Latest Odisha News

BREAKING NEWS

ଠିକ୍ ଭାବେ ଚାଲିପାରୁନି ବିଧାନସଭା, ଏପଟେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ତେଜିଲା ତର୍କ

ଭୁବନେଶ୍ୱର: ଓଡିଶାର ବିଧାୟକଙ୍କ ଦରମା ୧ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି ହେବ । ଏଭଳି ସୂଚନା ମିଳିବା ପରେ ଏହାକୁ ନେଇ ବିଭିନ୍ନ ତର୍କ ସାମ୍ନାକୁ ଆସିଛି। ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ଦ୍ୱାରା ଗଠିତ କମିଟି ଦରମା ବୃଦ୍ଧି ନେଇ ପ୍ରସ୍ତାବ ପଠାଇଛି। ବାଚସ୍ପତିଙ୍କୁ ଚିଠି ଲେଖି ବିଧାୟକମାନଙ୍କୁ ୨.୫ ଲକ୍ଷ ଟଙ୍କା ଦରମା ଓ ପୂର୍ବତନ ବିଧାୟକମାନଙ୍କୁ ୧ ଲକ୍ଷ ଟଙ୍କା ପେନସନ ପ୍ରଦାନ କରିବାକୁ କମିଟି ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ତେବେ ଓଡ଼ିଶା ସରକାର ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ହେଲେ ବିଧାନସଭା ଅଧିବେଶନ ଅଧାରୁ ବନ୍ଦ ହେଉଥିବା ବେଳେ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି।

ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ପ୍ରାୟ ୨ରୁ ୨.୫ ଲକ୍ଷ ଟଙ୍କା ବୋଲି ବିଧାୟକମାନେ ଦଳମତ ନିର୍ବିଶେଷରେ କହିଛନ୍ତି। କିନ୍ତୁ ଓଡ଼ିଶାର ବିଧାୟକଙ୍କ ଦରମାରେ କୌଣସି ଉଲ୍ଲେଖନୀୟ ବୃଦ୍ଧି ହୋଇନାହିଁ। ଦରମା, ପେନସନ, ଗସ୍ତ ଖର୍ଚ୍ଚ, ମେଡିକାଲ ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି କରାଯିବ ବୋଲି ସୂଚନା ରହିଛି।  ବିଧାୟକମାନେ ମଧ୍ୟ ସାଧାରଣ ଲୋକଙ୍କ ଭଳି କୋଭିଡ୍-୧୯ ଦ୍ୱାରା ସମାନ ଭାବେ ପ୍ରଭାବିତ ହୋଇଥିଲେ। ନିର୍ବାଚନ ମଣ୍ଡଳୀକୁ ଯିବା ଆସିବା ସମୟରେ ମଧ୍ୟ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ତେଣୁ ଅନ୍ୟ ରାଜ୍ୟର ବିଧାୟକଙ୍କ ତୁଳନାରେ ଓଡ଼ିଶାର ବିଧାୟକଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଉ ବୋଲି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି।

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ଦରମା ବୃଦ୍ଧି ସୁପାରିଶ ଦେଖି ନାହିଁ। କିନ୍ତୁ ଅନ୍ୟ ରାଜ୍ୟର ବିଧାୟକଙ୍କ ତୁଳନାରେ ଓଡ଼ିଶାର ବିଧାୟକମାନେ ଯେତିକି ଦରମା ପାଉଛନ୍ତି, ତାହା ବହୁତ କମ୍। ତେଣୁ ନିଶ୍ଚିତ ଭାବେ ଦରମା ବୃଦ୍ଧିକୁ ସମର୍ଥନ କରିଛନ୍ତି ସମ୍ବଲପୁର ବିଧାୟକ।

ଅନ୍ୟପକ୍ଷରେ, କଂଗ୍ରେସ ନେତାମାନେ କହିଛନ୍ତି ଯେ ପ୍ରକୃତରେ ବିଧାୟକଙ୍କ ଦରମା ବୃଦ୍ଧି ଆବଶ୍ୟକ ଥିଲା, କିନ୍ତୁ ଏହା ସଠିକ୍ ସମୟ ନୁହେଁ। ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, ଦରମା ବୃଦ୍ଧି କରିବାର ଆବଶ୍ୟକତା ରହିଛି, କାରଣ ଆମ ଉପରେ ଅଧିକ କାମର ବୋଝ ରହିଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଏବଂ ଅନ୍ୟ ପ୍ରତିଭାବାନ ଯୁବକମାନଙ୍କୁ ଆମକୁ ସହଯୋଗର ହାତ ବଢ଼ାଇବାକୁ ହେବ। କିନ୍ତୁ ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଅନେକଙ୍କୁ ବର୍ଗର ଲୋକଙ୍କୁ ଖାଦ୍ୟ ମିଳୁନାହିଁ। ତେଣୁ ଦରମା ବୃଦ୍ଧି ଦାବି କରିବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ ବୋଲି ସୁର ରାଉତରାୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ବିଧାନସଭା ଅଧିବେଶନ ବସୁଛି। କିନ୍ତୁ ଗୃହରେ ପ୍ରକୃତ ସମସ୍ୟା ବା ଲୋକଙ୍କ  ସମସ୍ୟା ଆଲୋଚନା ହୋଇପାରୁନି। ଅଧିକାଂଶ ସମୟ ଅଧିବେଶନ ଅଳ୍ପ ଦିନ ଚାଲି ବନ୍ଦ ହୋଇଯାଉଛି। ନିକଟରେ ବିଧାନସଭାର ଶୀତଅଧିବେଶନ ଧାର୍ଯ୍ୟ ସମୟର ୨୫ ଦିନ ପୂର୍ବରୁ ମୁଲତବୀ ହୋଇଥିଲା । ପଦ୍ମପୁର ନିର୍ବାଚନ ସମୟରେ ୩୦ରୁ ଅଧିକ ବିଧାୟକ ଗୃହରେ ଅନୁପସ୍ଥିତ ଥିଲେ । ଏଭଳି ସ୍ଥଳେ ବିଧାୟକଙ୍କ ଦରମା ବଢିବା କଥା କି ନୁହେଁ ତାଉପରେ ନୂଆ ବିତର୍କ ଆରମ୍ଭ ହୋଇଛି। ଏପରି ସ୍ଥିତିରେ ବିଧାୟକଙ୍କୁ ଦରମା ଦେବା ଠିକ୍ ନୁହେଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ବିଧାୟକମାନେ ସଠିକ ଭାବରେ ତାଙ୍କର ଦାୟିତ୍ୱ ତୁଲାଉ ନାହାନ୍ତି ଏପରି ସ୍ଥିତିରେ ଦରମା ବୃଦ୍ଧିକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି।

Comments are closed.