Latest Odisha News

ହିତାଧିକାରୀ ଜାଣିବେ କିଏ ଦେଉଛି ଚାଉଳ, ବିଜେଡି କହିଲା ମାଇଲେଜ ନେବାକୁ ଚେଷ୍ଟା କରୁଛି ବିଜେପି

ଭୁବନେଶ୍ୱର: ରାଜନୀତିରେ ଯେଉଁ କିଛି ପ୍ରସଙ୍ଗ ସବୁଦିନ ଚର୍ଚ୍ଚାରେ ଥାଏ ତାହେଲେ ଚାଉଳ ରାଜନୀତି। ନିର୍ବାଚନ ବେଳେ ନବୀନ ଚାଉଳ ଦେଉଛନ୍ତି ବୋଲି ରାଜ୍ୟର ଶାସକ ଦଳ ବିଜେଡି ଭୋଟ୍ ମାଗିବାର ନଜିର ରହିଛି। ହେଲେ କେନ୍ଦ୍ର ଯୋଜନାରେ ରାଜ୍ୟ କିଛି ଟଙ୍କା ଦେଇ ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିବା ବିରୋଧୀ ବିଜେପି ଅଭିଯୋଗ ଆଣିଥିଲା। ଏଭଳି ସ୍ଥିତି ବିଭିନ୍ନ ରାଜ୍ୟରେ ଉତ୍ପନ୍ନ ହେବା ପରେ କେନ୍ଦ୍ର ସରକାର ପିଡିଏସ ସାମଗ୍ରୀକୁ ସବସିଡିରେ ନଦେଇ ସମ୍ପୂର୍ଣ୍ଣ ମାଗଣା କରିଛନ୍ତି। ଏଥିସହ ହିତାଧିକାରୀ ଚାଉଳ ନେଲେ ଏକ ରସିଦ ପାଇବେ। ଏହି ରସିଦରେ କେନ୍ଦ୍ର ସରକାର ଏହି ଯୋଜନା ଦେଉଛନ୍ତି ବୋଲି ଉଲ୍ଲେଖ ରହିବ। ଅର୍ଥାତ୍ ମୋଦୀ ବ୍ରାଣ୍ଡରେ ହିତାଧିକାରୀ ପାଇବେ ଗହମ, ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ।

ଏନେଇ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଜ୍ୟଗୁଡ଼ିକୁ ଚିଠି ଲେଖି ସୁନିଶ୍ଚିତ କରିବାକୁ କହିଛି ଯେ ଏନ୍ଏଫ୍ଏସ୍ଏ ବଣ୍ଟନ ପାଇଁ ‘ଏକ୍ସକ୍ଲୁସିଭ୍ ପ୍ରିଣ୍ଟ୍ ରସିଦ୍’ ଛପାଯାଉ ଏବଂ ରାଜ୍ୟ ଯୋଜନା ପାଇଁ ଅଲଗା ରସିଦ୍ ଛପାଯାଉ। ଖୁବଶୀଘ୍ର ରସିଦର ଫର୍ମାଟ କେନ୍ଦ୍ର ପଠାଇବ ବୋଲି କୁହାଯାଇଛି।

କେନ୍ଦ୍ରର ଏହି ନିଷ୍ପତ୍ତି ସମ୍ପର୍କରେ ବିଜେପି ବିଧାୟକ ପ୍ରକାଶ ସୋରେନ୍ କହିଛନ୍ତି, ଓଡ଼ିଶା ସରକାର ଏବେ କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି ନିଜର ବୋଲି ରିବ୍ରାଣ୍ଡ୍ କରିପାରିବେ ନାହିଁ। ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ପ୍ରିଣ୍ଟ ରସିଦ ପ୍ରଦାନ କରିବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର କହିଛନ୍ତି।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଏହି ପଦକ୍ଷେପ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି କରିବ ଏବଂ ପିଡିଏସ ହିତାଧିକାରୀମାନେ ଏହାର କ୍ଷତି ସହିବେ। ରାଜ୍ୟ ସରକାର କୌଣସି କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରିନାହାନ୍ତି। ଅଯଥାରେ ବ୍ରାଣ୍ଡିଂ କରି ବିଜେପି ପଲିଟିକାଲ ମାଇଲେଜ ନେବାକୁ ଚେଷ୍ଟା କରୁଛି । କଂଗ୍ରେସ କହୁଛି କେନ୍ଦ୍ର ସରକାର ଯଦି ମାଇଲେଜ ଚାହୁଁଛି, ନେଉ କିନ୍ତୁ ଗରିବଙ୍କ ପାଇଁ ଚାଉଳ ଶୀଘ୍ର ବଣ୍ଟନ କରାଯାଉ।

 

 

Comments are closed.