Latest Odisha News

ଜେଏସପି ଫାଉଣ୍ଡେସନର ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ ସହାୟତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସମାଜର ଦୁର୍ବଳ ବର୍ଗର ମହିଳା ଏବଂ ବାଳିକାଙ୍କୁ ସେମାନଙ୍କ ଉଚ୍ଚ ଶିକ୍ଷା ଏବଂ ଦକ୍ଷତା ତାଲିମ ପାଇଁ ଆର୍ଥିକ ସହାୟତା ପରିସରକୁ ବିସ୍ତାର କରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ସଂସ୍ଥା ଜେଏସପି ଫାଉଣ୍ଡେସନ ଆଜି ଯଶସ୍ଵୀ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିଛି । ଜେଏସପି ଫାଉଣ୍ଡେସନର ଚେୟାରମ୍ୟାନ୍ଶା ଲୁ ଜିନ୍ଦଲ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ୫୧୨୨ ମହିଳା ଓ ବାଳିକାମାନଙ୍କୁ ଛାତ୍ରବୃତ୍ତି ପତ୍ର ବଣ୍ଟନ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀମତୀ ଜିନ୍ଦଲ କହିଥିଲେ, “ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶ ସମାଜର ଆର୍ଥିକ ଦୁର୍ବଳ ବର୍ଗର ବହୁ ମହିଳା ଏବଂ ବାଳିକାଙ୍କ ପାଇଁ ଏବେ ବି ଏକ ଆହ୍ୱାନ । ଶିକ୍ଷା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳା ଏବଂ ବାଳିକାମାନଙ୍କୁ ସଶକ୍ତିକରଣ କରିବା ଦିଗରେ ଯଶସ୍ଵୀ ପଦକ୍ଷେପ । ମୁଁ ବହୁତ ଖୁସି ଯେ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସହାୟତା ପାଇଥିବା ଅନେକ ଝିଅ ସେମାନଙ୍କ ତାଲିମ୍ ପରେ ଚାକିରି ପାଇଛନ୍ତି । ଆଶା କରୁଛି, ଯଶସ୍ଵୀ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆହୁରି ଅଧିକ ମହିଳା ଏବଂ ବାଳିକାଙ୍କୁ ସେମାନଙ୍କର ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ କରିବ” ।

ଯଶସ୍ଵୀ କାର୍ଯ୍ୟକ୍ରମର ପରିଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜେଏସପି ଫାଉଣ୍ଡେସନର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ କୁମାରୀ ଯଶସ୍ଵିନୀ ଜିନ୍ଦଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମନୋନୀତ ମହିଳା ଓ ବାଳିକାମାନଙ୍କୁ ଉତ୍ସାହିତ କରିଥିଲେ।

ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ସମାଜର ଦୁର୍ବଳ ବର୍ଗର ଯୋଗ୍ୟ ମହିଳା ଏବଂ ବାଳିକାମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯଶସ୍ଵୀ ଯୋଜନା ଜେଏସପି ଫାଉଣ୍ଡେସନର ଏକ ଫ୍ଲାଗସିପ୍ ପଦକ୍ଷେପ । ମନୋନୀତ ଛାତ୍ରୀମାନେ ନିଜ ପସନ୍ଦର ଅନୁଷ୍ଠାନ ବା କଲେଜଗୁଡ଼ିକରେ ଉଚ୍ଚଶିକ୍ଷା କିମ୍ବା ଧନ୍ଦାମୂଳକ ତାଲିମ୍ କୋର୍ସରେ ପାଠ ପଢ଼ି ପାରିବେ । ସେମାନଙ୍କର ପାଠ୍ୟକ୍ରମ ଫି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଫି ବାବଦକୁ ଆର୍ଥିକ ସହାୟତା ଜେଏସପି ଫାଉଣ୍ଡେସନ ଦ୍ଵାରା ପ୍ରଦାନ କରିବ । ଅଗଷ୍ଟ ୨୦୨୨ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୫୦୮ ଝିଅଙ୍କୁ ସହାୟତା ମିଳିଥିଲା | ଆର୍ଥିକ ବର୍ଷ ୨୦୨୨-୨୩ରେ ଏହି କାର୍ଯ୍ୟକ୍ରମରେ ୧୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଜେଏସପି ଫାଉଣ୍ଡେସନ ଯୋଜନା ରଖିଛି ।

ଯଶସ୍ଵୀ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ପାଇଁ, ଜେଏସପି ଫାଉଣ୍ଡେସନକୁ ଦଶ ହଜାରରୁ ଅଧିକ ଆବେଦନ ମିଳିଥିଲା । ଆବଶ୍ୟକୀୟ ମନୋନୟନ ପ୍ରକ୍ରିୟା ମାଧ୍ୟମରେ ୧୦ରାଜ୍ୟର ୩୨୬ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ୫୧୨୨ ବାଳିକା ଏବଂ ମହିଳା ମାନଙ୍କୁ ଚୟନ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୮୨୩ ଜଣ ମହିଳା ଏବଂ ବାଳିକା ଡାକ୍ତରୀ, ଦନ୍ତ ଚିକିତ୍ସା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ବାଣିଜ୍ୟ, କମ୍ପ୍ୟୁଟର ସାଇନ୍ସ, ନର୍ସିଂ, ସାମାଜିକ ବିଜ୍ଞାନ, ଆଇନ୍, ସାମାଜିକ କାର୍ଯ୍ୟ, ଫାର୍ମାସି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଚ୍ଚଶିକ୍ଷା କରୁଛନ୍ତି ।

ସେହିଭଳି ୨୨୯୯ ମହିଳା ଏବଂ ବାଳିକାମାନେ ବିୟୁଟିସିଆନ୍ ପାଠ୍ୟକ୍ରମ, ଡ୍ରେସ୍ ଡିଜାଇନ୍, କମ୍ପ୍ୟୁଟର ପାଠ୍ୟକ୍ରମ, ଆତିଥ୍ୟ, ଡାଟା ଏଣ୍ଟ୍ରି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଧନ୍ଦାମୂଳକ  ତାଲିମ୍ ନେଉଛନ୍ତି । ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୩୦୧୯ ମହିଳା ଏବଂ ବାଳିକା ଏହି କାର୍ଯ୍ୟକ୍ରମରେ ଆର୍ଥିକ ସହାୟତା ପାଇଁ ମନୋନୀତ । ଏହି ମନୋନୀତ ମହିଳା ଏବଂ ବାଳିକାମାନଙ୍କ ପାଠପଢ଼ା କିମ୍ବା ତାଲିମ ନିମନ୍ତେ ସହାୟତା ରାଶି ସିଧାସଳଖ ସେମାନଙ୍କ ଶିକ୍ଷାନୁଷ୍ଠାନ ଓ ତାଲିମକେନ୍ଦ୍ରକୁ ପ୍ରଦାନ କରାଯିବ ।

ଜେଏସପିର ସଭାପତି ତଥା ଗ୍ରୁପ୍ ହେଡ୍ (ସିଏସ୍ଆର୍) ପ୍ରଶାନ୍ତ କୁମାର ହୋତା ଏହି କାର୍ଯ୍ୟକ୍ରମର ଲକ୍ଷ୍. ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଯଶସ୍ଵୀ କାର୍ଯ୍ୟକ୍ରମର ଦ୍ଵିତୀୟ ସଂସ୍କରଣରେ ବହୁ ଉତ୍ସାହର ସହିତ ଭାଗ ନେଇଥିବାରୁ ସେ ଉପସ୍ଥିତ ମହିଳା ଓ ବାଳିକା ତଥା ବିଭିନ୍ନ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ ।

ଜେଏସପିର ଗୃପ ସିଇଓ (ଷ୍ଟିଲ ଡିଭିଜନ) ଡିକେ ସରୋଗୀ, ଏଜ୍ଯୁକୁଟିଭ ଡାଇରେକ୍ଟର (ରାଇଗଡ) ସବ୍ୟସାଚୀ ବନ୍ଦୋପାଧ୍ୟାୟ, ଜେପିଏଲ ତମନାର ଏଜ୍ଯୁକୁଟିଭ ଡାଇରେକ୍ଟର ଛବିନାଥ ସିଂ ଏବଂ ଜେଏସପିର ସମସ୍ତ ୟୁନିଟ ସିଏସଆର ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜେଏସପିର ଏଜ୍ଯୁକୁଟିଭ ଡାଇରେକ୍ଟର (ଅନୁଗୁଳ) ହୃଦୟେଶ୍ଵର ଝା ଧନ୍ୟବାଦ ଅର୍ପଣ କରିଥିଲେ ।

ଶିକ୍ଷା ଏବଂ ଦକ୍ଷତା ବିକାଶର ସ୍ୱପ୍ନକୁ ସାକାର କରିବା ନିମନ୍ତେ ସହାୟତା ପାଇଁ ଉପସ୍ଥିତ ମହିଳା ଏବଂ ବାଳିକାମାନେ ଜେଏସପି ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି । “ଜେଏସପି ଫାଉଣ୍ଡେସନ ଦ୍ୱାରା ଯଶସ୍ଵୀ କାର୍ଯ୍ୟକ୍ରମ ମୋ ସହିତ ମୋ ପରି ଅନେକ ଝିଅ ମାନଙ୍କ ପାଇଁ ଏକ ଆଶାର ଆଲୋକ । ମୋ ପରିବାରର ଦୁର୍ବଳ ଆର୍ଥିକ ଅବସ୍ଥା ପାଇଁ ମୁଁ କିପରି ମୋର ଶିକ୍ଷା ସମାପ୍ତ କରିପାରିବି ସେ ବିଷୟରେ ଚିନ୍ତିତ ଥିଲି । ବର୍ତ୍ତମାନ ଜେଏସପି ଫାଉଣ୍ଡେସନର ସହାୟତା ପରେ ମୁଁ ମୋର ସ୍ୱପ୍ନକୁ ପୂରଣ କରିପାରିବି ବୋଲି ମୁଁ ନିଶ୍ଚିତ,” ବୋଲି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଏମବିବିଏସ ଛାତ୍ରୀ ପ୍ରିୟଙ୍କା ବିଶୋୟୀ କହିଥିଲେ ।

Comments are closed.