Latest Odisha News

BREAKING NEWS

ଓଡ଼ିଶା ବିଧାନସଭା: ମରୁଡ଼ି ପରିସ୍ଥିତି ଓ ଚାଷୀ ଆତ୍ମହତ୍ୟା ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ସ୍ୱଳ୍ପ ମୌସୁମୀ ବୃଷ୍ଟିପାତ ଯୋଗୁଁ ମରୁଡ଼ି ପରିସ୍ଥିତିର ଆଶଙ୍କା ନେଇ ଓଡ଼ିଶା ବିଧାନସଭାରେ ଶୁକ୍ରବାର ଦିନ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ।

ଗୃହର ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ, ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡ଼ି ପରିସ୍ଥିତି ଉପୁଜିବା ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଚାଷୀ ।

ବଲାଙ୍ଗୀର ଜିଲ୍ଲା ବରକାନୀ ଗ୍ରାମର ଚାଷୀ ଭକ୍ତବନ୍ଧୁ ଦଣ୍ଡସେନା ଫସଲ ହାନୀ ଯୋଗୁଁ ଜୀବନ ହାରିଛନ୍ତି, ବୋଲି କହିଥିଲେ ବିଧାୟକ ଶ୍ରୀ ସାଲୁଜା । ଏସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରିବା ସହିତ ସ୍ପଷ୍ଟିକରଣ ଦେବାକୁ ସେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଅନୁରୋଧ କରିଥିଲେ । ଏଥିସହିତ ରାଜ୍ୟସରକାର ଏନେଇ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସେ ବାଚସ୍ପତିଙ୍କଠୁଁ ଜାଣିବାକୁ ଚାହିଁଥିଲେ ।

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ରାଜ୍ୟ ଏଷ୍ଟିମେଟ କମିଟି ଜିଲ୍ଲାର ମରୁଡ଼ି ଅଞ୍ଚଳ ଏଯାଏଁ ପରିଦର୍ଶନ କରିନାହାଁନ୍ତି । “ଯଦି କମିଟି ଜିଲ୍ଲା ଗସ୍ତ ନ’କରନ୍ତି ତେବେ ଆମେ ଏନେଇ ପଦକ୍ଷେପ ଗ୍ରହଣ କରିବୁ,” ବୋଲି କହିଥିଲେ ଶ୍ରୀ ମିଶ୍ର ।

ବାଚସ୍ପତି ଏହାକୁ ଗୁରୁତ୍ୱ ମନେକରିବା ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଏନେଇ ଆସନ୍ତା ୨ ଦିନ ମଧ୍ୟରେ ଗୃହରେ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.