Latest Odisha News

ନବୀନ କାହାକୁ ଭରସା କରିବେ ମୋଦୀ ନା ନୀତିଶ?

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରେ କାହା ସହିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷରୁ କମ୍ ସମୟ ରହିଛି । ଏହା ପୂର୍ବରୁ ନବୀନଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି ଅନେକ ରାଜନୈତିକ ଦଳ।

୨୦୨୪ ସାଧାରଣ ନିର୍ବାଚନ ବେଳକୁ ମୁଖ୍ୟ ସାମ୍ମୁଖ୍ୟ ଗଢ଼ି ବିଜେପି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର। ଏହି ସାମ୍ମୁଖ୍ୟରେ ଅଣ ବିଜେପି ଓ ଅଣ କଂଗ୍ରେସ ନେତାଙ୍କୁ ସାମିଲ ହେବାକୁ ଆହ୍ବାନ କରିଛି ନୀତୀଶଙ୍କ ନେତୃତ୍ୱାଧୀନ ଦଳ। ଆଉ ଏହି ଦଳ ମଧ୍ୟରେ ରହିଛି ନବୀନଙ୍କ ନେତୃତ୍ବାଧୀନ ବିଜେଡି। ହେଲେ ପଦ୍ମପୁର ଉପନିର୍ବାଚନ ବିଜୟୀ ପରେ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ମିଶି ରାଜ୍ୟର ବିକାଶ କରିବା କଥା। ଯଦିଓ ରାଜ୍ୟରେ ବିଜେପି ସହିତ ବାକଯୁଦ୍ଧ ଚାଲିଛି ହେଲେ ନବୀନଙ୍କ ଏପରି ବୟାନ କେନ୍ଦ୍ର ସହିତ ଶତ୍ରୁତା କମ୍ ବିକାଶ ପାଇଁ ତାଙ୍କ ଦଳ ସହଯୋଗ କରିବେ ବୋଲି ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି।

କ’ଣ କହିଲେ ନୀତୀଶ?

ଜେଡିୟୁର ଜାତୀୟ ପରିଷଦ ବୈଠକରେ ନୀତିଶ କୁମାର କହିଥିଲେ, ବିଜେପି ବିରୋଧରେ ନିର୍ବାଚନ ବେଳକୁ ତୃତୀୟ ସାମ୍ମୁଖ୍ୟ ନୁହେଁ ବରଂ ମୁଖ୍ୟ ସାମ୍ମୁଖ୍ୟ ହୋଇ ଲଢ଼ିବୁ । ଏଥିପାଇଁ ସେ ବିଭିନ୍ନ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ରାଜ୍ୟର ବିକାଶରେ କେନ୍ଦ୍ର ସହଯୋଗ କରୁନି ବୋଲି କହି ମେଣ୍ଟରୁ ଓହରିବା ପରେ ମୋଦୀ ସରକାର ବିରୋଧରେ ପୁଣିଥରେ ବର୍ଷିଛନ୍ତି।

ନବୀନଙ୍କୁ ଜନତା ପରିବାରରେ ସାମିଲ ହେବାକୁ ଆହ୍ୱାନ

ଡିସେମ୍ବର ୬ ତାରିଖରେ ଜେଡିୟୁର ବରିଷ୍ଠ ନେତା କେ.ସି ତ୍ୟାଗୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ନିରପେକ୍ଷତା’ ଶେଷ କରି ବୃହତ୍ତର ଜନତା ପରିବାର ସହ ମିଶି ଦେଶର ନେତୃତ୍ୱ ନେବାର ସମୟ ଆସିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରି ତ୍ୟାଗୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ବିକଳ୍ପ ଗଠନ ପାଇଁ ସମଭାବାପନ୍ନ ଦଳଗୁଡ଼ିକୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉଦ୍ୟମକୁ ବିଜେଡି ହାତ ବଢ଼ାଇବା ଉଚିତ। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ସାମାଜିକ ନ୍ୟାୟ ପାଇଁ ବେଶ୍ ଜଣାଶୁଣା ଏବଂ ୨୦୨୪ ମସିହା ପାଇଁ ନୀତିଶ କୁମାରଙ୍କ ମିଶନରେ ସାମିଲ ହେବା ଉଚିତ।

ବିଜେଡି ସହ ବିଜେପି ଡିଲ୍ କରିବନି: ଜୟନାରାୟଣ

ପଦ୍ମପୁର ଉପନିର୍ବାଚନ ପରେ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ଜାରି ରହିଛି। ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୨୦୨୪ରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହେବ। କୌଣସି ପରିସ୍ଥିତିରେ ବିଜେପି ବିଜେଡି ସହ ଡିଲ୍ କରିବନାହିଁ। ଉପନିର୍ବାଚନରେ କଂଗ୍ରେସ ଭୋଟ୍ ବିଜେଡି ଖାତାକୁ ଯାଇଥିବା ନେଇ ବିଜେପି ଦାବି କରିଛି। ଏହାପରେ ବିଜେପି ନେତା ଏଭଳି କିଛି କହିଛନ୍ତି।

ନବୀନଙ୍କ ଦଳ ବିରୋଧରେ ଜୋରଦାର ଲଢେଇ କରିବ ମୋଦୀଙ୍କ ଦଳ?

ନିକଟରେ ହୋଇଥିବା ନିର୍ବାଚନକୁ ଦେଖିଲେ ଗୁଜରାଟ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବିଜେପି ସେତେଟା ଭଲ ପ୍ରଦର୍ଶନ କରିନାହିଁ। ଅନ୍ୟପଟେ ଦିଲ୍ଲୀରେ ମୋଦୀ ବିରୋଧୀ ଅନେକ ନେତା ରହିଥିବା ବେଳେ ଦଳ ବାହାରେ ମିତ୍ର ସଂଖ୍ୟା କମିବାରେ ଲାଗିଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଟିଆରଏସ ବା ବିଆରଏସର ସୁପ୍ରିମୋ କେସିଆର, ଡିଏମକେ ମୁଖ୍ୟ ଏମ. କେ ଷ୍ଟାଲିନ, ଜେଡିୟୁ ସୁପ୍ରିମୋ ନୀତିଶ କୁମାର, ଜେଡିଏସ ମୁଖ୍ୟ ଏଚଡିକେ କୁମାରସ୍ବାମୀ ମୋଦୀ ବିରୋଧୀ ମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନବୀନଙ୍କ ସହ ଶତ୍ରୁତା କରିବାକୁ ବିଜେପିର ପୋଷ୍ଟର ବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାସ କରିବେ ନାହିଁ ବୋଲି କୁହାଯାଉଛି।

ନବୀନ ମୋଦୀ ବିରୋଧୀ ମେଳିରେ ସାମିଲ୍ ହେବେ?

ଅଣି ବିଜେପି ଶାସିତ ରାଜ୍ୟରେ ବାରମ୍ବାର କ୍ଷମତା ପରିବର୍ତ୍ତନ ହେବାର ନଜିର ରହିଛି। ସେହିପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରେଡ୍ ରାଜନୀତିର ଦୃଶ୍ୟପଟ୍ଟ ବଦଳାଇ ଦେଉଛି। ଯେତେବେଳେ ବ୍ଲାକରୋଜ, ଚିଟଫଣ୍ଡ ଓ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି ଏପରି ସ୍ଥିତିରେ ମୋଦୀ ବିରୋଧୀ ମେଳିରେ ନବୀନ ସାମିଲ ହେବେ ନାହିଁ ବୋଲି ସୂଚନା ରହିଛି।

Comments are closed.