Latest Odisha News

ବିବାହ ଭୋଜି ଖାଇ କାରରେ ଫେରୁଥିଲେ ଦୁଇ ଦମ୍ପତି, ଏବେ ମିଳୁନି ଖୋଜଖୋବର

ଉମରକୋଟ: ବାହାଘର ଭୋଜି ଖାଇ ଫେରିବା ବେଳେ ଅପହରଣ । ଛତିଶଗଡରୁ ଫେରିବା ବେଳେ ଅପହରଣର ଶିକାର ହୋଇଥିବା ଅଭିଯୋଗ ରହିଛି। ଗତକାଲି ରାତି 10ଟା ସମୟରେ ଅପହରଣ ହୋଇଛନ୍ତି। ମୋବାଇଲ୍ ସୁଇଚ ଅଫ୍ ଦେଖାଇବା ପରେ ପରିବାର ଲୋକେ କାଙ୍କେର କତୁଆଲି ଥାନାରେ ଏତଲା ଦେଇଛନ୍ତି। ଅପହରଣର ଶିକାର ହୋଇଥିବା ବ୍ୟକ୍ତି ହେଲେ ରାଇଘର ତହସିଲ ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ଶାଳକଙ୍କ ପତ୍ନୀ।

ମିଳିଥିବା ସୂଚନା ଅନୁଯାୟୀ, ଗତ 6 ତାରିଖ ଦିନ ବିବାହ ଉତ୍ସବରେ ଯୋଗଦେବାକୁ ମାରୁତି ସୁଜୁକି ସୁଇଫ୍ଟ ଡିଜାଇର କାରରେ ଯାଇଥିଲେ ଏହି ଚାରି ଜଣ । ଶନିବାର ଭୋଜି ଖାଇ ଛତିଶଗଡ଼ କାଙ୍କେରର କୋଣ୍ଡାଗାଁରୁ କାର୍‌ରେ ଫେରୁଥିଲେ ଏହି ଚାରି ଜଣ। ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଫୋନ୍ ଲଗାଇଥିଲେ। ଏହାପରେ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା। ତେଣୁ ଫେରିବା ବାଟରେ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରି ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏ ନେଇ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାହାଘରକୁ ଯୋଗ ଦେବାକୁ ଯାଇଥିବାରୁ ମହିଳାମାନେ ଗହଣା ପିନ୍ଧିଥିବାର ସୂଚନା ରହିଛି। ତେଣୁ ଦୁର୍ବୃତ୍ତ ଲୁଟ୍ କରିବାକୁ ଯାଇ ଏପରି ଅପହରଣ କରିଥାଇପାରନ୍ତି। ଅନ୍ୟପଟେ କାରଟି ଏହି ଚାରି ଜଣଙ୍କ ମଧ୍ୟରୁ କିଏ ଚଳାଉଥିଲେ ନା ସ୍ୱତନ୍ତ୍ର କାର ଡ୍ରାଇଭର ଯାଇଥିଲେ ତାହା ଅସ୍ପଷ୍ଟ ରହିଛି । ଯଦି ଡ୍ରାଇଭର ପରିବାର ଲୋକ ହୋଇନଥିବେ ତାହାଲେ ତାଙ୍କ ଭୂମିକା ସନ୍ଦେହଜନକ ରହିଛି।

ଅନ୍ୟପଟେ କିଛି ଦାବି ପାଇଁ ଏହି ଘଟଣା ଅପହରଣ ନା ଲୁଟ୍ ଉଦ୍ଦେଶ୍ୟରେ ଏଭଳି ଘଟଣା ଘଟାଯାଇଛି ତାହା ତଦନ୍ତ ସାପେକ୍ଷ । ଯାହାକୁ ନେଇ ପୁଲିସ ତନାଘନା କରୁଛି।

Comments are closed.