ତିରୁଅନନ୍ତପୁରମ: ରଣଜୀ ଟ୍ରଫି ଏଲାଇଟ୍ ଗ୍ରୁପ୍ ସିର ଏକ ମ୍ୟାଚ୍ରେ ଓଡ଼ିଶା ପ୍ରାରମ୍ଭିକ ସଫଳତା ପାଇଥିଲେ ମଧ୍ୟ, ଦିନର ଶେଷ ଭାଗକୁ କେରଳ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଛି । ତିରୁଅନନ୍ତପୁରମର ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍ ଜିତି ପ୍ରଥମେ ବୋଲିିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶାର ନୂତନ ବଲ୍ ବୋଲରମାନଙ୍କ ଘାତକ ବୋଲିଂ ଆକ୍ରମଣ ଆଗରେ କେରଳ ମାତ୍ର ୧୮ ରନ୍ରେ ୩ ୱିକେଟ୍ ଏବଂ ପରେ ୧୦୧ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଦଳୀୟ ସ୍ଥିତି ଦୁର୍ବଳ ଥିବାବେଳେ ଅଭିଜ୍ଞ ବ୍ୟାଟର ସଚିନ୍ ବେବି ଏବଂ ୱିକେଟ୍କିପର-ବ୍ୟାଟର ମହମ୍ମଦ ଆଜହରୁଦ୍ଦୀନ ଦଳକୁ ସମ୍ଭାଳିଥିଲେ ।
ଉଭୟଙ୍କ ମଧ୍ୟରେ ଏକ ଦୃଢ଼ ୧୪୧ ରନ୍ର ଭାଗିଦାରୀ ହୋଇଥିଲା । ସଚିନ୍ ବେବି ତାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟରର ୧୬ତମ ଶତକ (୧୧୨ ରନ୍) ଅର୍ଜନ କରିଥିଲେ । ଦିନର ଶେଷ ସୁଦ୍ଧା କେରଳ ୬ ୱିକେଟ୍ ହରାଇ ୨୪୫ ରନ୍ ସଂଗ୍ରହ କରିଛି । ଓଡ଼ିଶା ପକ୍ଷରୁ ଲଳିତ ଯାଦବ (୨/୨୯) ଏବଂ ରାଜେଶ ମହାନ୍ତି (୧/୫୧) ପ୍ରାରମ୍ଭିକ ସଫଳତା ଦେଇଥିଲେ । ଏହାସହ ୨୨ ବର୍ଷୀୟ ସୌମ୍ୟ ଲେଙ୍କା ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ (ଯେଉଁଥିରେ ସଚିନ୍ ବେବିଙ୍କ ମୂଲ୍ୟବାନ ୱିକେଟ୍ ମଧ୍ୟ ସାମିଲ) ଅଧିକାର କରିଛନ୍ତି ।
ସଂକ୍ଷିପ୍ତ ସ୍କୋର: କେରଳ (ପ୍ରଥମ ଇନିଂସ): ୨୪୫/୬ (ସଚିନ୍ ବେବି ୧୧୨, ମହମ୍ମଦ ଆଜହରୁଦ୍ଦୀନ ୭୨, ଲଳିତ ଯାଦବ ୨/୨୯, ସୌମ୍ୟ ଲେଙ୍କା ୨/୪୧) ।

