Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମାଅବସରରେ ଆମେ ଅଟକିଛେ ମା ଲଷ୍ମୀଙ୍କ
ପାଖରେ, ଶ୍ରୀମନ୍ଦିରର ବାୟୁ କୋଣରେ ମହାଲଷ୍ମୀଙ୍କ ମନ୍ଦିର ଅବସ୍ଥିତ। ମନ୍ଦିରଟି ମୁଖ୍ୟତଃ ଚାରି ଭାଗରେ ବିଭକ୍ତ ୧ . ଗର୍ଭଗୃହ ବା ବିମାନ ୨ . ଜଗମୋହନ ୩ . ନାଟ ମଣ୍ଡପ ୪ . ଅଚିନ୍ତା ମଣ୍ଡପ.ମୂଖ୍ୟ ମନ୍ଦିର ବା ବିମାନର ଉଚ୍ଚତା ପ୍ରାୟ ୬୦ ଫୁଟ ଓ ଐତିହାସିକଙ୍କ ମତରେ ମହାରାଜ ମୁକୁନ୍ଦ ଦେବଙ୍କ ପାତ୍ର ପିତାମ୍ବର ବିଦ୍ୟାଧର ମହାପାତ୍ର ଏହି ବିମାନ ସହ ଜଗମୋହନ ପ୍ରଥମେ ନିର୍ମାଣ କରିଥିଲେ। ପରେ ଅନ୍ୟ ଦୁଇଟି ମଣ୍ଡପ ଯଥା ନାଟ ମଣ୍ଡପ ଓ ଅଚିନ୍ତା ମଣ୍ଡପ ନିର୍ମାଣ ସହ ପ୍ରଥମ ଦୁଇଟି ଅଂଶରେ ମଧ୍ୟ କିଛି ପୁନଃ ସଂସ୍କାର ହୋଇଛି। ସେଥିପାଇଁ ଉଭୟ ଗର୍ଭଗୃହ ଓ ଜଗମୋହନର ନିମ୍ନ ଭାଗ କାରୁକାର୍ଯ୍ୟ ପୂର୍ଣ୍ଣ ଥିବା ସମୟରେ ଉପରଭାଗ ସlଦା ପଥରରେ କାରୁକାର୍ଯ୍ୟ ବିହୀନ ଭାବରେ ବର୍ତ୍ତମାନ ଦୃଶ୍ୟମାନ ହୁଏ। ଏହି ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ତିନି ଦିଗରେ ଯଥା ପୂର୍ବ, ଦକ୍ଷିଣ ଓ ଉତ୍ତର ଦିଗରେ ପ୍ରବେଶ ପଥ ରହିଛି।ମନ୍ଦିର ଗର୍ଭଗୃହକୁ ପ୍ରବେଶ ପୂର୍ବରୁ ଦକ୍ଷିଣ ପାର୍ଶ୍ଵରେ କମନୀୟ ଲଷ୍ମୀ ନୃସିଂହଙ୍କ ମଣିମୟ ବିଗ୍ରହ, ଉତ୍ତର ପାର୍ଶ୍ଵରେ ବରାହ ମୂର୍ତ୍ତି ବିରାଜିତ ହୋଇଛନ୍ତି ।ଜଗମୋହନ କାନ୍ଥରେ ଗଣେଶ, ହନୁମାନ, ନୃସିଂହ, ବରାହ, ଲଷ୍ମୀ ନୃସିଂହ ଓ ରାମାନୁଜଚାର୍ଯ୍ୟଙ୍କ ଚିତ୍ର ପ୍ରତିମା ରହିଛି. ଜଗମୋହନ ଦୁଇ ପାର୍ଶ୍ଵରେ ମହିଷାରୂଢ ଯକ୍ଷ ଦେବତା ବିରାଜମାନ କରିଛନ୍ତି। ମନ୍ଦିରରୁ ବାହାରିବା ମାର୍ଗରେ ଉଭୟ ପାର୍ଶ୍ଵରେ ଯଥା କ୍ରମେ ନୃସିଂହ ଓ ବରାହଙ୍କ ସମ୍ମୁଖରେ ଇନ୍ଦ୍ର ଓ ଶଙ୍ଖ ଚକ୍ର ଧନୁଶଧାରୀ ଶ୍ରୀନାରାୟଣଙ୍କ ବିଗ୍ରହ ଦୃଷ୍ଟିଗୋଚର ହୁଏ। କଥିତ ଅଛି ମନ୍ଦିର ପରିକ୍ରମା ଜନିତ ବାଧାରୁ ମୁକ୍ତି ପାଇଁ ଓ ମନକୁ ଚିନ୍ତାମୁକ୍ତ କରି ପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ହେଲେ ଏହି ମନ୍ଦିରର ଅଚିନ୍ତା ମଣ୍ଡପରେ ଘଡିଏ ବସିବାକୁ ହୁଏ। ଆସନ୍ତୁ ତେବେ ଟିକିଏ ବସିବା ଆଉ ଆରାଧନା କରିବା ମହାଲଷ୍ମୀଙ୍କୁ “ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଶ୍ରୀହରି ପ୍ରିୟା, ଇନ୍ଦିରା ଲୋକମାତା ମା, କ୍ଷୀରାବ୍ଧିତନୟା ରମା “(ଅମରକୋଷ )। ଜୟ ମା ଲଷ୍ମୀ

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.