ଚେନ୍ନାଇ/ହାଇଦ୍ରାବାଦ: ତାମିଲନାଡୁରେ ସରକାର ଗଠନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଂଗ୍ରେସ ନିଜର ବିଧାୟକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛି। ଦଳର ସମସ୍ତ ୫ ଜଣ ବିଧାୟକଙ୍କୁ ବିମାନ ଯୋଗେ ତାମିଲନାଡୁରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି।
ତାମିଲନାଡୁରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ ବିଧାୟକମାନଙ୍କୁ ଅନ୍ୟ ଦଳ ନିଜ ଆଡ଼କୁ ଟାଣିବା ବା ‘ହର୍ସ ଟ୍ରେଡିଂ’ କରିବା ଭୟରେ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି।
କଂଗ୍ରେସ ପୂର୍ବରୁ ଅଭିନେତା ବିଜୟଙ୍କ ଦଳ TVK କୁ ସରକାର ଗଠନ ପାଇଁ ସମର୍ଥନ ଜଣାଇ ସାରିଛି। ଟିଭିକେ ପାଖରେ ଏବେ ୧୦୮ ବିଧାୟକ ଥିବାବେଳେ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ସରକାର ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ବିଧାୟକମାନଙ୍କୁ ହାଇଦ୍ରାବାଦର ଏକ ବିଳାସପୂର୍ଣ୍ଣ ରିସର୍ଟରେ ରଖାଯାଇଛି। ତେଲେଙ୍ଗାନାରେ କଂଗ୍ରେସ ସରକାର ଥିବାରୁ ସେଠାରେ ବିଧାୟକମାନେ ଅଧିକ ସୁରକ୍ଷିତ ରହିବେ ବୋଲି ଦଳ ବିଚାର କରୁଛି।
ତାମିଲନାଡୁରେ ସରକାର ଗଠନ ପାଇଁ ସଂଖ୍ୟା ଗଣିତ ଏବେ ଜଟିଳ ପରିସ୍ଥିତିରେ ଅଛି। ସୁପ୍ରିମକୋର୍ଟରେ ମାମଲା ପହଞ୍ଚିବା ଏବଂ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ବିଳମ୍ବ ହେଉଥିବାରୁ ଦଳଗୁଡ଼ିକ ନିଜ ବିଧାୟକଙ୍କୁ ଏକଜୁଟ କରି ରଖିବାକୁ ଚେଷ୍ଟା କରୁଛନ୍ତି।