Latest Odisha News

୨୬/୧୧ ଶୈଳୀରେ ଆକ୍ରମଣ! କାବୁଲରେ ଚୀନ ନାଗରିକ ରହୁଥିବା ହୋଟେଲରେ ଗୁଳି ବର୍ଷା

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲରେ ବୋମା ଜରିଆରେ ଆକ୍ରମଣ ହୋଇଛି। ଚୀନର ଅଧିକାରୀ ଏବଂ ବ୍ୟବସାୟୀମାନେ ପ୍ରାୟତଃ ଏହି ହୋଟେଲରେ ରହିଥା’ନ୍ତି। ଏହା ଚୀନ୍ ଅଧିକାରୀଙ୍କ ଆଶ୍ରୟସ୍ଥଳ ଭାବରେ ଜଣାଶୁଣା। ଆକ୍ରମଣକାରୀମାନେ ଏବେ ମଧ୍ୟ ଉପସ୍ଥିତ ରହି ଏହି ହୋଟେଲରେ ଗୁଳି ଚଳାଉଛନ୍ତି। ଏହି ଘଟଣା ମୁମ୍ବାଇର ୨୬/୧୧ ଘଟଣା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ଆଫଗାନିସ୍ତାନର କାବୁଲରେ ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆତଙ୍କବାଦୀ ଗୁଳି ବର୍ଷଣ କରୁଥିବା ମଧ୍ୟ ଶୁଣିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ‘ଚୀନ ଲୋକ’ ରହୁଥିବା ସ୍ଥାନରେ ଏହି ଆକ୍ରମଣ କରାଯାଇଥିଲା। ଖବର ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ, ଚୀନର ବ୍ୟବସାୟୀମାନେ ପ୍ରାୟତଃ ଆଫଗାନିସ୍ତାନର ରାଜଧାନୀରେ ଅବସ୍ଥିତ ଏହି ବିଲ୍ଡିଂରେ ରହିଥା’ନ୍ତି।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ସମୟରେ ହୋଟେଲରେ କେତେ ଲୋକ ଅଛନ୍ତି ତାହା ଜଣା ପଡିନାହିଁ। ହୋଟେଲ ବାହାରେ ପୋଲିସ ଉପସ୍ଥିତ ଅଛି ଏବଂ ସେମାନେ ଆକ୍ରମଣକାରୀଙ୍କୁ କାବୁ କରିବାକୁ କିମ୍ବା ଏନକାଉଣ୍ଟର କରିବାକୁ ଚେଷ୍ଟା କରୁଛନ୍ତି।

ଏହି ହୋଟେଲ ଚୀନର ବ୍ୟବସାୟୀମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ବୋଲି କୁହାଯାଏ। ଆଫଗାନିସ୍ତାନରେ ତାଲିବାନ ଫେରିବା ପରେ ଚୀନର ବ୍ୟବସାୟୀମାନେ କ୍ରମାଗତ ଭାବରେ ଏଠାରେ ଭ୍ରମଣ କରୁଛନ୍ତି। କେତେକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ଏକ ଆତ୍ମଘାତୀ ଆକ୍ରମଣ ଯେଉଁଥିରେ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏଭଳି ସମୟରେ ଘଟିଛି,ଯେତେବେଳେ କି ଚୀନର ରାଷ୍ଟ୍ରଦୂତ ୱାଙ୍ଗ ୟୁ ଆଫଗାନିସ୍ତାନର ଉପ ବୈଦେଶିକ ମନ୍ତ୍ରୀ ଶେର ମହମ୍ମଦ ଷ୍ଟାନକଜାଇଙ୍କୁ ଭେଟିଛନ୍ତି।

ସୁରକ୍ଷା ଅଧିକାରୀ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ରଖି ନାହାନ୍ତି। କୁହାଯାଉଛି ଯେ ଆକ୍ରମଣକାରୀମାନେ ମଧ୍ୟ ଆତ୍ମଘାତୀ ଜ୍ୟାକେଟ ପିନ୍ଧିଥିଲେ।

Comments are closed.