ପ୍ରବୀଣ କୁମାର କବି
ସବୁଥର ମୁଁ ଡାକିବା ପୂର୍ବରୁ ହିଁ
ତୁମେ ଆସି ସାରିଥାଅ
ଆଉ, ତୁମସହ ଆସିସାରିଥାନ୍ତି
କେଇବୁନ୍ଦା ଶୋଷ
ଆଉ କେତେଟୋପା ଝାଳ!
ତୁମ ପାଟି ଶୁଣି
ମୁଁ କବାଟ ଖୋଲେ।
ହେଲେ, ତୁମକୁ ଦେଖିବା କ୍ଷଣି
ହଠାତ୍ ମୋ ଭଙ୍ଗାଚାଳରୁ ଝଡ଼ିପଡେ
ଆନୁରାଗର ଚେନାଏ ଆକାଶ,
ଆଉ ସେ ଆକାଶର ଟୁକୁରାକୁ ସାଉଁଟୁ ସାଉଁଟୁ
ବଖରାଏ ବିଶ୍ଵାସରେ
ମୁଁ ଯେମିତି ଅଣନିଃଶ୍ୱାସୀ ହୋଇପଡେ।
ମୋତେ ଅଣନିଃଶ୍ୱାସୀ କରିପକାନ୍ତି
ମାେ କଳ୍ପିତ ସ୍ବପ୍ନ,
ତୁମ ମୁକୁଳା ପ୍ରତିବିମ୍ବ,
ଆଉ ମୋ ଦେହର ବାସି ଭୋକମାନେ।
କିଛିସମୟ ପାଇଁ
ବରଫ ପାଲଟିଯାନ୍ତି
ମାେ ଭିତରେ ନିମଗ୍ନ ଥିବା
ଅପ୍ରମିତ ଦୁଃଖ ଓ ଦରଜ।
ଆଉ ତାପରେ!
ତାପରେ ପ୍ରେମର ତଣ୍ଟି ଚିପି
ଭୂମିଷ୍ଠ ହୁଏ ପାପ
ଆଉ, ପାପରୁ ମିଳେ ଶାନ୍ତି!
କିନ୍ତୁ, ଶାନ୍ତିର ସ୍ପର୍ଶ ପାଉପାଉ
ତୁମେ ମୋ ଭିତରୁ ଖସିଯାଅ
ଆଉ ମୋ ହାତରେ ଧରେଇଦେଇ ଯାଅ
ଗୋଟେ ନିବୁଜ୍ ଲଫାପା।
ଲଫାପାକୁ ଯେବେ ମୁଁ ଚିରେ
ଲଫାପାରେ ପାଏ ମୁଁ ଲୁହଙ୍କ ଠିକଣା,
ଆଉ, ପଛକୁ ଚାହିଁଲେ ଦେଖେ
କିଛି ଭୋକ,
କିଛି ଶୋକ,
କିଛି ଦରଫୁଟା ଦୁଃଖଙ୍କ ବିଛଣା!!
Comments are closed.