Latest Odisha News

ଶ୍ମଶାନରୁ ଋଷୀୟ ପର୍ଯ୍ଯଟକଙ୍କ ଅବଶେଷ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାୟଗଡା ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ଦୁଇ ଋଷୀୟ ପର୍ଯ୍ଯଟକଙ୍କ ପୋଡି ଯାଇଥିବା ଅବଶେଷକୁ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍। ଚାରି ଜଣିଆ ଅଧିକାରୀ ଓ ଫରେନସିକ୍ ବିଶେଷଜ୍ଞଙ୍କୁ ନେଇ ଗଠିତ କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ାର ସେହି ଶ୍ମଶାନ ଘାଟ ପରିଦର୍ଶନ କରି ପୋଡି ଯାଇଥିବା ଅବଶେଷକୁ ଜବତ କରିଛନ୍ତି।

ଯେଉଁଥିରେ ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ୍ ଓ ତାଙ୍କ ସାଙ୍ଗ ଭୋଲଦମିର୍ ବିଦାନୋଭଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଫରେନସିକ୍ ଯାଞ୍ଚ ପାଇଁ ସେମାନେ ସେମାନଙ୍କର ପୋଡ଼ି ଯାଇଥିବା ଅବଶେଷକୁ ଜବତ କରିଛନ୍ତି। ଏଥିସହିତ ଦୁଇ ପର୍ଯ୍ୟଟକ ରହୁଥିବା ହୋଟେଲ ସାଇ ଇଣ୍ଟରନ୍ୟାସନାଲର ରୁମକୁ ଯାଇ ଯାଞ୍ଚ କରିଥିଲେ।

ମୃତ୍ୟୁ ପୂର୍ବରୁ ସେମାନେ ରହୁଥିବା ହୋଟେଲର ନଂ ୩୧୯ ଓ ୪୦୧କୁ ଜବତ କରିବା ସହ କିଛି ସାମଗ୍ରୀ ଜବତ କରିଛି ତଦନ୍ତକାରୀ ଟିମ୍। ସେମାନେ ଡିସେମ୍ବର ୧ରୁ ୨୭ ତାରିଖ ଯାଏ ହୋଟେଲରେ ରହୁଥିବା ଅତିଥିଙ୍କ ତାଲିକା ସହ ସେମାନଙ୍କ ସମ୍ପୃକ୍ତ ଠିକଣା ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରୁଛି ପୋଲିସ। ଏଥିରେ ହୋଟେଲ କର୍ମଚାରୀଙ୍କ ନାମ ମଧ୍ୟ ରହିଛି।

କ୍ରାଇମବ୍ରାଞ୍ଚ ଟିମ୍ ଅନ୍ୟ ରୁଷୀୟ ଦମ୍ପତିଙ୍କ ବୟାନ ରେକର୍ଡ କରିଛି। ଯେଉଁମାନେ କି ଟୁରିଷ୍ଟ ଗାଇଡ କରୁଥିବା ଜିତେନ୍ଦ୍ର ସିଂହଙ୍କ ସହାୟତାରେ ପାଭେଲ ଏବଂ ବିଦାନୋଭଙ୍କ ସହ ଯାଇଥିଲେ। ଅନ୍ୟପଟେ କେନ୍ଦ୍ରୀୟ ତଦନ୍ତଅଧିକାରୀ ଏ ଦିଗରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କ୍ରାଇମବ୍ରାଞ୍ଚ ଯୋଜନା କରୁଛି।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ରାୟଗଡ଼ାର ଏକ ତିନି ମହଲା ହୋଟେଲରୁ ଖସି ବିଦାନୋଭଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହାର ଦୁଇ ଦିନ ପରେ ସେହି ହୋଟେଲରେ ହିଁ ପାଭେଲଙ୍କ ସନ୍ଦେହଜନକ ହୃଦଘାତରେ ମୃତ୍ୟୁ ହୋଇଥିଲା।

 

Comments are closed.