରେ ଆସିଲା – ସିଏ ଦୂରେଇଗଲା, ଆଉ ଯିଏ…

ଏବେ ସେ କାହାଣୀ ବଖାଣିବା ସେତିକି ଥାଉ । କିନ୍ତୁ ମୋର କହିବା ନ କହିବାରେ ତ ଘଟଣାର ସେଇଠି ଅନ୍ତ ଘଟିବନି । ଏଠିକାର ଲୋକମାନେ ଜାଣିଥିଲେ ଯେ ନିଜର ସମ୍ପତ୍ତିବାଡ଼ି
ବଞ୍ଚେଇବା ଲାଗି ନୂର ଧର୍ମାନ୍ତରିତ ହୋଇଥିଲା । ଏବେ ସେମାନେ ତା’ଉପରେ ଜୁଲୁମ କରିବା ଆରମ୍ଭ କଲେ । ଆଉ ଯେତେବେଳେ ସେ ଏହାର ପ୍ରତିବାଦ କଲା, ସେମାନେ ତାକୁ ଜୀବନରେ ମାରିଦେଲେ । କ୍ଷତାନ୍ତ ମନକୁ ନେଇ ପୁଣି ଥରେ ମୁଁ ରାଜରାସ୍ତାରେ ଠିଆହେଲି  ପାଷାଣ ପ୍ରତିମା ପରି । ନାରୀ ତ ଧରିତ୍ରୀର ଅନ୍ୟ ରୂପ ବୋଲି ସମସ୍ତେ କହିଥାଆନ୍ତି – ଆଉ ଧରିତ୍ରୀର ତ ନିଜର କୌଣସି ସ୍ୱର ନ ଥାଏ । ସେ ସର୍ବଂସହା । ଅନ୍ନପୂର୍ଣ୍ଣା ହୋଇ ସୁଦ୍ଧା ସେ ସମ୍ପତ୍ତିର ଅଧୀଶ୍ୱର ଆଉ କେହି ହୋଇଥାଏ – ମୁଁ ସେମିତି ଭୂଇଁରେ ପଡ଼ି ରହିଥିଲି ।

ସପ୍ତମ ଦିନ ଆଉ ଜଣେ ନୂର ଆସି ମୋ ଆଗରେ ଠିଆହେଲା । ମୁଁ ଆଖି ଖୋଲି ଚାହିଁଲି । ସେ ମୋ ସାମ୍‌ନାରେ ଠିଆ ହେଲା । ମୁଁ ଆଖି ଖୋଲି ଚାହିଁଲି । ସେ ଆସି ବସିପଡ଼ିଲା । କହିଲା – ‘ମୋ ନାଁ ଫାରୁଖୀ । ଏଠି ମୁଁ ଗୋଟିଏ କଲେଜରେ ଅଧ୍ୟାପନା କରେ । ମୋ ମନ ଭାରି ଦୁଃଖ ଯେ ବିନାକାରଣରେ ବିଚରା ନୂରକୁ ସେମାନେ ମାରିଦେଲେ । ସିଏ ମୋର ଖୁବ୍ ଘନିଷ୍ଠ ବନ୍ଧୁ ଥିଲା । ସେ ମୋତେ ଏ ଘର ଖଣ୍ଡିକ ଦେବ ବୋଲି କଥା ଦେଇଥିଲା । ନା, ଭୟ କରନା । ମୋ କଥା ପ୍ରଥମେ ଶୁଣ । ତୁମକୁ ଏ ଘରୁ ମୁଁ ତଡ଼ି ଦେବିନି । ତୁମେ ଯେତେଦିନ
ଚାହିଁବ ଏଠାରେ ରହିପାରିବ ।’

ମୁଁ କେବଳ ଡବଡବ ଆଖିରେ ଘର ଛାତକୁ ଚାହିଁ ରହିଥିଲି । ମୋତେ ଜଣାଥିଲା, ମୁଁ ଦେଖିବାକୁ ସୁନ୍ଦରୀ ।  ଗଲା ଦି’ଅଢ଼େଇ ବର୍ଷ ଭିତରେ ମୁଁ କେତେ କ’ଣ ଦୁଃଖକଷ୍ଟ ଭୋଗି ସାରିଥିଲି । କିନ୍ତୁ ଯୌବନର ଜୁଆର ଯେ ମୋ ଶରୀରରୁ ଢେଉ ପିଟିବା ଛାଡ଼ୁ ନ ଥିଲା, ତା’ର କାରଣ ମୁଁ ବୁଝିପାରୁ ନ ଥିଲି । ଏପରିକି ମୃତ୍ୟୁ ବାରମ୍ବାର ଦ୍ୱାରଦେଶ ପର୍ଯ୍ୟନ୍ତ ଆସି ପୁଣି ଲେଉଟି ଯାଉଥିଲା । ଏଥର ବି ସେଇଆ ହେଲା । ମୁଁ ଏକ ଜିଅନ୍ତା ଶବ ଭଳିଆ ସେମିତି ରହିଲି ।

ବନ୍ଧୁ ମୋର, ଆପଣ ପୁରୁଷ – ନାରୀଙ୍କ ଭିତରେ ସମାନତା ପାଇଁ, ପରସ୍ପର ପ୍ରତି ଥିବା ଆକର୍ଷଣରୁ ମୁକ୍ତି ପାଇବା କଥା କହିଛନ୍ତି । କିନ୍ତୁ ଆପଣ କେବେ ବିଶ୍ୱାସ କରିବେ ଯେ ପ୍ରଫେସର
ଫାରୁଖୀଙ୍କର ଏହି ଆକର୍ଷଣ ମୋତେ ପୁଣି ଥରେ ଜୀବନ ଦାନ ଦେଇଥିଲା । ପୁଣି ଥରେ ମୋ ଅଗଣାରେ ବସନ୍ତର ମୃଦୁମନ୍ଦ ପବନ ବହିବାକୁ ଆରମ୍ଭ କଲା । ପ୍ରତ୍ୟେକ ନାରୀ ହୃଦୟରେ ସଦାବେଳେ ଜଣେ ପୁରୁଷ ହିଁ ରହିଥାଏ । ମୋ ପାଇଁ ଫାରୁଖୀ ସତକୁ ସତ ସେଇ ପୁରୁଷ ଥିଲେ । ଆଉ ସାୟର ବି । ତାଙ୍କର ଅନେକ ସ୍ମୃତି ଆଜି ସୁଦ୍ଧା ମୋ ଅନ୍ତରାତ୍ମାକୁ ଆଲୋକିତ କରିରଖିଛି । ସେ ମୋ ପ୍ରତି ଆତି ସ୍ନେହ ଓ ସହାନୁଭୂତିପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁଥିଲେ । ମୋର ଦୁଇଟିଯାକ ସନ୍ତାନଙ୍କର ଯେମିତି କିଛି ଅଭାବ ଅସୁବିଧା ନ ହୁଏ ତା’ର ସବୁ ବନ୍ଦୋବସ୍ତ କରିଦେଇଥିଲେ ।

ଆଦର ଓ ମଣିଷପଣିଆର ପବନ ମୋ ଦେହରେ ପୁଣି ଥରେ ବାଜିବା ଆରମ୍ଭ କଲା ।  ମୋ ଅନ୍ତର ଓ ମନ ପୁଣି ନୂତନ ଉନ୍ମାଦନାରେ ଭରି ଉଠିଲା । ହୃଦୟର ସମ୍ପର୍କ ଶରୀରର ମୋହ ସହିତ ଯୋଡ଼ି ହୋଇଗଲା । ତେଣୁ ସେ ମୋତେ ନିକା କଲେ । ମୋ ନାଁ ରଖିଲେ ସୁରୈୟା । ମୋ ଜୀବନରେ ଫାରୁଖୀ ଥିଲେ ଚତୁର୍ଥ ପୁରୁଷ । ଆପଣ ଲେଖିଛନ୍ତି, ପାଶ୍ଚାତ୍ୟ ଦେଶର ନାରୀମାନେ ଅତି ସହଜରେ କହିପାରନ୍ତି – ‘ମୋର ଚତୁର୍ଥ ପତି’ । ପ୍ରାଚୀନ ଭାରତରେ ସମ୍ବତଃ କୁନ୍ତୀ କହିଥିଲେ, ‘ଇନ୍ଦ୍ର ମୋର ଚତୁର୍ଥ ପୁରୁଷ ।’

ଆଉ ଦ୍ରୌପଦୀ ତ ଏକାସଙ୍ଗେ ପାଞ୍ଚ ପାଞ୍ଚ ଜଣ ପତିଙ୍କ ପ୍ରାଣବଲ୍ଲଭା ଥିଲେ! ସେମାନେ ସମସ୍ତେ ତ ଆମର ପ୍ରାତଃସ୍ମରଣୀୟ । ପୂଜ୍ୟା! କିନ୍ତୁ ମୁଁ କ’ଣ କେବେ କହିପାରିବି, ‘ଫାରୁଖୀ ମୋର
ଚତୁର୍ଥ ସ୍ୱାମୀ ଥିଲେ?’ ଆଉ ମୁଁ ଚତୁର୍ଥ ଥର ମା’ହେବାକୁ ଯାଉଥିଲି?

ମୁଁ ପୁଣି ଥରେ ସେ ତର୍କ ଜାଲାରେ ପଶି ଯାଇଛି । କିନ୍ତୁ ଗୋଟିଏ କଥା ମୁଁ ପୂର୍ଣ୍ଣ ବିଶ୍ୱାସର ସହ କହିପାରିବି, ଯଦି ମୁଁ ମୋ ଜୀବନର ପ୍ରଥମ ପୁରୁଷଙ୍କ ସହ ରହିଥାଆନ୍ତି, ତେବେ ଚତୁର୍ଥ ଥର ମା’ ହେବା ମୋ ଲାଗି ଆନନନ୍ଦ ଓ ଉଲ୍ଲାସର ଏକ ବାତାବରଣ ସୃଷ୍ଟି କରିଥାଆନ୍ତା । ମୋ ଉପରେ ଅଜସ୍ର ଆଶୀର୍ବାଦ ବର୍ଷି ଥାଆନ୍ତା । ମାତୃତ୍ୱର ମହକ ଓ ଗୌରବରେ ମୋ କପାଳ ଚମକି ଉଠିଥାଆନ୍ତା । ଏବେ ମଧ୍ୟ ମୁଁ ମା’ ହେବାକୁ ଯାଉଥିଲି, କିନ୍ତୁ ଗର୍ବ କି ଗୌରବ ଅନୁଭବ କରିବା ଲାଗି ମୋ ପାଖରେ କିଛି ନ ଥିଲା । ଥଲା କେବଳ ଏକ ବିବସତା, ଉଦାସୀନତା ଓ ବାଧ୍ୟବାଧକତା । କିନ୍ତୁ ସେକଥା ସ୍ୱୀକାର କରିବାରେ ଆଜି ମୋ ମନରେ ସାମାନ୍ୟ ଲଜ୍ଜା ଅବା ସଂକୋଚବୋଧ ନାହିଁ ଯେ ସେଇ ପଠାନ ଯାହାର ନାଁ ସୁଦ୍ଧା ମୋତେ ଜଣା ନ ଥିଲା, ତାକୁ ଛାଡ଼ି ନୂର କି ଫାରୁଖୀ ମୋତେ ସ୍ନେହ ଆଦର ଦେଇଥିଲେ ।  ସେଇ ସ୍ନେହ ଆଦର ଚେନାକୁ ଆଦରି ମୁଁ ଜୀବନ ଜିଇଁବାକୁ ଲାଗିଲି । ମନର ଏଇ ଗହନ କଥାକୁ ଆଜି ଲୁଚେଇବାର କୌଣସି କାରଣ ନାହିଁ । କାଇଁକି ଅବା କାହା ଲାଗି ସେ ଦୁଶ୍ଚିନ୍ତାକୁ ଲୁଚେଇବି? ମଣିଷ କେବଳ ନିଜ ମନୋବଳକୁ ନେଇ ଜୀବନ  ଥାଏ । ତା’ର ମଧ୍ୟ ଅନ୍ୟର ସାହାରା ଲୋଡ଼ା । ଅନ୍ୟର ସେଇ ସମବେଦନା ତ ବେଳେବେଳେ ରାହା ଯୋଗାଇଥାଏ । କିନ୍ତୁ ସେଇ ଆନନ୍ଦ ଟିକକ ସୁଦ୍ଧା ସ୍ଥାୟୀ ନ ଥିଲା । ଅଚାନକ ଦିନେ ଫାରୁକୀ କେମିତି ଡରିଡ଼ରି ଆସି ଘରେ  କହିଲେ, ‘ସୁରେୟା, ବିରୋଧୀ ଲୋକମାନେ ସେମାନଙ୍କ କାମରେ ସଫଳ ହୋଇଗଲେ । ମୋତେ ଏଠାରୁ ବହୁ ଦୂରକୁ ଗୋଟିଏ କଲେଜକୁ ବଦଳି କରିଦିଆଯାଇଛି । ମୋତେ ଆଜି ହିଁ ସେଠାକୁ
ଯିବାକୁ ପଡ଼ିବ ।’

ମୋ ମୁଣ୍ଡରେ ସତେକି ବଜ୍ର ପଡ଼ିଲା । ତାତିଲା ତେଲ କଡ଼େଇରେ ମୁଁ ପଡ଼ିଗଲାପରି ଅନୁଭବ କଲି । ପ୍ରତିବାଦର ସ୍ୱର ତୋଳି ମୁଁ ଚିତ୍କାର କରିଉଠିଲି, ‘ନା, ମୁଁ କେବେହେଲେ ଏକାକୀ ରହି ପାରିବିନି । ମୁଁ ମଧ୍ୟ ତୁମ ସାଙ୍ଗରେ ଯିବି ।’ କିନ୍ତୁ ମୁଁ ଭଲା କେମିତି ଯାଇ ପାରିଥାଆନ୍ତି? ଏଇ ତ ଗଲା କେଇଦିନ ତଳେ ପ୍ରଫେସର ଫାରୁକୀଙ୍କ ପୁତ୍ର ସନ୍ତାନକୁ ମୁଁ ଜନ୍ମ ଦେଇଥିଲି । ସେଦିନ ରାତିରେ ଆମେ ଶାନ୍ତିରେ ଶୋଇପାରି ନ ଥିଲୁ । ସାରା ରାତି ଆମେ ସେଇ କଥା ଆଲୋଚନା କରିଚାଲିଥିଲୁ ଓ ସେ ମୋତେ ଶାନ୍ତ୍ୱନା ଦେଇ ଚାଲିଥିଲେ । ସେଦିନ
ସକାଳ ହେଉଣୁ ନ ହେଉଣୁ ସେ ଚାଲିଗଲେ । ଗଲାବେଳେ ସେ ସତ କଥା କହିଗଲେ, ‘ମୁଁ ପୁଣି ଫେରିଆସିବି । ମୁଁ ଜାଣିଛି, ଏସବୁ ମୋ ବିରୁଦ୍ଧରେ ରୀତିମତ ଷଡ଼ଯନ୍ତ୍ର । ମୋ’ଠାରୁ ଏ ଘରଟା ବି ଛଡେଇ ନିଆଯାଇଛି । ମୋ ଉପରେ ଅଭିଯୋଗ ଲଦାଯାଇଛି ଯ ମୁଁ ନୂରକୁ ହତ୍ୟାକରି ତା’ ସ୍ତ୍ରୀକୁ ବେଆଇନ ଭାବେ ପାଖରେ ରଖିଛି । ଆଉ ତୁମେ ହିନ୍ଦୁସ୍ତାନରୁ ଅପହରଣ
କରି ଅଣାଯାଇଥିବା ଜଣେ ହିନ୍ଦୁ ମହିଳା । ମୁଁ ମଧ୍ୟ ବିଦେଶୀ । ସବୁ ହାକିମ ସେମାନଙ୍କ ସପକ୍ଷରେ । ତଥାପି ମୁଁ ଫେରିଆସିବି । ତୁମ ଲାଗି ସବୁପ୍ରକାର ବନ୍ଦୋବସ୍ତ ମୁଁ କରିସାରିଛି । ସେ ପର୍ଯ୍ୟନ୍ତ ଜଣେ ଆୟା ଆସି ତୁମକୂ ସାହାଯ୍ୟ କରିବ ।’

ଏତିକି କହି ସେଶଥର ଲାଗି ମୋ କପାଳରେ ଫାରୁକୀ ଚୁମାଟିଏ ଆଙ୍କିଦେଲେ ଓ ମୋ ଆଙ୍ଗୁଳିକୁ ଧରି ମୋ ଆଖି ସହ ଆଖି ମିଳାଇ ଚାହିଁ ରହିଳଲ । ସେ ଦୃଷ୍ଟିରେ ମୁଁ ଏକ ପ୍ରେମର
ସୁଅ, ବେଦନାର ଜ୍ୱାଳା, ଓ କ୍ଷମାର ଭାବକୁ ଦେଖି ପାରୁଥିଲି । ସତେ ଯେପରି ସେସବୁ ମୋର ଧୈର୍ଯ୍ୟର ବନ୍ଧକୁ ଭାଙ୍ଗିଦେଲା । ଫାରୁକୀ ଚାଲିଯିବା ପରେ ମୁଁ ଢେର୍ ସମୟ ପର୍ଯ୍ୟନ୍ତ ଗୁମୁରି ଗୁମୁରି କାନ୍ଦିଥିଲି ।

ଫାରୁକୀ ଯିବାର ତୃତୀୟ ଦିନ । ମୁଁ ଅପେକ୍ଷାକୃତ ଶାନ୍ତ ଥିଲି । ହଠାତ୍ ମୋ ସାମ୍ନାରେ ମୁଁ ଆଉ ଜଣେ ଅପରିଚିତ ଲୋକକୁ ପାଇଲି । ସିଏ ମୁଜଫର । ତାଙ୍କ ଆଖିରେ ଦୁଷ୍ଟପଣ ଥିଲା
ଓ ଓଠରେ ମୃଦୁ ମୃଦୁ ହସ । ମୋର ଅନୁମତି ମାଗି ସେ ଘର ଭିତରକୁ ଆସିଲା । ଏଥର ବସି ପଡ଼ୁପଡ଼ୁ ସେ ଧୀର ସ୍ୱରରେ କହିଲା, ‘ମୁଁ ଭାରି ଦୁଃଖିତ । ପ୍ରଫେସର ସା’ବ୍ ତୁମକୁ ଏମିତି
ଅଚାନକ ଛାଡ଼ି ଚାଲିଗାଲ । ସେ ଆଉ ଫେରିବେ, ସେ କଥା ବିଶ୍ୱାସ ଲାଗୁନି । ତୁମେ ବରଂ ହିନ୍ଦୁସ୍ତାନ ଚାଲିଯାଅ ।’

ମୁଁ ପୁଣି ଥରେ ଜିଅନ୍ତା ଶବ ପାଲଟିଗଲି । ତଥାପି ମିଛ କହିବାକୁ ମୋ ତୁଣ୍ଡ ଲେଉଟିଲାନି । ମୁଁ ସେମିମତି ଚାହିଁ ରହିଥିଲି ସେଇ ହୃଷ୍ଟପୁଷ୍ଟ ଓ ଚଉଡ଼ା କାନ୍ଧବାଲା ପଞ୍ଜାବୀ ଯୁବବକୁ । ତା’ପରେ କହିଲି, ‘ମୁଁ କୁଆଡ଼େ ଯିବାକୁ ଚାହେଁନି । ମୁଁ କେବଳ ମରିବାକୁ ଚାହୁଁଛି ।’

ଏଥର ସେ ସେମିମତି ମୁରୁକିହସା ଦେଇ କହିଲେ, ‘ଠିକ୍ ଅଛି । ଦି’ଦିନ ପରେ ମୁଁ ତୁମକୁ ଆମ ଗାଆଁକୁ ନେଇଯିବି । କିନ୍ତୁ ସେଠାରେ ତୁମକୁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବା
ଲାଗି ମିଛ କହିବାକୁ ହେବ । ତୁମେ କହିବ, ତୁମେ ଜଣେ ମୁସଲମାନ ଖାତୁନ୍ । ହିନ୍ଦୁସ୍ତାନରେ ଲୋକମାନେ ତୁମକୁ ଅନେକ ପ୍ରକାର ନିର୍ଯର୍ାତନା ଦେଇଛନ୍ତି ଓ ତୁମେ ସେଠାରୁ ପଳେଇ
ଆସିଛ ।’

ମୋତେ ଏମିତି ଲାଗୁଥିଲା ଯେମିତି କାହିଁ କେତେ ଦୂରରୁ ସେ ଶବ୍ଦ ଆସି ମୋ ମସ୍ତିଷ୍କ ଭିତରେ କୃମି ଭଳି ପ୍ରବେଶ କରୁଛି ଓ ମୋତେ ବ୍ୟସ୍ତବିବ୍ରତ କରିପକାଉଛି । ମୁଁ ଶୁଣିଥିଲି, କୃମିମାନେ କାଳେ ମାଟି ତାଡ଼ି ଖୁବ୍ ଭଲ ଖତ ପ୍ରସ୍ତୁତ କରିଥାଆନ୍ତି । ମୁଁ ବୋଧହୁଏ ଏକଥା ଭୁଲିଯାଇଥିଲି ଯେ ଧୀରେ ଧୀରେ ମୁଁ ସେଇଭଳି ଖତସାରରେ ପରିଣତ ହୋଇଚାଲିଛି – ଭାରି ଉର୍ବର ଖତସାର । ଆଉ ସେଇ ବର୍ଜ୍ୟସାରରୁ ନାକଫଟା ଦୁର୍ଗନ୍ଧ ବାହାରୁଛି । ପୁଣି ଭାବିଲି, ଯଦି ମୁଁ ସେତିକି ବର୍ଜ୍ୟ ହୋଇପାରନ୍ତି – ଗନ୍ଧ ଛାଡ଼ୁଥାଆନ୍ତି- ତା’ହେଲେ କେହି ମୋ ପାଖ ମାଡ଼ନ୍ତେନାହିଁ ।

ପ୍ରିୟ ବନ୍ଧୁ! ଦିନେ ସତକୁ ସତ ମୁଁ ନିଜକୁ ଗୋଟିଏ ନିପଟ ମଫସଲ ଗାଆଁରେ ପାଇଲି । ସେଠାରେ ଲକ୍ଷ୍ୟ କଲି – ନାରୀ-ପୁରଷ ସମସ୍ତେ ଏକାଠି ମିଳିମିଶି ଚାଷବାସ, କ୍ଷେତବାଡ଼ି କାମ
କରୁଛନ୍ତି ଓ ହୀର୍ ରାଞ୍ଝାର ଗୀତ ମନଖୁସିରେ ଗାଇଚାଲିଛନ୍ତି । ସେମାନଙ୍କ ମନରେ କେତେ ଖୁସି, କେତେ ଆନନ୍ଦ ଭରି ରହିଥିଲା! ସେଠାକାର ସୂର୍ଯ୍ୟପିରଣ ସୁଦ୍ଧା ଦେହକୁ ଯେମିତି ଚନ୍ଦନ ଭଳି ଲାଗୁଥିଲା । ପିଲାଦିନେ ବାପା-ମା’ଙ୍କ ସାଥୀରେ ମୁଁ ଏମିମତି ଏକ ମଫସଲ ଗାଆଁ ପରିବେଶରେ ବଢ଼ିଥିଲି । ସେକଥା  ମନେ ପଡ଼ିଗଲା । ସେତେବେଳେ ମୁଁ ଜୀବନକୁ ନେଇ କେତେ ସୁନ୍ଦର ସୁନ୍ଦର ସ୍ୱପ୍ନମାନ ଦେଖିଥିଲି! ତେଣୁ ସେଇ ବାତାବରଣ ସାଙ୍ଗରେ ମିଳିମିଶି ଯିବାକୁ ମତେ ମେଶି ସମୟ ଲାଗି ନ ଥିଲା । ଏଇ ପରିଚିତ ପରିବେଶ ଓ ସ୍ନେହ ଆଦର ପୁଣି ଥରେ ମୋ ଶରୀରରେ ଯେମିତି ମଳୟ ଭରିଦେଲା! ମୋତେ ଆକର୍ଷକ ବନେଇଦେଲା । ସେତେବେଳେ ମୁଁ ମନେ ମନେ ସ୍ଥିର କରିସାରିଥିଲି ଯେ ଜୀବନରେ ଆଉ କାହାକୁ ମୋ ନିକଟତର ହେବାକୁ ଦେବିନାହିଁ । ମୋ ପାଖକୁ କିଏ ଆସିବ ଅବା ନ ଆସିବ ସେ କଥା କ’ଣ ମୋ ନିୟନ୍ତ୍ରଣରେ ଥିଲା! ସିଏ ତ ଏକ ସୁଗନ୍ଧ ଯାହାର ମହକରେ ମଧୁମକ୍ଷିକା ଅବଶ୍ୟ ଫୁଲଟି ପାଖକୁ ଆସିବ । ପୁରୁଷ- ନାରୀ ଭିତରେ ମଧ୍ୟ ସେଇ ମୋହକ ଶକ୍ତି କାମ କରିଥାଏ । ସୁଗନ୍ଧ ଯାହାଠାରୁ ଆଗ ବାହାରୁ ନା କାହିଁକି, ଅନ୍ୟକୁ ତ ତା’ ଆଡ଼କୁ ଆକର୍ଷଣ କରିବା ସୁନିଶ୍ଚିତ ।

ଫାରୁଖୀ ଏଇ ସ୍ୱାଭାବିକ ଆକର୍ଷଣକୁ କେତେ କେତେ ନାଁ ଦେଉଥିଲା । କିନ୍ତୁ ମୁଜଫର ପାଖରେ ସେଭଳି ଶବ୍ଦ ନ ଥିଲା । ତା’ ଆଖିର ଦୁଷ୍ଟ ଚାହାଣି, ତା’ ଓଠର ହସ ଓ ପୂରିଲା ପୂରିଲା ଶରୀର ଏତେ ମୋହକ ଥିଲା ଯେ ତାକୁ ଯିଏ ଚାହିଁବ ତା’ ଆଖି ଲାଖରହିବ ।

ଆଉ ତା’ର ପରିଣାମ ଯାହା ହେବା କଥା ସେଇଆ ଇ ହେଲା – ନାରୀଟିଏ ପୁଣି ମା’ ହେବାର ସୌଭାଗ୍ୟ ଲାଭ କଲା । ଏଥର ଯାଆଁଳା ସନ୍ତାନର ମା’ । ନିୟତିର ବ୍ୟଙ୍ଗ ଭାରି କ୍ରୂର । ଏପେ ମୁଁ ପାଞ୍ଚ ପାଞ୍ଚଟି ସନ୍ତାନର ଜନନୀ । କୁନ୍ତୀଙ୍କର ବି ତ ପାଞ୍ଚ ପୁତ୍ର ଥିଲେ । ଆଉ ଷଷ୍ଠ, ଯିଏ ବିବାହ ପୂର୍ବରୁ ଥିଲା, ତାକୁ ତ ସେ ନିଜେ ତ୍ୟାଗ କରିଦେଇଥିଲେ । ମୋର ବି ଷଷ୍ଟ ସନ୍ତାନ ଅଛି- ମୋ ପ୍ରେମର ପ୍ରତୀକ । କିନ୍ତୁ ତାକୁ ମୋ’ଠାରୁ ଛଡ଼େଇ ନିଆଯାଇଥିଲା ।

ମୋ ସନ୍ତାନ ମାନଙ୍କ ନାଁ ତ ଆପଣଙ୍କୁ ମୁଁ କହିନାହିଁ । କହିବାର କିଛି ଆବଶ୍ୟକତା ମଧ୍ୟ ନାହିଁ । ହେଲେ ଏଠାରେ ନାଁ ବିନା ତ କିଛି ଚଳେନି । ତେଣୁ ଧରିନିଅନ୍ତୁ, ସେମାନଙ୍କ ନାଁ ହେଲା –
ଅନବର, ଅସରଫ, ଅସଗର, ଅହମ୍ମଦ ଓ ଅଲ୍ଲୀ । ଆପଣ ପଚାରି ପାରନ୍ତି, ‘ଆଉ ଷଷ୍ଠ ସନ୍ତାନର ନାଁ?’ ଯେତେବେଳେ ସେ ପୁଆ ଆଉ ମୋର ହୋଇ ନାହିଁ, ତା’ ନାଁ ମନେରଖି କରିବି କ’ଣ? ତଥାପି ତା’ନାଁ ଥିଲା ଅସୀମ ।

ପ୍ରିୟ ବନ୍ଧୁ! ମୋ ଜୀବନଚକ୍ର ଏମିତି ଘୂରି ଚାଲିଥିଲା । ସେ ଗାଆଁ ଲୋକଙ୍କ ନଜରରେ ମୁଁ ଥିଲି ପାଞ୍ଚ ପାଞ୍ଚଟି ସନ୍ତାନର ଜନନୀ । ନିଜକୁ ବେଶ୍ ଭାଗ୍ୟବତୀ ବୋଲି ଭାବୁଥିଲି, ଖୁସିରେ ଜୀବନ ବିତାଉଥିଲି । ମୋ ନିଗଡ଼ ସୌନ୍ଦର୍ଯ୍ୟରେ ମୁଜଫର ଗୋଟାପଣେ ବିମୁଗ୍ଧ ଥିଲା । କିନ୍ତୁ ଏକଥା କାହାକୁ ଜଣା ନ ଥିଲା ଯ ସେଇ ସୁଖ ଓ ସୌନ୍ଦର୍ଯ୍ୟଭରା ନାରୀଟି ଥିଲା କେବଳ
ଏକ ଜୀବନ ଲାସ୍ । ସଂସ୍କାର ଓ ସଭ୍ୟତାର ଆବରଣରୁ ମୁକ୍ତ ଏକ ସଖୀ କଣ୍ଢେଇ ଯିଏ ଭାଗବାନଙ୍କୁ ଜଣା ନିୟତିର କେଉଁ ଇସାରାରେ ଏସବୁ କରିବା ଲାଗି ବିବଶ ଥିଲା । ବାଧ୍ୟ ଥିଲା ।
ଏହା ପଛରେ ପୁରୁଷ- ନାରୀଙ୍କ ଭିତରେ ଥିବା ଶାଶ୍ୱତ ସମ୍ପର୍କ ଅବା ଭୟଙ୍କର ପରିସ୍ଥିତିମାନ ଥିଲା ଯାହା ମୁଁ ମୋ ଇଚ୍ଛା ବିରୁଦ୍ଧରେ ମଧ୍ୟ ସାମ୍‌ନା କରିଚାଲିଥିଲି । ଆଉ ମୋ ଉପରେ
ସ୍ୱାମୀତ୍ୱ ଜାହିର କରୁଥିବା ପ୍ରତିଟି ପୁରୁଷକୁ ମୁଁ ପ୍ରେମ କରିବାର ଅଭିନୟ କରିଚାଲିଥିଲି । ତେବେ ଛଳନା ଓ ଅଭିନୟ କରିବାର ବି ଗୋଟିଏ ସୀମା ଅଛି । ଭିତରେ ଭିତରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି ଓ ମନେମନେ ସ୍ଥିର କରିନେଇଥିଲି ଯେ ଏଇ ଊର୍ବର ଭୂମିରେ ମୋର ମୋର ଅବଶିଷ୍ଟ ଜୀବନ ବିତେଇଦେବି । ମୁଁ ମୁଜଫରର ବିବି, ଏବଂ ସାରା ଜୀବନ ତା’ର
ହୋଇ ରହିବି । ପଣ୍ଡୁଙ୍କ ପରି ସେ ମୋର ପାଞ୍ଚ ପୁଅଙ୍କ ବାପା ବୋଲି ପରିଚିତ ହେବେ । ଆଉ ଏମିତି ଭାବରେ ମୁଁ ଜୀବନ ବିତେଇଦେବି । ବୁଢ଼ୀ ହୋଇ ମରିଲା ପରେ ମୋ ସନ୍ତାନମାନେ ମୋତେ ଏଇ ଭୂଇଁରେ କବର ଦେଇଦେବେ । ମନ୍ତ୍ରପାଠ ନ ହେଲେ ନାହିଁ କୋରାନ ସରିଫ୍ ପାଠରେ ତ ମୋରତ ଦଫନ୍ ଦେବେ । କିନ୍ତୁ କୁରୁକ୍ଷେତ୍ର ଯୁଦ୍ଧ ସେପର୍ଯ୍ୟନ୍ତ ଶେଷ ହୋଇ ନ ଥିଲା । ସେଦିନ ମୁଜଫର ଘରକୁ ଫେରିବାବେଳେ କାଇଁକି ଖୁବ୍ ଦୁଶ୍ଚିନ୍ତାରେ ଥିବାପରି ଲାଗୁଥିଲେ । ଶେଷରେ ସେ ମୋତେ କହିଲେ, ‘ତୁମେ

ଆଉ ଏଠାରେ ରହି ପାରିବନି । ତୁମକୁ ସେଇ ଦୂରରେ ଦିଶୁଥିବା ପାହାଡ ଆରପଟକୁ ଯିବାକୁ ପଡ଼ିବ । ତୁମ ଦେଶର ଲୋକମାନେ ତୁମରି ଭଳିଆ ନିଖୋଜ ମହିଳାମାନଙ୍କୁ ଖୋଜାଖୋଜି କରୁଛନ୍ତି । ସେମାନଙ୍କ ମନରେ ସନ୍ଦେହ ହୋଇସାରିଛି ଯେ ଆମ ଗାଆଁରେ ସେଇଭଳି ଜଣେ ମହିଳା ଅଛି ।’

ଏଇ କଥା ସେ କେତେଥର କହିଲେ । ମୁଁ ଆଉ ନୀରବ ରହି ପାରିଲିନି । ତଥାପି କିଛି କହି ସୁଦ୍ଧା ପାରିଲିନି । କେବଳ ଯାହା ପାଷାଣ ପ୍ରତିମା ପରି ତାକୁ ଚାହିଁ ରହିଲି । ସେ ମୋତେ ପୁଣି ଥରେ କୋଳକୁ ଆଉଜେଇ ନେଇ ଭିଡ଼ିଧରିଲେ ଓ କହିଲେ, ‘ତୁମେ ମୋଟେ ବ୍ୟସ୍ତ ହୁଅନା । ମୁଁ ତୁମଲାଗି ସବୁପ୍ରକାର ବନ୍ଦୋବସ୍ତ କରିସାରିଛି । ସେଠାରେ ମୋର ଜଣେ ବନ୍ଧୁ ମଧ୍ୟ
ଅଛି ।’

‘ତୁମେ ମୋ ସାଥୀରେ ଯିବନି?’ ‘ଏବେ ତ ନୁହେଁ … ହେଲେ ଆସିବି ।

ପ୍ରତି ଥର ଭାଗ୍ୟ ମୋ ସାଙ୍ଗରେ ଏମିତି ଛଳ କରିଚାଲିଥିଲା । ମୋତେ କାହିଁକି ବାରମ୍ବାର ଲାଗୁଥିଲା ଯେ ମୁଁ ନିଜେ ନିଜକୁ ହତ୍ୟା କରିଚାଲିଛି । ମୁଁ ପ୍ରତିଥର ନିଜକୁ ସେଇ ଗୋଟିଏ
ପ୍ରଶ୍ନ ପଚାରୁଥିଲି- ‘ତୁ କ’ଣ ଅତୀତର ସେଇ ମଣିଏ?’ ସେଇଦିନ ରାତିରେ, କିଟିମିଟି ଅନ୍ଧାର ଭିତରେ କାହାକୁ ନ କହି, ନ ଭେଟି, ନିଜର ପାଞ୍ଚଟିଯାକ ଛୁଆଙ୍କୁ ଧରି ମୁଁ ଚୁପ୍‌ଚାପ୍ ଏକ ଅଜଣା ମୁଲକ ଅଭିମୁଖେ ଯାତ୍ରା ଆରମ୍ଭ କଲି । ଅହମ୍ମଦ ଓ ଅଲ୍ଲୀ ସେତେବେଳକୁ ବର୍ଷକର ଲେଖାଏଁ ହୋଇସାରିଥିଲେ । ଅସଗର, ଅସରଫ ଓ ଅନବରଙ୍କୁ ସେମିତି ଦୁଇ, ତିନି ଓ ଚାରିବର୍ଷ ପୂରି ସାରିଥିଲା । ଆଉ ଆପଣ ସେକଥା ବିଶ୍ୱାସ ସୁଦ୍ଧା କରିବେନି, ପୂରା ତିନିବର୍ଷ ପର୍ଯ୍ୟନ୍ତୁ ମୁଁ ଏଠୁ ସେଠିକି, ସେଠାରୁ ଆଉ କୁଆଡ଼େ ଘୂରି ଚାଲିଲି । କୌଣସି ସ୍ଥାନରେ ତିନି ଚାରି ମାସରୁ ଅôଧକ ସମୟ ରହିପାରିଲିନି । ବର୍ଷ ତମାମ ମୁଜଫର ସହିତ ସମ୍ପର୍କ କାଏମ ରହିଥିଲା । ତା’ପରେ ସିଏ ବି ଆଉ ଆସିଲେନି । ମୁଁ ବୁଝିପାରୁ ନ ଥିଲି ଏସବୁ ଘଟଣା ଏମିତି ଅଚାନକ ଘଟୁଥିଲା ନା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବରେ ରଚାଯାଉଥିଲା! ମୁଁ କେବଳ ଗୋଟିଏ ଭ୍ରମ ଭିତରେ ଜୀବନ ବଞ୍ଚୁଥିଲି । ବେସାହାରା, ବିନା କୌଣସି ଘରଦ୍ୱାର, ମୁଁ ଶେଷକୁ ଦାଣ୍ଡରେ ଭିକ ମାଗିବାକୁ ବାଧ୍ୟ ହୋଇଥିଲି । ଆପଣ ପଚାରି ପାରନ୍ତି, ମୋ ରୂପ ଯୌବନ କ’ଣ ଆଉ କାହାକୁ ଆକର୍ଷିତ କରୁ ନ ଥିଲା?

କେହି ସେ ମୋହରେ ପଡ଼ି ନ ଥିଲେ? ହଁ, କରିଥିଲା । କିନ୍ତୁ କାଇଁକି କେଜାଣି, ମୋ ଭିତରେ ଏକପ୍ରକାର ଅନ୍ଧଚେତନା ମୁଣ୍ଡ ଟେକିଥିଲା । ବୁଝିହେଉ ନ ଥିବା ଏକ ବିଦ୍ରୋହ ଯାହା ଉଚିତ ଅବସର ଆସିବା ଆଗରୁ ମୋତ ସେଠାରୁ ପଳାଇଯିବାକୁ ଏକ ପ୍ରକାର ବିବଶ କରିପକାଇଥିଲା । ନିଜକୁ ବଞ୍ଚାଇବା ସକାଶେ ମୁଁ ମୋତେ ଓ ମୋର ପାଞ୍ଚ ପାଞ୍ଚଟି ପିଲାଙ୍କୁ ବାରମ୍ବାର ବିପଦ ମୁହଁକୁ ଠେଲି ଦେଇଥିଲି… ଏଭଳି ଦୀର୍ଘ ଯାତନାମୟ ଜୀବନ କାହାଣୀ ଶୁଣି ଆପଣ ଭଲା କ’ଣ କରିବେ? କେବଳ ଏତିକି ଜାଣନ୍ତୁ ଯେ ମୁଜଫରର ଘର ଛାଡ଼ିବାର ତିନିବର୍ଷ ପରେ ମୁଁ ନିଜକୁ ପେଶାୱରରେ ଆବିଷ୍କାର କଲି । ସେତେବେଳକୁ ନା ମୋ ପାଖରେ ଥିଲା ରୂପ, ନା ଥିଲା ଯୌବନ । ତଥାପି ସେମିତି ସଂଘର୍ଷ ଜାରି ରଖି ଆଗକୁ ଚାଲିବାର ଦୁର୍ବାର ଲାଳସା ମୋ ଭିତରୁ ମରି ନ ଥିଲା କି ସରି ନ ଥିଲା । ନା ଏମିତି କହିବି ଯେ ସଦାବେଳେ ଏମିତି ବିପଦ ସହିତ ଲଢ଼ି ଲଢ଼ି ମୋ ମନର ଶକ୍ତି ଦିନକୁ ଦିନ ବଢ଼ି ଚାଲିଥିଲା ।

ବନ୍ଧୁ ମୋର! ଏଇଠି ଏଭଳି ଅଘଟନ ଘଟିଗଲା ଯାହାକୁ ଘଟିବା ଲାଗି ନ ଦେବା ସକାଶେ ମୁଁ ଏପର୍ଯ୍ୟନ୍ତ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଘୂରି ଚାଲିଥିଲି । ଅନବର୍‌କୁ
ସେତେବେଳେ ସାତବର୍ଷ ହୋଇଥିଲା । ଦୁଃଖ ଓ କଷ୍ଟର ସେଇ ପାରାବାର ତା’ମନରେ ଅଦ୍ଭୁତ ସମ୍ବେଦନା ସୃଷ୍ଟି କରିଥିଲା । କିନ୍ତୁ ସେଇ ତ ଏକା କାଢ଼ିବାକୁ ସକ୍ଷମ ଥିଲା । ମୋ ଦୁଃଖକଷ୍‌ଟରେ ସହଭାଗୀ ହେଉଥିଲା । ଭିକ ମାଗି ଆଣୁଥିଲା । ସୁଯୋଗ ପାଇଲେ ଛୋଟମୋଟ କାମ ବି କରୁଥିଲା । ତା’ମନରେ ଏଭଳି ଚେତନା କେଉଁଠୁ ଆସିଲା – ମୁଁ ମନେ ମନେ
ଆଶ୍ଚର୍ଯ୍ୟ ହେଉଥିଲି । ପ୍ରେମ ଓ ଘୃଣାର ଏ ଜାଲର ଆଦି ଅନ୍ତ ମୁଁ ପାଉ ନ ଥିଲି – ଅବୋଧ୍ୟ । ତେବେ ସେ ଯାହାହେଉ, ଏବେ ସେ ମୋ ସାଙ୍ଗରେ ସାଥୀ ହୋଇ ସାରିଥିଲା । ଏଭଳି ଏକ ଯାତ୍ରାର ସାଥୀ ଯାହାର ଆଗ ପାହୁଣ୍ଡରେ କେତେ ବିପଦ ଅଛି ସେକଥା ସୁଦ୍ଧା ଆମକୁ ଜଣା ନ ଥିଲା ।

ବନ୍ଧୁ ମୋର! ଯେଉଁ ଭୟରେ ମୁଜଫର ଆଣି ମୋତେ ଏ ପାହାଡ଼ୀ ଗାଆଁରେ ଲୁଚାଇ ରଖିଥିଲା, ତା’ରି ପିଛା କରି ସେଇ ଡର ଆସି ସେଠାରେ ହାଜର ହୋଇଯାଇଥିଲା । ହିନ୍ଦୁସ୍ତାନର
ଲୋକମାନେ ଏଇ ଇଲାକାରେ ବିଶେଷ ଭାବେ ସକ୍ରିୟ ଥିଲେ । ନିୟତି ମଧ୍ୟ ଆମ ସାଙ୍ଗରେ ବିଚିତ୍ର ପ୍ରକାର ଖେଳ ଖେଳି ଚାଲିଥିଲା । ଭାଗ୍ୟ ଦିନେ ଅନବର୍‌କୁ ସେଇମାନଙ୍କ ନିକଟକୁ
ପଠେଇଦେଲା । ସେ ଜାଣିଥିଲା ଯେ ଦିନେ ମୁଁ ହିନ୍ଦୁ ଥିଲି । କିନ୍ତୁ ତା’ସହିତ କଥୋପକଥନ ବେଳେ ଯେତେବେଳେ ସେମାନେ ଜାଣିବାକୁ ପାଇଥିଲେ ଯେ ଆମେ କେଇବର୍ଷ ଧରି ଏମିତି ଉଦ୍‌ବାସ୍ତୁ ହୋଇ ଘୂରି ବୁଲୁଛୁ ସେମାନଙ୍କ ମନରେ ସନ୍ଦେହ ଜନ୍ମିଥିଲା । ସେଇ ଆଶଙ୍କା ସେମାନଙ୍କୁ ମୋ ନିକଟକୁ ଟାଣି ଆଣିଥିଲା । ଆଶ୍ଚର୍ଯ୍ୟ!

ସେମାନଙ୍କ ନିକଟରେ ମୋର ଫଟୋ ଥିଲା ଏବଂ ସମ୍ପୂର୍ଣ୍ଣ ପରିଚୟ ବିବରଣୀ । ମୋ ଆଖି ଏଠାରେ ସୁଦ୍ଧା ମୋତେ ଧୋକା ଦେଲା । ସେମାନେ ‘ସୁରେୟା’ ବେଶରେ ଥିବା ‘ପ୍ରତିମା’କୁ ଚିହ୍ନି ପାରିଥିଲେ । ମୋ ହାତମୁଠାରୁ ବାଲି ଭଳି ଆଉ ଗୋଟିଏ ଜୀବନ ଖସିଗଲା । ପୁଣି ଥରେ ମୁଁ ମରିବାକୁ ଚାହିଁଲି ।

ଚାହିଁଲି, ମୋର ସବୁ ପିଲାଙ୍କୁ ଧରି ଭରା ନଈକୁ ଡେଇଁପଡ଼ିବି । କିନ୍ତୁ ବାସ୍ତବତା ହେଲା ଏଇଆ ଯେ ମୁଁ କ୍ରୋଧରେ ଥରିଉଠିଲି ଓ ବିଚରା ଅନବର୍‌କୁ ମନଇଚ୍ଛା ପିଟିଲି । ସେ ଚିର୍‌ଚିରେଇ କାନ୍ଦିଉଠିଲା ଓ ତା’ରି ଭିତରେ କୋହଭରା କଣ୍ଠରେ କହି ଚାଲିଥିଲା, ‘ଅମ୍ମି, ମୁଁ ସେମାନଙ୍କୁ କିଛି କହି ନ ଥିଲି । କିଛି ଜଣେଇ ନ ଥିଲି । ସତ କହୁଚି ଅମ୍ମି!’

ସେଦିନ ରାତିରେ ସେଇ ନିରୀହ,ନିଷ୍ପାପ ଛୁଆଟିକୁ ଛାତିରେ ଜାକିଧରି ମୁଁ କେତେ କାନ୍ଦିଛି, ସେକଥା କେବଳ ମୁଁ ଜାଣିଛି । ମୋ ଆଖିରୁ ଲୁହ ପୋଛିଦେବା ଲାଗି କି ମୋତେ ଆହା ବୋଲି କହିବାକୁ କେହି ନ ଥିଲେ । ପ୍ରିୟ ବନ୍ଧୁ! ପ୍ରତିମା ଠାରୁ ସୁରୈୟା ପର୍ଯ୍ୟନ୍ତ ଏ ଯାତ୍ରା ନାରୀଟିଏ ହେବାର ତ୍ରାସଦ ଯାତ୍ରା ହିଁ ଥିଲା । ପୁରୁଷ ନାରୀଙ୍କ ସମ୍ପର୍କରେ ନାରୀ ଭାଗରେ କେବଳ ଯନ୍ତ୍ରଣା, ଘୃଣା ହି ଯୁଟିଥାଏ ଯାହା ବାରମ୍ବାର ତା’ର ଆସ୍ଥା ଓ ବିଶ୍ୱାସକୁ ଉପାଡ଼ି ଫୋପାଡ଼ି ଦେଇଥାଏ ।

କାହାଣୀର ଅନ୍ତିମ ପର୍ବ ଆସି ପହଞ୍ôଚ ସାରିଥିଲା । ହଠାତ୍ ଦିନେ ମୁଁ ନିଜକୁ ଏହି ନାରୀ ନିକେତନରେ ଆବିଷ୍କାର କଲି ,  ଅର୍ଦ୍ଧମୃତ, ନିରାଶ୍ରୟ, ଚଟାଣ ଉପରେ ପଡ଼ିଥିବା ଏକ ଜିଅନ୍ତା ଶବ । କେତେ ଯେ ଜୀବନ ବଞ୍ôଚ ସାରିଥିଲି! ବୋଧହୁଏ ଏଇ ଅନ୍ତ ସମୟ, ଏଭଳି ଅନ୍ତ ଯାହା ‘ଅନନ୍ତ’! ମୁଁ ପୁଣି ଥରେ ପ୍ରତିମା ପାଲଟି ଯାଇଥିଲି । ପ୍ରସ୍ତର ପ୍ରତିମା, ଯାହାର ଗୋଟିଏ ଗୋଟିଏ ଅଙ୍ଗକୁ ଚ୍ଛେଦନ କରି ଦିଆଯାଇଥିଲା, ଯାହାର ଆତ୍ମା ଭିତରେ ହଜାର ହଜାର ଛିଦ୍ର; ଯାହାକୁ ଏ ଦେଶର ଭାଷାରେ ଜଣେ ପାପିଷ୍ଠା, ଦୁରାଚାରିଣୀ ଏବଂ କଳଙ୍କିନୀ ବୋଲି ନାମିତ କରାଯାଇପାରେ! ଆଉ ତା’ର ଚାକ୍ଷୁସ ପ୍ରମାଣ ହେଲେ ତା’ର ପାଞ୍ଚ ପାଞ୍ଚଟି ନିରୀହ ସନ୍ତାନ, ଯାହାଙ୍କୁ ମୁଁ ମୋ ଶରୀରକୁ ଟିକିଟିକି ଖଣ୍ଡ କରି ଜନ୍ମ ଦେଇଥିଲି । ଏଇ ଆଶ୍ରମରେ ପୁଣି ଥରେ ସେମାନଙ୍କ ନାମକରଣ କରାଗଲା । ସେମାନେ ଏବେ ଅନବର, ଅଶରଫ, ଅସଗର , ଅହମ୍ମଦ ଓ ଅଲ୍ଲୀ ହୋଇ ରହିଲେନାହିଁ । ସେମାନେ ପାଲଟିଗଲେ ଅନୀଲ, ଅଶାକ, ଅସିତ,
ଅମିତ ଓ ଅଜିତ । ସମ୍ଭବତଃ ତାହାହିଁ ଥିଲା ଅବଧାରିତ ଏବଂ ସେମାନେ ଅଧିକ ତୀରସ୍କୃତ, ଅପମାନିକ ତଥା ଘୃଣାର ପାତ୍ର ହେବାର ସହଜ ଉପାୟ ।

ଏମିତି ଦିନେ ସଞ୍ଚାଳିକା ମୋ ନିକଟକୁ ଆସି କହିଲେ, ‘ତୁମ ଶାଶୁଘର ଲୋକଙ୍କୁ ଆମେ ଖବର ଦେଇଛୁ । କିନ୍ତୁ ସେମାନେ କିଏ ଆସିବେ, ସେମିତି ସମ୍ଭବନା ଲାଗୁନି । ସେମାନଙ୍କ କହିବା
ଅନୁସାରେ ଆମେ ତୁମକୁ ଖୋଜାଖୋଜି କରି ନ ଥିଲୁ, ବରଂ ତୁମ ବାପାମା’ଙ୍କ ଅନୁରୋଧକ୍ରମେ ଆମେ ଏହା କରିଥିଲୁ ।’ ମୁଁ ସେମାନଙ୍କୁ ତୁରନ୍ତ ଉତ୍ତର ଦେଇଥିଲି, ‘ମୋତେ ନେବାକୁ କିଏ ଆସିବ, କିଏ ନ ଆସିବ, ସେକଥା ମୁଁ ଚିନ୍ତା କରୁନି । କିନ୍ତୁ ଏକଥା ଜାଣିବାର ଅଧିକାର ମୋର ଅଛି ଯେ ଆମକୁ ଏଠାକୁ କାହିିଁକି ଅଣାଗଲା? ଆମକୁ ଅପମାନିତ କରିବାର ଅଧିକାର ଆପଣମାନଙ୍କୁ ଦେଲା କିଏ?’ ଆଶ୍ରମ ସଞ୍ଚାଳିକା ସାମାନ୍ୟ ହସି ଜବାବ ଦେଲେ, ‘ଏହା ଦେଶର ପ୍ରତିଷ୍ଠା ଓ ଆତ୍ମସମ୍ମାନର ପ୍ରସଙ୍ଗ ଥିଲା ।’

ଆପଣ ତ ଜଣେ ସ୍ରଷ୍ଟା । ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରି ପାରେ କି? ମଣିଷକୁ ଅପମାନିଚ କରି କିଏ କେମିତି ଭଲା ପ୍ରତିଷ୍ଠା ଅର୍ଜନ କରିପାରିବ? ସେଠାରେ ମୁଁ ଯେମିତି ଥାଏ ନା କାହିଁକି, କାହାର ଘୃଣାର ପାତ୍ର ନ ଥିଲି । ମା’କୁ ଈଶ୍ୱରଙ୍କ ସମକକ୍ଷ ବୋଲି ମାନୁଥିବା ଦେଶର ନାରୀର ଅପମାନ କ’ଣ ଏକଥାକୁ ପ୍ରମାଣସିଦ୍ଧ କରୁଛି? ଏକଥା କ’ଣ ଆପଣଙ୍କୁ ଆମେ କହିବାକୁ ପଡ଼ିବ?’ ସଞ୍ଚାଳିକା ଠିକ କଥା କହିଥିଲେ । ମୋ ଶ୍ୱଶୁରଘର ଲୋକ କେହି ମୋତେ ନେବାକୁ ଆସି ନ ଥିଲେ । ଭେଟିବାକୁ କେବଳ ଆସିଥିଲେ ମୋ ବାପା, କିନ୍ତୁ ସିଏ ବି ଭେଟିବାର ସହାସ ମନରେ କୁଳେଇ ପାରି ନ ଥିଲେ । ମୋ ଦୁଃଖ ଓ ଦୁର୍ଦଶାର କାହାଣୀ ସେ ଶୁଣି ସାରିଥିଲେ । ଏସବୁ ଘଟନା ପରେ ପାପୀନୀ ଝିଅ ସହିତ ସେ କେମିତି ଭଲା ଆଖିକୁ ଆଖି ମିଳାଇ ପାରିଥାଆନ୍ତେ?

ସଞ୍ଚାଳିକା କହୁଥିଲେ, ସେ କେବଳ ଦୂରରୁ ମୋତେ ନିରୀକ୍ଷଣ କଲେ, ଆଖିରୁ ଲୁହ ଗଡ଼େଇଲେ, ଆଉ ସେଇଠାରୁ ଲେଉଟି ଯାଇଥିଲେ । ପରେ ସେ ମୋ ପାଖକୁ ହଜାରେ ଟଙ୍କା ପଠାଇଥିଲେ ଯେ କୌଣସି ଗୋଟିଏ ଦୂର ଗାଆକୁ ଯାଇ ସେଠାରେ ମୁଁ ରହିପାରିବି ଓ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବି । ଦରକାର ପଡ଼ିଲେ ସେ ଆହୁରି ଟଙ୍କା ପଠେଇବେ
ବୋଲି ମଧ୍ୟ ଆଶ୍ୱାସନା ଦେଇଥିଲେ । ସେ ଚାହୁଁ ନ ଥିଲେ ଯେ ମୋ’ ମୋର ଏଭଳି ଦୁର୍ଦଶା ବିଷୟରେ କିଛି ଶୁଣୁ ଓ ଜାଣୁ ।

ଏସବୁ କଥା ଶୁଣି ମୁଁ ମନେ ମନେ ହସିଲି । କାରଣ, ଏବେ ଆଉ ଏମିତି କଥାରେ ମୋ ଆଖିରୁ ଲୁହ ଆସୁ ନ ଥିଲା । ପଣ୍ଡିତ, ବିଜ୍ଞ ଲୋକମାନେ ଏହାକୁ ଯୋଗସିଦ୍ଧିର ସ୍ଥିତି ବୋଲି
କହିଥାଆନ୍ତି । ଶାସ୍ତ୍ରରେ ତ ଏହାକୁ ସିଦ୍ଧି ଅବସ୍ଥା ବୋଲି କୁହାଯାଇଥିବା ମୁଁ ଶୁଣିଥିଲି । ଏକଥା ମଧ୍ୟ କୁହାଯାଇପାରେ ଯେ ମଣିଷ କିଛି କରୁନି । ପ୍ରକୃତି ମଣିଷକୁ ନିଜ କାମରେ ଯୋଚି ଦେଇଛି । ମାନେ, ଆମେ କୌଣସି ଜଣେ ଯନ୍ତ୍ରୀ ହାତରେ କ୍ରୀଡ଼ନକ ସାଜିଥିବା କଣ୍ଢେଇଟିଏ ପରି! ତାଙ୍କରି ଶକ୍ତିରେ ଆମେ ସଭିଏଁ ପରିଚାଳିତ । ତା’ହେଲେ ଏ ଲୋକମାନେ ମୋତେ
କାଇଁକି ଏତେ ଘୃଣା କରୁଛନ୍ତି? କାହିଁକି ମୋର ପ୍ରିୟ ବନ୍ଧୁ…?’ କିନ୍ତୁ ଏଭଳି ପ୍ରଶ୍ନୀଳ ଭାବନାଏଇଠି ଥାଉ । ଏବେ ତ କାହାଣୀର ଚରମ ଉତ୍କର୍ଷ ଆସିବାକୁ ବାକି ଅଛି । ଆଉ ମୋର ମଧ୍ୟ ଆହୁରି ଦୁଃଖ ଓ ଯାତନାର ହଳାହଳ ପିଇବାକୁ ବାକି ଅଛି । ପ୍ରତି ଦି’ତିନିଦିନ ଅନ୍ତରରେ ମୁଁ ଅନୁଭବ କରୁଥିଲି ଯେ ମୋତେ ଓ ମୋ ପିଲାମାନଙ୍କୁ ଦେଖିବାଲାଗି କେହି ନା କେହି
ଚୁପ୍‌ଚାପ୍ ଆସୁଛନ୍ତି । ସଞ୍ଚାଳିକା ସହିତ ଚୁପି ଚୁପି କଥା ହେଉଛନ୍ତି । ଦିନେ ସଞ୍ଚାଳିକା ଅଚାନକ ମୋତେ କଚାରିଲେ,

‘ତୁମେ ଆଶ୍ରମ ଛାଡ଼ି ଅନ୍ୟତ୍ର କୁଆଡ଼େ ଯିବାକୁ ଚାହୁଁଛ କି?’

ଯନ୍ତ୍ରବତ୍ ମୁଁ ତାଙ୍କ ମୁହଁକୁ ଦଣ୍ଡେ ଚାହିିଁ ଉତ୍ତର ଦେଲି, ‘ହଁ’ । ସେ କହିଲେ, ‘ତୁମ ଲାଗି ମୁଁ ଦୂରରେ ଥିବା ଗୋଟିଏ ପାହାଡୀ ଗାଆଁରେ ରହିବାର ସବୁ ବନ୍ଦୋବସ୍ତ କରିଛି । ସେ ଗାଆଁ
ସ୍କୁଲରେ ତୁମେ ତୁମର ପିଲାମାନଙ୍କୁ ପଢ଼େଇ ପାରିବ । ହସ୍ତକଳାରେ ତୁ ତୁମେ ନିପୂଣା । ତେଣୁ ଗାଆଁର ମହିଳାମାନଙ୍କୁ ତୁମେ ସେସବୁ ତାଲିମ ଦେଇପାରିବ । କିନ୍ତୁ ପିଲାମାନଙ୍କୁ ପାଳିବ
କେମିତି? ତୁମେ କ’ଣ ଚାହିଁବ ଯେ ସେମାନଙ୍କ ଭିତରୁ କେଇଜଣଙ୍କୁ କିଛି ଭଲ ପରିବାରର ଲୋକ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ?’

ସେଇ ଦିନ ମୋ ଭିତରେ ଏତେବର୍ଷ ଧରି ସୁପ୍ତ ଥିବା ନାଗୁଣୀଟି ହଠାତ୍ ଜାଗି ଉଠିଥିଲା । ଭାବାବେଗ ଏତେ ପ୍ରବଳ ହୋଇପଡ଼ିଲା ଯେ ଯେ ତୁଣ୍ଡରୁ ସହସା କିଛି ବାକ୍ୟ ସ୍ଫୂରିଲାନି ।
ଇଚ୍ଛା ହେଉଥିଲା ତାଙ୍କୁ ଦି’ଧକ୍କା ଦେଇ କୋଠରୀରୁ ବାହାର କରିଦେବି ।

ସଞ୍ଚାଳିକା ମୋ ପ୍ରତି ସଦାବେଳେ ଅତିରିକ୍ତ ସହାନୁଭୂତିଶୀଳ ଥିଲେ । କିନ୍ତୁ ହଠାତ୍ ମୋ’ଠାରେ ଏଭଳି ପରିବର୍ତ୍ତନ ଲକ୍ଷ୍ୟକରି ମୋତେ ବୁଝାଇବାକୁ କହିଲେ, ‘ନାଇଁ, ନାଇଁ, ଏକଥାକୁ ଏତେ ଗୁରୁତର ବୋଲି ଭାବନ୍ତୁନି । ଭାବିବା ବି ଜରୁରି ନୁହେଁ । କିଛି ବ୍ୟସ୍ତବିବ୍ରତ ହେବାର ମଧ୍ୟ ଆବଶ୍ୟକତା ନାହିଁ । କାଇଁକି ଏତେ ତରବର ହେବା? ଥଣ୍ଡା ମନରେ ମୋ କଥା ବିଚାର କରିବ । ମୁଁ ଯାହା ଭାବୁଥିଲି କହିଦେଲି । ତୁମେ ଚିନ୍ତା କରି ନିଷ୍ପତ୍ତି ନେବ ।’ ଏତିକି କହି ସେ ତୁରନ୍ତ ମୋ ସାମ୍‌ନାରୁ ଚାଲିଗଲେ । କିଛି କ୍ଷଣ ଭିତରେ ମୋ ମନ ଶାନ୍ତ ପଡ଼ିଗଲା । ନିଜେ ଏତେ କ୍ରୋଧ ଓ ପ୍ରତିକ୍ରିୟା ପ୍ରଦର୍ଶନ କରିବା କଥା ଭାବିବା ମାତ୍ରେ ନିଜକୁ ଆଶ୍ଚର୍ଯ୍ୟ ଲାଗିଲା । ଆଉ ଲଜ୍ଜା ବି । ମୁଁ ଜାଣିଥିଲି ସାରା ଜୀବନ କାହାରି ଉପରେ ଆଶ୍ରିତ ହୋଇ ମୁଁ କଦାପି
ରହିପାରିବିନି । ନିଜ ପାଇଁ ମୋତେ କିଛି ବ୍ୟବସ୍ଥା କରିବାକୁ ପଡ଼ିବ । ସେଇ ଦୂର ଅପନ୍ତରା ଗାଆଁକୁ ଚାଲିଯିବାକୁ ଏଇଥିପାଇଁ ରାଜି ଥିଲି କାରଣ ନିଜ ତଥାକଥିତ ପରିଜନଙ୍କଠାରୁ ଆଉ ଅଧିକ ନିନ୍ଦିତ, ଅପମାନିତ ହେବା ସକାଶେ ମୁଁ ଚାହୁଁ ନ ଥିଲି । ବାପାଙ୍କଠାରୁ ଦାନ ଓ ସାହାଯ୍ୟ ଗ୍ରହଣ କରିବା ନିଜକୁ ନିଜେ ଅପମାନିତ କରିବା ସଙ୍ଗେ ସମାନ ଥିଲା । ବେଳେବେଳେ ଦୁର୍ବଳ ମୁହୂର୍ତ୍ତରେ ଇଚ୍ଛା ହେଉଥିଲା ତାଙ୍କ ପାଖକୁ ଚିଠି ଖଣ୍ଡେ ଲେଖିବି । ପିଲାଦିନର ସେଇ ଗେଲ ବସରର ଦିନକୁ ସ୍ମରଣକରି ସବୁ କଥା ଜଣେଇବି । ପୁଣି ଭାବିଲି, ଯିଏ ସାମାଜିକ ସଂସ୍କାରର ସେଇ ଜଡ଼ତାକୁ ଭାଙ୍ଗି ପାରିଲେନାହିଁ କି ମୋର ମାନସିକ, ଶାରୀରୀକ ବେଦନାରେ ସହଭାଗୀ ହୋଇ ପାରିଲେନି, ତାଙ୍କ ମନରେ ମୁଁ ପୀଡ଼ା ପହଞ୍ଚାଇ ଆତ୍ମପୀଡ଼ନକୁ କାଇଁକି ବଢ଼େଇବି? ତେଣୁ ସବୁଠୁ ଭଲ ହେବ ଯଦି କେଉଁ ଦୂର ଗାଆଁକୁ ଯାଇ ସେଠାରେ ପିଲାମାନଙ୍କୁ ଲାଳନପାଳନ କରିବି ।

ପ୍ରିୟ ବନ୍ଧୁ! ମୁଁ ତ ଆପଣଙ୍କୁ କହିଛି, ମୋ ଜୀବନରେ ଯେଉଁ ପାପ ଓ ପୀଡ଼ା ଆସିଥିଲା ଏବଂ ଯାହାକୁ ମୁଁ ହତ୍ୟା କରିବାକୁ ଚାହିଁଥିଲି, ସେଇ ଅନବର୍ ଅର୍ଥାତ, ଅନୀଲ ମୋତେ ସବୁଠୁ ଅଧିକ ସ୍ନେହ କରୁଥିଲା । ମୋର ସକଳ ଘୃଣାକୁ ସେ ନୀଳକଣ୍ଠ ଭଳି ପିଇ ଯାଇଥିଲା । ସେ ମୋ ପ୍ରତି ଏମିତି ବ୍ୟବହାର କରୁଥିଲା ସତେକି ସିଏ ମୋ ଗାର୍ଜନ! ବେଳେବେଳେ ପଚାରୁଥିଲା, ଅମ୍ମି, ମୁଁ ଏବେ କେମିତି ଅନୀଲ ହୋଇଗଲି? ଅନବର୍ ଆଉ ଅନୀଲ ଭିତରେ ଫରକ କ’ଣ? ଅମ୍ମି! ଅନ୍ୟ ଲୋକମାନେ ଆମକୁ ଏମିତି ହୀନ ଦୃଷ୍ଟିରେ କାଇଁକି ଦେଖୁଛନ୍ତି?’

ମାତ୍ର ଆଠବର୍ଷ ବୟସରେ ଈଶ୍ୱର ତା’ ମୁଣ୍ଡ ଉପରେ କେତେ ବୋଝ ଥାପି ଦେଇଥିଲେ! କିନ୍ତୁ ନୂରର ପୁଅ ଅସରଫ ଥିଲା ତା’ର ଠିକ୍ ବିପରୀତ । ସଦାବେଳେ ଉଦ୍ଦଣ୍ଡ । ସଦାବେଳେ ସମସ୍ତଙ୍କ ସାଙ୍ଗା ମାରପିଟ କରୁଥିଲା । କିନ୍ତୁ ପାଠପଢ଼ାରେ ବେଶ୍‌ ଦାୟିତ୍ୱବାନ୍ । ଅସଗର ଓରଫ ଅସିତ ସତକୁ ସତ ଜଣେ ସାୟରର ସନ୍ତାନ ଥିଲା । ଛଅ ବର୍ଷର ହୋଇଛି କି ନାହିଁ, ସଦାବେଳେ କେମିତି ଭାବପ୍ରବଣ ଓ ଚିନ୍ତାରାଜ୍ୟରେ ଡୁବି ରହୁôଥଲା । ଆଉ କେବେ ମୋତେ ଉଦାସ ଆଖିରେ ଚାହୁଁଥିଲା, ତେତେବେଳେ ଫାରୁଖୀଙ୍କ ସ୍ମୃତି ମୋ ହୃଦୟକୁ ଅସ୍ତବ୍ୟସ୍ତ କରିପକାଉଥିଲା ।

କେତେ ସ୍ମୃତି, କେତେ ସୁଖ ଦୁଃଖ, କାହାକୁ ଭୁଲିବି, କାହାକୁ ମନେ ରଖିବି! ମୁଜଫର ସମ୍ଭବତଃ ମୋତେ ଏବେ ସୁଦ୍ଧା ଖୋଜି ବୁଲୁଥିବ । ନିଜ ସନ୍ତାନମାନଙ୍କ ଉପରେ ଦାବି କରିବା ସକାଶେ ସତକୁ ସତ ଯଦି ଆସି ଏଠାରେ ଯାଏ! ତାଙ୍କର ଦି’ପୁଅ ଅହମ୍ମଦ ଓ ଅଲ୍ଲୀ ଯେଉଁମାନେ ଏବେ ଅମିତ ଓ ଅଜିତ ନାମରେ ପରିଚିତ ହୋଇ ସାରିଥିଲେ, ବେଳେବେଳେ ସେମାନେ ନିଜ ବାପାଙ୍କ କଥା ମତେ ପଚାରୁଥିଲେ । ସବୁପିଲା ନିଜ ବାପା-ମା’ଙ୍କ କଥା ଜାଣିବାକୁ ଚାହାନ୍ତି । ସେମାନେ ବି ଜାଣିବାକୁ ଚାହୁଁଥିଲେ । କିନ୍ତୁ ମୁଁ କେବେ ସେମାନଙ୍କୁ ସତ କଥା କହିପାରୁ ନ ଥିଲି । ସତରେ କ’ଣ ସତ ବୋଲି କିଛି ଅଛି? ସତକୁ ବାପିବାର ଯନ୍ତ୍ର କେହି ବୈଜ୍ଞାନିକ ଏପର୍ଯ୍ୟନ୍ତ ଉଦ୍ଭାବନ କରିଛି କି?

ସ୍କୁଲରେ ନାମଲେଖା ନଥିରେ ତ ମା’ ନାଁ କେଉଁଠି ଲେଖାହୁଏନି । ଅନୀଲ, ଅଶୋକ, ଅମିତ ଓ ଜିତଙ୍କର ସେମିମତି ଦେଖିବାକୁ ଗଲେ କେହି ବାପା ନାହାନ୍ତି । ଅସରଫ୍‌, ଅସଗର, ଅହମ୍ମଦ ଓ ଅଲ୍ଲୀଙ୍କର ଅଛନ୍ତି । ଅନବରର ବାବାକୁ ତ କେହି ଜାଣି ପାରିବେନି । ଉପନିଷଦ କାଳର ଭାରତ ଭାରି ଭଲ ଥିଲା । ସେ ସମୟରେ ତ ପରମତତ୍ତ୍ୱବେତ୍ତା ସତ୍ୟକାମଙ୍କ ଦାସୀ ମା’ ଜାବାଳାଙ୍କର ଏକଥା ପହିବାର ସାହସ ଥିଲା – ‘ମୁଁ ଜଣେନା ପୁତ୍ର, ତୁମର ପିତା କିଏ । କିନ୍ତୁ ତୁମେ ମୋର ପୁତ୍ର ଅବଶ୍ୟ । ମୋରି ନାମ ତୁମ ଗୁରୁଙ୍କ ନିକଟରେ ପ୍ରକାଶ କର ।’

ଆଉ ସେଇ ଦିନଠାରୁ ସତ୍ୟକାମଙ୍କ ନାମ ପାଲଟି ଯାଇଥିଲା ସତ୍ୟକାମ- ଜାବାଳ । ମୋ ସନ୍ତାନମାନଙ୍କୁ କ’ଣ ଆଜି ସେ ଅଧିକାର ମିଳିପାରିବ? ସେମାନେ କ’କ୍ଷଣ ଗର୍ବରେ ମୁଣ୍ଡ ଟେକି
କହିପାରିବେ, ‘ଆମକୁ ଆମ ପିତାଙ୍କ ପରିଚୟ ଜଣାନାହିଁ । ଆମ ବାପା କିଏ ଥିଲେ ସେକଥା ଜାଣିବା ଆମର ଆବଶ୍ୟକ ନାହିଁ । ଆମେ ଆମ ମା’ଙ୍କୁ ଜାଣିଛୁ । ତା’ର ନାଁ ପ୍ରତିମା ।
ଏଇ ନାଁ ଆପଣଙ୍କ ନାମଲେଖା ପଞ୍ଜିକାରେ ଦରଜ କରିଦିଅନ୍ତୁ । ମାତୃତ୍ୱ ତ ଜଣେ ନାରୀର ଚରମ ଗୌରବ ଓ ସୌନ୍ଦର୍ଯ୍ୟ ବୋଲି ବିବେଚନା କରାଯାଇଥାଏ । ତା’ହା ତ ମୋତେ ପ୍ରାପ୍ତ ହୋଇଛି ବୋଲି ମୁଁ ମୁକ୍ତକଣ୍ଠରେ ସ୍ୱୀକାର କରିବି । କାହାଠାରୁ ତାହା ପ୍ରାପ୍ତ ହୋଇଛି, ସେ ପ୍ରସଙ୍ଗ ଗୌଣ । ତାକୁ ଭିନ୍ନ ଏକ ଦୃଷ୍ଟିରେ ମଧ୍ୟ ଦେଖାଯାଇପାରେ । ଆର୍ଯ୍ୟ ପରମ୍ପରାରେ ତ ମା’ର ସ୍ଥାନ ସର୍ବୋଚ୍ଚ । ସେଇଥିପାଇଁ ତ ତାକୁ ସବୁଠାରୁ ଅଧିକ ଜହର ପିଇବାକୁ ପଡ଼ିଥାଏ । ନାରୀ ହୋଇଥିବାରୁ ଅପମାନର ଜହର – ମୋତେ କହିବାକୁ ଦିଅ, ମୋର ବନ୍ଧୁ! ଯାହାକୁ ସର୍ବାଧିକ ଅପମାନିତ କରାଯାଇଥାଏ ଆଉ ସବୁଠାରୁ ଅଧିକ ସୁନ୍ଦର ସୁନ୍ଦର ବିଶେଷଣରେ ଆଭୂଷିତ କରାଯାଇଥାଏ । ଆଉ ତାକୁ ଯଦି ଛେଳିମେଣ୍ଢା ପରି ହୃଷ୍ଟପୁଷ୍ଟ କରା ନ ଯିବ ତାକୁ କିଏ ଭଲା କିଣିବ ? ଆପଣ ତ ପୁରୁଷ – ନାରୀଙ୍କ ସମ୍ପର୍କର କି ସୌନ୍ଦର୍ଯ୍ୟର ଏଇ ତଥ୍ୟକୁ ଆଲୋଚନା କରିନାହାନ୍ତି? ଅନ୍ତତଃ ପୁରୁଷଙ୍କ ପ୍ରସଙ୍ଗରେ… ଆପଣ ଚିନ୍ତା କରୁଥିବେ, ମୁଁ କାହିଁକି ଏତେ କ୍ରୂର ହୋଇଉଠୁଛି?

ସେତେବେଳକୁ ଅସରାଏ ବର୍ଷ ହୋଇ ଛାଡ଼ି ସାରିଥିଲା ।ସମଗ୍ର ବାତାବରଣରେ ମାଟିର ଏକ ବିଚିତ୍ର ବାସ୍ନା ଭରି ଉଠିଥିଲା । ମୁଁ ମୋ କୋଠରୀର ଝର୍କା ପାଖରେ ଆସି ଠିଆ ହୋଇ ବାହାରକୁ ଚାହିଁବାର ଲୋଭ ସମ୍ବରଣ କରିପାରି ନଥିଲି । ସିଏ ସେଇ ଝରକା ଯାହାରି ବାଟଦେଇ ଭିଜା ଚେହେରାରେ ମୁଁ ପ୍ରଥମ ଥର ପାଇଁ ଆପଣଙ୍କୁ ଦେଖିଥିଲି । ସେଦିନ ଦେଖିଥିଲି କିଶୋରଟିଏ ଚେହେରାରେ – ସୁସ୍ଥ, ସୌମ୍ୟ, ଶୁଭ୍ର ସ୍କୁଲ ପୋଷାକ ପିନ୍ଧା ବେଶରେ, ପିଠିରେ ବହି ବସ୍ତାନି ଝୁଲାଇ ଧୀରେ ଧୀରେ ଚାରିକୋଣିଆ ସେଇ ମୁଖ୍ୟଦ୍ୱାର ପର୍ଯ୍ୟନ୍ତ ଆସିଥିଲା ଓ ସେଇଠି ଠିଆହୋଇ ମୋ ଝର୍କା ଆଡ଼େ ବାରମ୍ବାର ଚାହିଁଥିଲା । ମୁଁ ଚମକି ଉଠିଥିଲି । ମୋ ଭିତରେ ଏକ ବିଚିତ୍ର କୌତୂହଳ ସୃଷ୍ଟି ହୋଇଥିଲା । ମୁଁ ପୁଣି ଥରେ ସେଇ ଖୋଲା ଝର୍କା ବାଟେ ତା’ ଚେହେରାକୁ ଭଲକରି ନିରୀକ୍ଷଣ କରିଥିଲି । ସିଏ ମି ସେତେବେଳେ ଅସ୍ଥିର ଚିତ୍ତରରେ ଏଣେତେଣେ ଉଣ୍ଡୁଥିଲା । ଆମ ଦୁହିଙ୍କ ଦୃଷ୍ଟି ହଠାତ୍‌ ମିଶିଗଲା । ସତେ ଯେପରି ସେ କୌଣସି ଏକ ପ୍ରେତକୁ ଅକସ୍ମାତ୍ ସାକ୍ଷାତ କଲାପରି ଚମକି ଉଠିଲା । ପର ମୁହୂର୍ତ୍ତରେ ସେ ଘୂରି ପଡ଼ିଲା ଓ ଏକମୁହାଁ ସେଠାରୁ ପଳାଇ ଯାଇଥିଲା । ଆଉ ଥରେ ସୁଦ୍ଧା ମୁହଁ ଘୂରାଇ ମୋ ଆଡ଼େ ଚାହିଁ ନ ଥିଲା ।

ମୁଁ ହତବମ୍ବ ହୋଇଉଠିଲି । କିଛି ସମୟ ପର୍ଯ୍ୟନ୍ତ ତ ବୁଝିପାରି ନ ଥିଲି । ତା’ପରେ କାହିଁକି କେଜାଣି ମୋ ଭିତରେ ଏକ ଶୀତଳ ଶିହରଣ ବାରମ୍ବାର ଅନୁଭବ କଲି । କାହିଁ ଭିତରକୁ, କେତେ ଭିତରକୁ…

‘ନା… ନା…! ମୁଁ ବି ଜଲ୍‌ଦି ମୁହଁ ଫେରେଇନେଲି । ଅନୀଲ ମୋ ସାମ୍‌ନାକୁ ଆସିଗଲା । ମୋ ମୁହଁକୁ ଚାହିଁ ପଚାରିଲା, ‘କ’ଣ ହେଲା ଅମ୍ମି?’

‘କିଛି ନାହିଁ ପୁଅ । କିଛି ନୁହେଁ ।’ ମୁଁ ସହଜ ଓ ସ୍ୱାଭାବିକ ଢଙ୍ଗରେ ତାକୁ ଉତ୍ତର ଦେଲି । କିନ୍ତୁ ମୋ ଭିତରେ…

‘ଅମ୍ମି, ଗୋଟେ କଥା ପଚାରିବି?’

‘କି କଥା, କହୁନୁ?’ ମୁଁ ପୁଣି ନିଜ ଭିତରେ ସେଇ ଶୀତଳ ଶିହରଣ ଅନୁଭବ କଲି ।

‘ମୁଁ ତୋତେ କହିବାକୁ ଭୁଲି ଯାଇଥିଲି । କିଛିଦିନ ହେଲା ଗୋଟିଏ ପିଲା ନିଇତି ଆମ ଘର ପାଖକୁ ଆସୁଛି ।’

କେମିତି ଅପରାଧୀଙ୍କ ଭଳି ସେ ଅନୁଚ୍ଚ ସ୍ୱରରେ କହିଲା । ମୁଁ ତାକୁ ବୁଝେଇବା ଭଳି କହିଲି, ‘ଏଠିକି ତ ଅନେକ ଲୋକ ଆସୁଛନ୍ତି । ସେମାନଙ୍କ କିତରେ ଅନେକ ପିଲା ବି ଥାଆନ୍ତି ।
ତୁ କେଉଁ ପିଲା କଥା କହୁଛୁ?’ ଅନୀଲ କହିଲା, ‘ସିଏ ବହୁତ ଭଲ ପିଲା । ସିଏ ମତେ ଚକୋଲେଟ୍‌ ଦେଇଥିଲା ଓ ମତେ ପଚାରିଥିଲା – ଏଠାରେ କେହି ଜଣେ ପ୍ରତିମା ନାଁରେ ମହିଳା ଅଛନ୍ତି?’

‘ମୁଁ ତାକୁ ରୋକଠୋକ କହିଦେଲି – ହଁ, ମୋ ମା’ ନାଁ ପ୍ରତିମା ।’

‘ସିଏ ମତେ ପଚାରିଲା – ଏବେ ଏଇ ନାଁ ଅଛି? ପୂର୍ବରୁ ନ ଥିଲା?’

‘ମୁଁ ଜବାବ ଦେଲି – ପୂର୍ବରୁ ତ ତା’ ନାଁ ସୁରୈୟା ବେଗମ୍‌ ଥିଲା । ଯେମିତି ମୋ ନାଁ ଅନବର ଥିଲା । ଏବେ ଅନୀଲ ହୋଇଛି ।’

‘ସେ କହିଲା -ତା’ହେଲେ ସେ ଆଉ କେହି ହୋଇଥିବେ । ତୁମେ ଥରେ ମୋତେ ତାଙ୍କ ସହ ଭେଟେଇ ଦେଇପାରିବ?’

‘ମୁଁ କହିଲି – ହଁ, ହଁ । ସାମ୍ନାରେ ସେଇ ଯେଉଁ ଝର୍କାଟା ଦିଶୁଛି, ସେଇ ଘରେ ସେ ରହନ୍ତି । ତୁମେ ମୋ ସାଙ୍ଗରେ ଆସ ।’

‘ନାଇଁ, ନାଇଁ, ଆଉ କେବେ ଦିନେ ଆସିବି । ଏତିକି କହି ସେ ଦୌଡ଼ି ପଳେଇଲେ । ସେଇ ଆଜି ପୁଣି ଥରେ ଆସିଥିଲା ।’

ଭଗବାନଙ୍କୁ ଜଣା ସେ ‘ମୁଁ’ ଜଣକ କିଏ ଥିଲା, ଯିଏ ସବୁ ଶୁଣୁଥିଲା ଏବଂ କିଏ ଜାଣେ ସେ ‘ମୁଁ’ କିଏଥିଲା ଯିବ ପଚାରିଥିଲା, ‘ତାଙ୍କ ନାଁ ଜାଣିଛ?’

‘ହଁ, ହଁ । ତା’ ନାଁ ଅସୀମ ।’

ଦି’ହାତକୁ କାନ୍ଥରେ ଭରାଦେଇ ନିଜକୁ ସମ୍ଭାଳିନେଲି । ନ’ହେଲେ ବେହୋସ ହୋଇ ସେଇଠି ଟଳି ପଡ଼ିଥାଆନ୍ତି । ଦେହମୁଣ୍ଡରୁ ଗୋଟେ ଝାଳ ବହି ଯାଇଥିଲା । ଅନୀଲ ବେଶ୍ ସ୍ୱାଭାବିକ ଭାବେ ପଚାରିଥିଲା, ‘ତୁ ତାକୁ ଚିହ୍ନିଚୁ ଅମ୍ମି?’

ମୁଁ ବେଶ୍ ଦୃଢ଼ ଭାବେ ପ୍ରତିବାଦ କଲାଭଳି ବଡ଼ପାଟିରେ କହି ଉଠିଥିଲି, ‘ନାଇଁ, ନାଇଁ । ମୁଁ ଏଠାରେ କାହାକୁ ଚିହ୍ନିନି ।’

ଅନୀଲ ଏବେ ମୋ ମୁହଁକୁ ଚାହିଁଲା । ଫିକା ପଡ଼ିଆସିଥିବା ମୋ ଚେହେରାକୁ ଦେଖି ସେ ମନେମନେ ଡରିଗଲା ଓ କହିଲା ‘ଦେହ ଭଲନାହିଁ ଅମ୍ମି, ତୁ ଟିକେ ଶୋଇପଡ଼୍ ।’

ବିଚରା ଅନୀଲ! ତାକୁ କ’ଣ କହିବି? ନିଜକୁ ସମ୍ଭାଳିନେଇ କେବଳ ଏତିକି କହିଲି, ‘ନା ପୁଅ, ମୋ ଦେହ ଭଲ ଅଛି । ହେଲେ ତୁ ଆଜିଠୁ ଆଉ ତା’ ସାଙ୍ଗରେ କଥାବାର୍ତ୍ତା ହେବୁନି ।
ଅଚିହ୍ନା ଲୋକଙ୍କ ସାଙ୍ଗରେ ଭାବଦୋସ୍ତି ବଢ଼େଇବା ଠିକ୍‌ ନୁହେଁ… ।’

ମୁଁ ନିଜ କଥା ସମ୍ପୂର୍ଣ୍ଣ କରିସାରି ନ ଥିଲି । ସେ ଦୀର୍ଘଶ୍ୱାସଟିଏ ଛାଡ଼ି କହିଲା, ‘ଆଚ୍ଛା!’ ତା’ର ଏଇ ‘ଆଚ୍ଛା!’ଶବ୍ଦ ଶୁଣି ମୋର ଆପଣଙ୍କ କଥା ମନେ ପଡ଼ିଗଲା । ଆପଣ ତ ସେଦିନ ସେମିତି ‘ଆଚ୍ଛା!’ ବୋଲି କହିଥିଲେ । କିନ୍ତୁ କାହିଁ ଆପଣ ଆଉ କେଉଁଠି ସେ ଶିଶୁ ।

ମୁଁ କିନ୍ତୁ ତା’ତୁଣ୍ଡରୁ ଏଭଳି ଶବ୍ଦ ପଦକ ଶୁଣି ଏକପ୍ରକାର ପାଗଳ ହୋଇ ଉଠିଥିଲି । ଭାବୁଥିଲି, ଦି’ହାତରେ ତା’ ଗଳା ଟିପିଦେବି । କିନ୍ତୁ ବାସ୍ତବରେ ଏଇଆ ହେଲା ଯେ ତାଙ୍କୁ ଭିଡ଼ିଆଣି ମୁଁ ନିଜ ଛାତିରେ ଜାବୁଡ଼ି ଧରିଲି । ପର ମୁହୂର୍ତ୍ତରେ ନିଜକୁ ସମ୍ଭାଳି ନ ପାରି କଇଁକଇଁ ହୋଇ କାନ୍ଦି ଉଠିଲି ।

ଜାଣିଛ, ସେଇ କେଇଟି ମୁହୂର୍ତ୍ତ ମତେ କ’ଣ ଲାଗିଥିଲା? ଲାଗୁଥିଲା, ସିଏ ଅନୀଲ ନୁହେଁ, ଅସୀମ । ଆଉ ମୁଁ ମନ ଭରି ତା’ ଗାଲରେ ଚୁମା ନେଇଚାଲିଛି… କେଇ ଦିନ ପର୍ଯ୍ୟନ୍ତ ମୁଁ ସେମିତି ଝର୍କା ରେଲିଂରେ ମୁହଁକୁ ଥାପି ବାହାରକୁ ଚାହିଁ ରହିଲି । ଅପେକ୍ଷା କରି ଚାଲିଲି । ଆଉ ଦିନେ ଗୋଟିଏ ଆବେଶରେ ଘରୁ ବାହାରି ଯାଇଥିଲି ।

ଚାରିଆଡ଼େ ଘୂରି ଘୂରି କୌଣସି ଗୋଟିଏ ଭବ୍ୟ ବଙ୍ଗଳା ଯାଇଥିଲି । ଚାରିଆଡ଼େ ପ୍ରାଚୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ବିପଣୀ! କିନ୍ତୁ ଏ କାହାକୁ କଣ୍ଠସ୍ୱର । ଚିତ୍କାର! କୌଣସି ଜଣେ ଶିଶୁର ମର୍ମାନ୍ତିକ ଚିତ୍କାରର ପିଛା କରି ମୁଁ ଭିତରେକୁ ପ୍ରବେଶ କରି ଚାଲିଲି । ହଠାତ୍ ମୋ ନିଜରରେ ପଡ଼ିଲା ଜଣେ କ୍ରୂର ଯୁବକ ଆଠ ନଅବର୍ଷର କୋମଳ ଶିଶୁକୁ ଅତି ନିର୍ମମ ଭାବେ ବେତରେ ପିଟିଚାଲିଛି । ଚିତ୍କାର କରି ଧମକାଇ ଚାଲିଛି, ‘ବଦମାସ୍‌, ଆଉ ଥରେ ଯଦି ଏଠି ପାଦ ରଖିଥିବୁ ତା’ହେଲେ ଜିଅନ୍ତା କବର ଦେଇଦେବି ।’

ଶିଶୁଟି ଚିତ୍କାର ଛାଡ଼ୁଥିଲା, ‘ନା,ନା । ମୁଁ ଯିବିନି । ମତେ ମାରନା । ଆଉ ମାରନା!’

ମୁଁ ଚିହ୍ନିପାରିଲି । ସେଇ କ୍ରୂର ଯୁବକଟି ମୋର ଦିଅର । ତାଙ୍କ ପଛକୁ ଠିଆ ହୋଇଥିଲେ ମୋର ଶାଶୂ । ମୁଁ ତୁରନ୍ତ ଆଗକୁ ପାଦ ପକାଇଲି ଓ ଯୁବକଟିର ହାତରୁ ସେ ବେତକୁ ଛଡ଼େଇନେଲି । ତାଙ୍କୁ ଧମକେଇଲା ଭଳି କହିଲି, ‘ଏ ନିରୀହ ଶିଶୁଟିକୁ କାଇଁକି ମାରୁଛ? ଅପରାଧୀ ମୁଁ, ମୋତେ ମାରିପାର ।’

ସେ ବ୍ୟସ୍ତ ବିବ୍ରତ ହୋଇ ମୋ ଆଡ଼କୁ ଚାହିଁଲେ ଓ ମୋତେ ଚିହ୍ନିପାରିଲେ । ପର ମୁହୂର୍ତ୍ତରେ ଅସୀମ ଦୌଡ଼ିଆସି ମୋତେ କୁଣ୍ଢେଇ ଧରିଲା ଓ ମୋରି କୋଳରେ ବେହୋସ ହୋଇଗଲା ।
ମୋ ଶାଶୂ ଚିତ୍କାର ଛାଡ଼ିଲେ, ‘ନିର୍ଲଜୀ, କଳଙ୍କିନୀ, ତୁ ମରିନୁ? ଆହୁରି ବଞ୍ôଚ ରହିଛୁ? ତୋ ଶବ ପାଇଥିଲେ ଆମେ କେତେ ଖୁସି ହୋଇଥାଆନ୍ତୁ! ନିଜକୁ ଭାଗ୍ୟବାନ ମନେ କରିଥାଆନ୍ତୁ ।’

ସେତିକିବେଳେ ମୋ ନିଦ ଭାଙ୍ଗିଗଲା । ଅନ୍ଧାର ଭିତରେ ମୁଁ ଡବଡ଼ବ ଆଖିରେ ଚାରିଆଡ଼କୁ ନିରୀକ୍ଷଣ କଲି । ମନେ ମନେ ଭାବି ଚାଲିଥିଲି, ‘କାଇଁକି? କାଇଁକି ମଣିଷ ଆପଣା
ଲୋକ ପାଖରେ ଏତେ ଛଳ କପଟ ଆଚରଣ କରେ? ନିଜ ‘ମୁଁ’ଠାରୁ ଅପରିଚିତ ବନିଯାଏ! ଯିଏ ନିହାତି ମୋର, ଯିଏ ମୋର ପ୍ରେମର ପ୍ରତିରୂପ ! ତା’ର କାରଣ ଯାହା ହୋଇଥାଉ ନା କାହିଁକି… କୁନ୍ତୀ ତ କର୍ଣ୍ଣଙ୍କ ପାଖକୁ ଯାଇ ପାରିଥିଲେ… ତା’ହେଲେ ମୁଁ କାହିଁକି ଯାଇ ପାରିବିନି?

ସେଇଦିନ ମୁଁ ତତକ୍ଷଣାତ୍ ଆଶ୍ରମ ସଞ୍ଚାଳିକାଙ୍କ ନିକଟକୁ ଯାଇଥିଲି । ତାଭ୍‌କ ପଚାରିଥିଲି, ‘ଆପଣ ମୋତେ କେଉଁ ଦୂର ପାହାଡ଼ୀ ଗାଆଁକୁ ପଠେଇ ଦେବାକୁ ଚାହୁଁଛନ୍ତି ନା? ମୁଁ ଆଜି ହିଁ ସେଠାକୁ ଯିବାକୁ ପ୍ରସ୍ତୁତ ଅଛି । କିନ୍ତୁ  ମୋ ପିଲାମାନଙ୍କୁ ମୋ’ଠାରୁ ଅଲଗା କରିଦିଅନି । ମୁଁ ସେମାନଙ୍କ ଅପମାନ, ନିର୍ଯାତନା କଦାପି ସହ୍ୟ କରିପାରିବିନି ।’

ବନ୍ଧୁ ମୋର, କେଜାଣି କାଇଁକି, ଥରେ ଆପଣଙ୍କୁ ଦେଖିବା ଲାଗି ମନରେ ଭାବନା ଆସିଲା । କାଇଁକି ଆପଣ ଏତେ ନିଜର ବୋଲି ଭାବିଲି, ସେକଥା ବି ମୁଁ ଜାଣେନା । ସେଇ ଆପଣାପଣ ଲାଗି ତ ଆପଣଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛି । କେବଳ ଜଣେ ବନ୍ଧୁ ନିକଟରେ ତ ହୃଦୟ କଥା କହିହୁଏ । ଏ ଜମ୍ପର୍କ କେଡ଼େ ବିଚିତ୍ର!

ସ୍ୱପ୍ନରେ ଯୋଡ଼ି ହୋଇଗଲା ଓ ଆଖି ଖୋଲିଲା ବେଳକୁ ଏକ ବିରାଟ ଶୂନ୍ୟତା ଅନୁଭୂତ ହେଲା! ତଥାପି ମୋର ବିଶ୍ୱାସ ଅଛି ଓ ସେ ବିଶ୍ୱାସ ମୋ ହୃଦୟ ତଳୁ ଆସିଛି । ତା’ଉପରେ ଆଉ
କାହାରି ଦଖଲ ନାହିଁ । କିଛି ଗୋଟିଏ ସନ୍ତ୍ରାସ ଓ ଯନ୍ତ୍ରଣାସିକ୍ତ ପର୍ଯ୍ୟାୟକୁ ମୁଁ ସାମ୍‌ନା କରିଛି, ତାକୁ ଅତିକ୍ରମ କରିଛି । ସେଇ ଅନୁଭବ ତ ମୋର ଏକମାତ୍ର ସମ୍ବଳ! ସେଇ ଅନୁଭବ ମୋ ଅନ୍ତରର ଗଭୀରତମ ପ୍ରଦେଶ ପର୍ଯ୍ୟନ୍ତ ଭେଦି ସାରିଛି । ତାକୁ କେହି ଚର୍ମଚକ୍ଷୁରେ ଦେଖି ପାରିବେନି ।
ଆଚ୍ଛା! ବାହାରେ ବର୍ଷା ଆରମ୍ଭ ହୋଇଯାଇଛି । ହେବା ବି ଦରକାର ।

ଆପଣଙ୍କ ପ୍ରତିମା ଓରଫ ଆୟେସା ଓରଫ ସୁରୈୟା ଓରଫ
ପ୍ରତିମା

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.