ଯାଜପୁର: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ନେଇ FIR ହୋଇଛି। ଏହି ଘଟଣାର ଅଭିଯୁକ୍ତ ୪୮ ଘଣ୍ଟାରେ ହେବେ ଗିରଫ । ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲ । ସିସିଟିଭି, ମୋବାଇଲ ଫୁଟେଜ ଯାଞ୍ଚ ଚାଲିଛି । ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏସପିଙ୍କ ପ୍ରତିଶ୍ରୁତି ପରେ ବିଜେଡି ନେତା ଓ କର୍ମୀ ଧାରଣାରୁ ଉଠିଥିଲେ ।
ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାର ଓ ପୋଲିସକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ପୋଲିସ ଓ ସରକାର କାହିଁକି ନିରବ ବୋଲି ସେ ପ୍ରଶ୍ନ କରିଛନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ପୋଷ୍ଟ କରି ନବୀନ କହିଛନ୍ତି ଯେ, ଜେନାପୁର ଥାନା ମଧୁପୁରଗଡ଼ରେ ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ପୋଲିସ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କ ଉପରେ ଏଭଳି ଆକ୍ରମଣ ହେବାକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । ଅପରାଧୀଙ୍କୁ ଏ ସାହସ କିଏ ଦେଉଛି? ଓଡ଼ିଶାରେ ଆଇନର ଶାସନ ଚାଲିଛି ନା ଗୁଣ୍ଡାଙ୍କର? ବୋଲି ପ୍ରଶ୍ନ କରି ଛନ୍ତି ନବୀନ ।
ଏହାକୁ ନେଇ ସରଗରମ ହୋଇଛି ଧର୍ମଶାଳା ରାଜନୀତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଟେକା ମାଡ଼ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏସପିଙ୍କୁ ଭେଟିଥିଲେ ବିଜେଡି ନେତା। ବିଜେଡି ପଦଯାତ୍ରା କାର୍ଯକ୍ରମ ଚାଲିଥିବା ବେଳେ ପ୍ରଣବ ଜେନାପୁର ଅଞ୍ଚଳରେ କର୍ମୀ ସମାବେଶ କରୁଥିଲେ । ସେହି ସମୟରେ ଅଚାନକ କିଛି ଲୋକ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପ୍ରଣବଙ୍କ ଗାଡି ଉପରକୁ ପାନଚ୍ଛେପ ଓ ଟେକା ମାରି ଭଙ୍ଗା ରୁଜା କରିଥଲେ। ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଧର୍ମଶାଳାରେ ଉତ୍ତେଜନା ଦେଖିବାକୁ ମିଳିଛି।

