Latest Odisha News

BREAKING NEWS

ହୃଦୟ ଜିଣିଛି ହଦଗଡ..ଥରେ ଗଲେ ଫେରିବାକୁ ମନବଳୁନି

ହାଟଡିହି: ଏପଟେ ଡ୍ୟାମ..ସେପଟେ ଡ୍ୟାମ.. ମଝିରେ ବିସ୍ତୀର୍ଣ୍ଣ ନୀଳ ଜଳରାଶି । ସବୁଜ ପଣତ ଉଡେଇ ଯେମିତି ଚାରିପଟେ ନାଚୁଛି ଫୁଲେଇ ପ୍ରକୃତି.. । ଯିଏ ଥରେ ଯାଉଛି ସେ ତାର ପ୍ରେମରେ ପଡିଯାଉଛି । ଘଡିଏ ପାଇଁ ଯାଇ ଫେରିବାକୁ ମନ କରୁନି ।  ଏ ହେଉଛି ପ୍ରାକୃତିକ ସୗେନ୍ଦର୍ଯ୍ୟରେ ବିମଣ୍ଡିତ ‘ହଦଗଡ’ର ଆଖି  ଝଲସେଇ ଦେଲା ପରି ଦୃଶ୍ୟ ।

ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକରୁ ୧୬କିଲୋମିଟର ଦୂର ଗଲେ ପଡେ  ହଦଗଡ଼ ଡ୍ୟାମ। ୧୯୬୮ ମସିହାରେ ତିଆାରି ହୋଇଥିଲା ଏହି ଡ୍ୟାମ । ଉଦ୍ଦେଶ୍ୟ ଥିଲା ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିବା । ହେଲେ ଏହାର ପ୍ରାକୃତିକ ଶୋଭାକୁ ଯିଏ ଦେଖିଲା ଘଡିଏ ଚାହିଁ ରହିଲା । ସମୟ କ୍ରମେ ହଦଗଡ ପାଲଟିଗଲା ଏକ ପିକନିକ ସ୍ପଟ ।

ଗୋଟିଏ ପଟେ ଜଳଭଣ୍ଡାରର ବିସ୍ତିର୍ଣ୍ଣ ଜଳରାଶି ।  ଅନ୍ୟପଟେ ଡ୍ୟାମରୁ ଦୁଇଟି ଫୁକାରରେ ବାହାରୁଥିବା ପାଣି କୁଳୁ କୁଳୁ ସ୍ୱରରେ ବହୁଥିବାର ସ୍ୱର ।  ଶୀତ ଦିନରେ ଡ୍ୟାମ ପାଶ୍ୱର୍ରେ ହଜାର ହଜାର ପର୍ଯ୍ୟଟକ ଏବେ ଭିଡ ଜମାଇଛନ୍ତି । ଦୁଇବର୍ଷର କରୋନା କଟକଣା ପରେ ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲୋକଙ୍କ ଭିଡ ଜମିବାରେ ଲାଗିଛି ।

ପ୍ରତିବର୍ଷ ଡିସେମ୍ବର ମାସରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପର୍ଯ୍ୟଟକ ମାନେ ଏହି ଜଳଭଣ୍ଡାର ନିକଟରେ ବଣଭୋଜି କରିବା ସହିତ ଏଠାକାର ସବୁଜ ଘେରା ବଣ ପାହାଡର ମନୋରମ ଦୃଶ୍ୟ ଉପଭୋଗ କରିଥାନ୍ତି । ବିଶେଷକରି ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି ।

ଏତେ ସଂଖ୍ୟକ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ  କୌଣସି ବ୍ୟବସ୍ଥା କରାଯାଇନାହିଁ । ତେବେ ହଦଗଡ ପଞ୍ଚାୟତ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୂୂର୍ବତନ ସରପଞ୍ଚ ମଦନ ମୋହନ ନନ୍ଦିଙ୍କ ନେତୃତ୍ୱରେ ୪୦ରୁ ଊର୍ଦ୍ଧ୍ୱ ଯୁବକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଯୁବକସଂଘର ସଦସ୍ୟ ମାନେ ଗାଡି ପାର୍କିଂଠାରୁ ଆରମ୍ଭ କରି ଶାନ୍ତି ଶୃଙ୍ଖଳା ପାଇଁ ନିୟୋଜିତ ହୋଇଛନ୍ତି । କିନ୍ତୁ ଏଠାରେ ପାନୀୟଜଳ, ଶୌଚାଳୟର କୌଣସି ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ମାନେ ଅସୁବିଧା ଭୋଗୁଛନ୍ତି । ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି।

 

 

Comments are closed.