Latest Odisha News

ଆଜି ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ

ସିମଲା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ହିମାଚଳ ପ୍ରଦେଶର ଆଗାମୀ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ଆଜି ସେ ଶପଥ ନେବେ । ତାଙ୍କ ଶପଥ ସମାରୋହରେ ସାମିଲ ହେବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି । ପୂର୍ବାହ୍ନ ୧୧ଟାରେ ହିମାଚଳପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର ସିଂ ସୁଖୁ ।

ସୁଖବିନ୍ଦରଙ୍କ ପ୍ରତି ନବନିର୍ବାଚିତ ବିଧାୟକ ମାନଙ୍କ ସମର୍ଥନ ରହିଛି । ରାଜ୍ୟର କ୍ୟାମ୍ପେନିଂ କମିଟି ମୁଖ୍ୟ ଅଛନ୍ତି ସେ । ରାଜ୍ୟର କଂଗ୍ରେସ ମୁଖ୍ୟ ପ୍ରତିଭା ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ହାଇକମାଣ୍ଡ ନୂଆ ମୁହଁକୁ ବାଛିବା ନେଇ ଶୁଣାଶୁଣି ହେଉଥିଲା । ଯାହାକୁ ପ୍ରମାଣିତ ହୋଇଛି । ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ହେବେ ।

ସୁଖୁ ହମିରପୁର ଜିଲ୍ଲା ନାଦୁନ୍ ରୁ ବିଧାୟକ ହୋଇଛନ୍ତି । ସେ ଚାରିଥର ବିଧାୟକ ରହିସାରିଲେଣି ।  ୫୮ ବର୍ଷୀୟ ସୁଖୁଙ୍କୁ କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଅତି ନିକଟତର ସୁଖୁ । ସୁଖୁ ଜଣେ ବସ୍ ଡ୍ରାଇଭରଙ୍କ ପୁଅ । ହିମାଚଳପ୍ରଦେଶ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ସେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରେ ସେ ରାଜ୍ୟର ଛାତ୍ର କଂଗ୍ରେସର ଅଧ୍ୟକ୍ଷ ଥିଲେ । ଧୀରେ ଧୀରେ ସେ ରାଜନୀତିର ସିଢି ଚଢି ଚଢିଯାଇଥିଲେ ।

ସୁଖୁ ଓକିଲାତି ବି ପଢିଛନ୍ତି । ଟିମ୍ ରାହୁଲ ମେମ୍ୱର ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ସୁଖୁଙ୍କ କ୍ୟାବିନେଟରେ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ତଥା ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂ ଓ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିପାରେ । ମୁଖ୍ୟମନ୍ତ୍ରୀ ଆଶା ମଉଳିଯିବା ପରେ ସେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି । ତେଣୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ତାଙ୍କୁ କୌଣସି ଗୁରୁ ଦାୟିତ୍ୱ ଦିଆଯାଇପାରେ ।

Comments are closed.