କୋରାପୁଟ: କୋଟିଆରେ ଆନ୍ଧ୍ରକୁ ଝଟକା। ଶେଷ ମୁହୂର୍ତ୍ତରେ ୫ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର। ପ୍ରାର୍ଥୀ ଶୂନ ହେବାରୁ ଫେଲ ମାରିଲା ଆନ୍ଧ୍ରର ନିର୍ବାଚନୀ ଉଦ୍ୟମ। ବିବାଦୀୟ କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି ଟଣାଓଟରା। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ସାମିଲ ହେବାକୁ ନାମାଙ୍କନ ଭରିଥିବା ସମସ୍ତ ପାଞ୍ଚଜଣ ସରପଞ୍ଚ ପ୍ରାର୍ଥୀ ଶେଷ ମୁହୂର୍ତ୍ତରେ ନିର୍ବାଚନ ମଇଦାନରୁ ଓହରି ଯାଇଛନ୍ତି। ଫଳରେ ତିନୋଟି ଗାଁରେ ଏବେ ଓଡ଼ିଶା ପକ୍ଷରୁ କେହି ବି ସରପଞ୍ଚ ପ୍ରାର୍ଥୀ ନାହାନ୍ତି।
ଆସନ୍ତା ଡିସେମ୍ବର ୨ ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କ ଏହି ପଦକ୍ଷେପ ଆନ୍ଧ୍ରପ୍ରଦେଶର ନିର୍ବାଚନୀ ଉଦ୍ୟମକୁ ଏକ ବଡ଼ ଝଟକା ଦେଇଛି। ତିନୋଟି ଗ୍ରାମପଞ୍ଚାୟତରୁ ମୋଟ ୫ ଜଣ ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି- ଫାଗୁନାସିନେରୀ ପଞ୍ଚାୟତର ବେସୁ ଚୋଡାପଲ୍ଲୀ (ବିଶୁ ପାଙ୍ଗି) ଏବଂ କୁନେତି ଗିନ୍ଦି। ଫାଟୁସିନେରୀ ପଞ୍ଚାୟତ: ସେଡାପଲ୍ଲୀ ସାମୀ ନିଜର ପ୍ରାର୍ଥୀପତ୍ର ଫେରାଇ ନେଇଛନ୍ତି। ଗଞ୍ଜେଇପଦର ପଞ୍ଚାୟତ: ବାରସୋ ଚୋଡାପଲ୍ଲୀ ଏବଂ ତାଙ୍କ ପତ୍ନୀ କୋରା ସୁନ୍ଦରୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି।
ଏହି ୫ ଜଣ ପ୍ରାର୍ଥୀଙ୍କ ପ୍ରତ୍ୟାହାର ଫଳରେ ଫାଗୁନାସିନେରୀ, ଫାଟୁସିନେରୀ ଏବଂ ଗଞ୍ଜେଇପଦର ପଞ୍ଚାୟତରେ ଓଡ଼ିଶା ପକ୍ଷରୁ ଆଉ କୌଣସି ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ମୈଦାନରେ ନାହାନ୍ତି। କୋରାପୁଟ ଜିଲ୍ଲା ପ୍ରଶାସନ, ସର୍ବଦଳୀୟ ନେତୃବୃନ୍ଦ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ଉଦ୍ୟମ ଓ ବୁଝାସୁଝା ପରେ ପ୍ରାର୍ଥୀମାନେ ସ୍ୱେଚ୍ଛାକୃତ ଭାବେ ନାମାଙ୍କନ ଫେରାଇ ନେଇଛନ୍ତି। ଆନ୍ଧ୍ରପ୍ରଦେଶ ପ୍ରଶାସନ ପକ୍ଷରୁ କୋଟିଆର ୨୧ଟି ବିବାଦୀୟ ଗ୍ରାମକୁ ନେଇ ଆସନ୍ତା ଡିସେମ୍ବର ୨ ତାରିଖରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଘୋଷଣା କରାଯାଇଥିଲା।
କୋଟିଆବାସୀଙ୍କୁ ନିଜ ନିର୍ବାଚନୀ ପ୍ରକ୍ରିୟାରେ ସାମିଲ କରି ଏହି ଅଞ୍ଚଳରେ ନିଜର ପ୍ରଭାବ ଜାହିର କରିବାକୁ ଆନ୍ଧ୍ର ପ୍ରଶାସନ ଉଦ୍ୟମ କରୁଥିବା ଅଭିଯୋଗ ହୋଇଆସୁଛି। ଏଭଳି ସ୍ଥିତିରେ ସମସ୍ତ ପାଞ୍ଚଜଣ ପ୍ରାର୍ଥୀଙ୍କ ଓହରିଯିବା ଆନ୍ଧ୍ର ପାଇଁ ଏକ ବଡ଼ ରାଜନୈତିକ ଝଟକା ଭାବେ ଦେଖାଯାଉଛି। ଏହି ଘଟଣା ଏକ ବଡ଼ ବାର୍ତ୍ତା ଦେଉଛି ଯେ, କୋଟିଆର ଲୋକଙ୍କ ଇଚ୍ଛା ଓ ଗଣତାନ୍ତ୍ରିକ ଅଧିକାରକୁ ଅଣଦେଖା କରି କୌଣସି ନିର୍ବାଚନୀ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ସହଜ ନୁହେଁ।
