Latest Odisha News

BREAKING NEWS

ପୁଣି ପରଦାରେ ସର୍ଜିକାଲ୍ ଷ୍ଟ୍ରାଇକ୍‌

ମୁମ୍ବାଇ: ‘ହାଓ ଇଜ୍‌ ଦ ଜୋସ୍‌’ ….’ ହାଏ ସାର’ – ଏଭଳି ନାରା ଶୁଣିଲେ ମନେପଡେ ଭାରତୀୟ ଯବାନଙ୍କ ବୀରଗାଥାର ଚଳଚ୍ଚିତ୍ର ‘ଉରି ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କଥା । ଅଭିନେତା ଭିକି କୌଶଲଙ୍କ ଏହି ଡାଇଲଗ ଶୁଣିଲେ ଆଜିବି ପ୍ରତ୍ୟେକ ଭାରତୀୟଙ୍କ ରକ୍ତରେ ଶତ୍ରୁ ପ୍ରତି ପ୍ରତିଶୋଧର ବହ୍ନି ଜଳିଉଠିବ।

ଉରିଠାରେ ହୋଇଥିବା ଭାରତୀୟ ଯବାନଙ୍କ ଉପରେ ଆକ୍ରମଣକୁ ନେଇ ଚଳିତ ବର୍ଷ ଜାନୁଆରୀ ୧୧ତାରିଖରେ ରିଲିଜ୍‌ ହୋଇଥିଲା ଚଳଚ୍ଚିତ୍ର ‘ଉରି ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ । ଫିଲ୍ମଟି ଅନେକ ପ୍ରଶଂସା ସାଉଁଟିବା ସହ ୩୪୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ ବି କରିଥିଲା। ଏଥିରେ ଅଭିନେତା ଭିକି କୌଶଲ୍‌ ଜବରଦସ୍ତ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଥଲେ ଅଭିନେତ୍ରୀ ୟାମି ଗୌତମ ।

ଏହା ଭିତରେ ଅନେକ ବଲିଉଡ୍‌ ଫିଲ୍ମ ରିଲିଜ୍‌ ହୋଇଯାଇଥିଲେ ମଧ୍ୟ ‘ଉରି’ର କ୍ରେଜ୍‌ ଏଯାଏଁ ରହିଛି। ଏହାକୁ ନେଇ ଲୋକେ ଏବେବି ଆଲୋଚନା କରୁଛନ୍ତି। ଆଉ ଏଭଳି ଏକ ସ୍ଥିତିରେ ପୁଣି ଥରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି।

ଜୁଲାଇ ୨୬ ତାରିଖ ଅର୍ଥାତ୍ ଆସନ୍ତାକାଲି ‘କାର୍ଗିଲ୍ ବିଜୟ ଦିବସ’ ଅବସରରେ ଏହି ଫିଲ୍ମଟି ପୁଣି ରିଲିଜ୍ ହେବ। ମହାରାଷ୍ଟ୍ରର ୫୦୦ ସିନେମା ହଲ୍‌ରେ ଏହା ରିଲିଜ୍ ହେବ ବୋଲି ଏହାର ପ୍ରଯୋଜକ ରୋନୀ ସ୍କ୍ରୁୱାଲା ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଦେଶବାସୀଙ୍କୁ ଗର୍ବ ଅନୁଭବ କରାଇବା ପାଇଁ ଏହି ଫିଲ୍ମର ନିର୍ମାଣ କରାଯାଇଥିଲା। ଆସନ୍ତା କାଲି କାର୍ଗିଲ ଦିବସ ଅବସରରେରେ ପୁଣି ଥରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ମୁଁ ଗର୍ବ ଅନୁଭବ କରୁଛି।”

ସୂଚନାଯୋଗ୍ୟ, ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଏକ ସତ୍ୟ ଘଟଣା ଉପରେ ଆଧାରିତ।୨୦୧୬ରେ ଜମ୍ମୁ କଶ୍ମୀରର ଉରିରେ ସେନାଙ୍କ କ୍ୟାମ୍ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୧୯ଜଣ ଯବାନ ସହିଦ୍ ହୋଇଥିଲେ। ଏହାର ସପ୍ତାହେ ପରେ ଭାରତୀୟ ସେନା କଶ୍ମୀରରେ ନିୟନ୍ତ୍ରଣ ରେଖା ଡେଇଁ ସର୍ଜିକାଲ୍ ଷ୍ଟ୍ରାଇକ୍‌ କରିଥିଲା। ଆଉ ଏହି ଫିଲ୍ମଟି ତା’ରି ଉପରେ ଆଧାରିତ।

Leave A Reply

Your email address will not be published.