Latest Odisha News

BREAKING NEWS

୨୦୨୪ ପାଇଁ ସମରସଜ୍ଜା, ବିଜେଡି ସହିତ ବିଜେପି ଓ କଂଗ୍ରେସ ପ୍ରସ୍ତୁତ କରିବ ରୋଡମ୍ୟାପ୍

ଭୁବନେଶ୍ୱର: ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଗୁରୁବାର (ଡିସେମ୍ବର ୧୫)ରେ ନବୀନ ନିବାସରେ ବିଜେଡିର ଏକ ବୈଠକ ବସିବାକୁ ଥିବା ବେଳେ ୧୭ ଓ ୧୮ ତାରିଖରେ ବିଜେପି ଓ କଂଗ୍ରେସ ବୈଠକ କରିବାକୁ ଯାଉଛି। କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ବିଜେପି ଜିଲ୍ଲା ସ୍ତରର ନେତାଙ୍କା ଡାକି ବୈଠକ କରିବାକୁ ଯାଉଥିବା ବେଳେ କଂଗ୍ରେସ ପ୍ରଭାରୀ ଚେହ୍ଲା କୁମାର ମଧ୍ୟ ବୈଠକ କରିବାକୁ ଯାଉଛନ୍ତି।

ବଂଶଲଙ୍କ ବୈଠକରେ ଜିଲ୍ଲା ସଭାପତି, ସମ୍ପାଦକ ଓ ଦଳର ବହୁ ବରିଷ୍ଠ ନେତା ଯୋଗ ଦେବାର ସୂଚନା ରହିଛି। ବଂଶଲ ବୈଠକ କରିବା ବେଳେ ବିଧାନସଭା ଓ ଲୋକସଭା ଆସନକୁ ତୃଣମୂଳ ସ୍ତରରୁ କିଭଳି ମଜଭୁତ କରାଯିବ ସେ ନେଇ ଆଲୋଚନା କରିବେ। ଏଥିସହ କଣ ସମସ୍ୟା ରହିଛି ସେ ଦିଗରେ ଆଲୋଚନା କରିବେ।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସୁନୀଲ ବଂଶଲ ସମସ୍ତ ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ, ପଦାଧିକାରୀ, କର୍ମୀ ଏବଂ ଦଳର କୋର ଟିମର ପ୍ରମୁଖ ସଦସ୍ୟଙ୍କୁ ଭେଟିବେ। ସାଙ୍ଗଠନିକ ପ୍ରକ୍ରିୟାକୁ ମଜବୁତ କରିବାକୁ ସେ ଗୁରୁତ୍ୱ ଦେବେ। ବିଜେଡି ସରକାର ବିରୋଧରେ ଆନ୍ଦୋଳନ କରିବାକୁ ମଧ୍ୟ ଯୋଜନା ରହିଛି। ଆଗାମୀ ନିର୍ବାଚନରେ ଭଲ ଫଳାଫଳ ହେବ ବୋଲି ଆଶା କରାଯାଉଛି। ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ବିଜେଡି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ସମସ୍ତ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରି ଦଳର କାର୍ୟ୍ୟପନ୍ଥା ପ୍ରସ୍ତୁତ କରିବେ। ସ୍ଥିତି ଦେଖି ଟିକେଟ ବାଣ୍ଟିବେ ଶୀର୍ଷ ନେତା।

ସେହିପରି ଡିସେମ୍ବର ୧୮ରେ କଂଗ୍ରେସ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ଦଳର ନେତା, ପ୍ରମୁଖ କର୍ମୀ, ବିଧାୟକ ଓ ବହୁ ବଡ଼ ବଡ଼ ନେତା ଏହି ବୈଠକରେ ଯୋଗଦେବେ ବୋଲି ସୂଚନା ରହିଛି।  କଂଗ୍ରେସର ଓଡିଶା ପ୍ରଭାରୀ ଡାକ୍ତର ଚେଲା କୁମାର ଏହି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.