Latest Odisha News

BREAKING NEWS

ଆବାସ ଯୋଜନାରେ ଅଯବ ମାପଦଣ୍ଡକୁ ନେଇ ଉଠିଲା ପ୍ରଶ୍ନ, ବିଜେପି କହିଲା ତୃଣମୂଳ ସ୍ତରରେ ଘେରିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ଏବେ ପଞ୍ଜାୟତ ଅଫିସରେ ଝୁଲୁଛି । ଅନେକ ସ୍ଥାନରେ ଝାଟିମାଟି ଘର ଭିତରେ ରହୁଥିବା ଲୋକ ଭୋଟ୍ ଦେଇ ଘର ଖଣ୍ଡିଏ ପାଇଁ ଯେଉଁ ଆଶା ରଖିଥିଲା ତାହା ସଫଳ ନହେବା ପରେ ଏବେ ଅସନ୍ତୋଷ ଝାଡିବା ଆରମ୍ଭ କରିଛି । ଆଉ କେଉଁଠି ଜଣେ ପୁରୁଣା ଗାଡି କିଣିଛି ବୋଲି ଯୋଗ୍ୟ ହିତାଧିକାରୀ ତାଲିକାରେ ବାଦ୍ ପଡିଥିବାରୁ କାହାକୁ ଦୋଷ ଦେବ ନଜାଣିପାରି ନିଜ ଭାଗ୍ୟକୁ ଦୋଷ ଦେଇଛି । ଅନ୍ୟପଟେ ଆଗକୁ ନିର୍ବାଚନ ପାଖଉଥୁବାରୁ ସରକାର ବିରୋଧୀ ହାଓ୍ୱାକୁ ଅଧିକ ଶାଣିତ କରିବାକୁ ବିଜେପି ତୃଣମୂଳ ସ୍ତରରେ ଆବାସ ଯୋଜନାକୁ ନେଇ ସରକାରକୁ ଘେରିବାକୁ ଯୋଜନା କରିଛି।

କଟକ ଜିଲ୍ଲା ନିଆଳି ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତର ଶଙ୍କର ରାଉତ ପିଏମ୍ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବେ ବୋଲି ଆଶା ରଖିଥିଲେ । ହେଲେ ପ୍ରକାଶ ପାଇଥିବା ତାଲିକାରେ ତାଙ୍କର ନାଁ ନାହିଁ। ଏହାର କାରଣ ଜାଣିବା ପରେ ସେ ମୁଣ୍ଡରେ ହାତ ଦେଇଛନ୍ତି । କାରଣ ପରିବା ବିକ୍ରି କରି ଘର ଚଳାଉଥିବା ଏହି ବ୍ୟକ୍ତି ଜଣଙ୍କ ସୋସାଇଟିରୁ ଋଣ କରି ଏକ ପୁରଣା ଗାଡି କିଣିଥିଲେ । ତେଣୁ ଆବାସ ଯୋଜନାରେ ଚାଳ, ଛପର ଥାଇ ଯଦି ଗାଡି ଥିବ ତାହେଲେ ଘର ମିଳିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ ବୋଲି ସର୍ତ୍ତ ରହିଛି । ହେଲେ ସେ କହିଛନ୍ତି, ଆଜିର ଦିନରେ ଗାଡିଟିଏ ନହେଲେ ବ୍ୟବସାୟ କରିବା ସହଜ ନୁହେଁ। ପୂର୍ବ ଭଳି ଟଲି କିମ୍ବା ଅନ୍ୟାନ୍ୟ ଯାନବାହାନ ନାହିଁ ଖର୍ଚ୍ଚ କାଟ ପାଇଁ ନିଜେ ଗାଡିଟିଏ ନକେଲେ ବ୍ୟବସାୟ କରି ଲାଭ ମିଳିବା କଷ୍ଟକର।

ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସାଧାରଣ ଲୋକଙ୍କୁ ନ୍ୟାୟ ଦେବାକୁ ବିଜେପି ରାଜରାସ୍ତାକୁ ଓହ୍ଲାଇବ । ଗରିବ ଲୋକଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଆବାସ ମିଳିବ ସେଥିପାଇଁ ପଞ୍ଚାୟତ ଅଫିସ ଓ ବ୍ଲକ ଅଫିସ, ପିଡି-ଡିଆରଡିଏ ଅଫିସ ଘେରାଉ କରିବ । ଏହି ସବୁ ସରକାରୀ ସଂସ୍ଥା ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି ସେ କହିଛନ୍ତି। ଏ ନେଇ ୨୨ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ । ଏହି ବୈଠକରେ ଏ ବାବଦରେ ନିଷ୍ପତ୍ତି ନିଆଯିବ। ଆଇନ ସବୁବେଳେ ଅବାଟରେ ଯାଉଛି। ଯାହାର କୋଠା ଅଛି ତାଙ୍କୁ ପକ୍କାଘର ମିଳୁଛି, କିନ୍ତୁ ଝୁମ୍ପୁଡିରେ ରହୁଥିବା ଗରିବଙ୍କୁ ମିଳୁନାହିଁ। ଏହା ଓଡିଶାର ସବୁଠୁ ବଡ଼ ଦୁର୍ଭାଗ୍ୟ। ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପାଇଁ ଲକ୍ଷ୍ୟ ଥିଲା । କିନ୍ତୁ ଆଜି ଯାଏଁ ହୋଇପାରିଲା ନାହିଁ । ଏବେ କହିବେ ଯେ କେନ୍ଦ୍ର ଦେଉନାହିଁ କିନ୍ତୁ ରାଜ୍ୟ କେତେ ଜଣଙ୍କ ତାଲିକା ପଠାଇଥିଲା ଏବଂ କେନ୍ଦ୍ର କେତେ ଦେଲା ସେ ନେଇ ସାର୍ବଜନୀନ କରିବା ଦରକାର ବୋଲି ସେ କହିଛନ୍ତି ।

କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, ଆବାସ ଯୋଜନାରେ ସ୍ୱଚ୍ଛତା ନାହିଁ। ଗରିବ, ଆଦିବାସୀ ଲୋକଙ୍କ ନାଁ ତାଲିକାରେ ନାହିଁ। ଯେଉଁ ୯ ଲକ୍ଷ ୭ ହଜାର ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି ସେଥିରେ କେବଳ ବିଜେଡି ଲୋକ ହିଁ ଘର ପାଇଛନ୍ତି। ହେଲେ ଯେଉଁ ସର୍ତ୍ତ କେନ୍ଦ୍ର ସରକାର ରଖିଛନ୍ତି ସେ ନେଇ ମୋଦୀ ସରକାରକୁ ଦାୟୀ କରିଛନ୍ତି ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ଗରିବ ଲୋକ ଉପେକ୍ଷିତ ହୋଇଛନ୍ତି । ଯେଉଁମାନେ ଧନୀ ସେମାନେ ଗୋଟିଏ ନୁହେଁ ତିନୋଟି ଲେଖାଏଁ ଘର ପାଇଛନ୍ତି । ଆବଶ୍ୟକ ପଡିଲେ ଭିଜିଲାନ୍ସ ତଦନ୍ତ କରିବାର ଆବଶ୍ୟକତା ରହିଛି ।

ସେହିପରି ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ବ୍ଲକ ସ୍ତରରେ ବିଡିଓଙ୍କ ପାଖରେ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ନିକଟରେ ଲୋକେ ୨୪ ତାରିଖ ମଧ୍ୟରେ ଅଭିଯୋଗ କରିହେବ । ଏହାପରେ ଗ୍ରାମସଭାରେ ନିଷ୍ପତି ନିଆଯିବ ।

କେଉଁ କାରଣ ପାଇଁ ହାତିଧିକାରୀ ଘର ପାଇବାକୁ ଅଯୋଗ୍ୟ?

ବାଇକ୍ କି ସ୍କୁଟି ଥିଲେ ମିଳିବ ନାହିଁ ଘର

ମାଛ ଧରା ଡ଼ଙ୍ଗା ଥିଲେ ଘର ମିଳିବନି

ଫ୍ରିଜ୍ ଥିଲେ ମିଳିବନି

ଚାଳ ଘର ଥାଇ ଫ୍ରିଜ ଥିଲେ ମିଳିବନି

ଅଟୋ (ଉଭୟ ମାଲବାହୀ, ଯାତ୍ରୀବାହୀ), ଚାରି ଚକିଆ, ଥିଲେ ମିଳିବନି

କିଷାନ କ୍ରେଡିଟ୍ କାର୍ଡରେ ୫୦ ହଜାର ଟଙ୍କାର କ୍ରେଡିଟ୍ ଲିମିଟ୍ ଥିଲେ ମିଳିବନି

ପରିବାରର ସରକାରୀ ଚାକିରିଆ ଥିଲେ ମିଳିବନି

ଜଳସେଚନ ଯନ୍ତ୍ରାଂଶ ଥିବା ଘର ମିଳିବନି

Comments are closed.