ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୨
ସେ ।
ଯୁଦ୍ଧ କ୍ଷେତ୍ରକୁ ସେ ପ୍ରବେଶ କରିଥିଲେ ଯେମିତି ସେ ଜଣେ ପ୍ରାଚୀନ ନୀଳନଦୀ ଦେଶ ର ରାଣୀ, କ୍ଲିଓପାର୍ଟ୍ରା । ଗୋଟିଏ ସୁବର୍ଣ୍ଣ ହାନ୍ଦୋଳାରେ ସେ ବସିଥାନ୍ତି ଆଉ ତାଙ୍କର ଦେହରେ ଶୋଭାପାଉଥାଏ ସେ ସମୟର ପ୍ରଚଳିତ ଥିବା ରାଜପୋଷାକ ଆଉ ମଥାରେ ଥାଏ ରତ୍ନ ଖଚିତ ମୁକୁଟ,ଯାହା ନିରନ୍ତର ଏକ ପ୍ରାଚୀନତାର ଭ୍ରମ ଦେଉଥାଏ । ଅତରର ବାସ୍ନାରେ ଆଖ ପାଖ ଯୁଦ୍ଧକ୍ଷେତ୍ର ସୁରଭିତ ।
ସେହି ସୁବର୍ଣ୍ଣ ହାନ୍ଦୋଳାକୁ ବହନ କରି ଆସିଥାନ୍ତି ଚାରିଜଣ । ବଳଶାଳୀ ସୌମ୍ୟଦର୍ଶନ ପୁରୁଷ ସେମାନେ । ସେମାନଙ୍କ ମାଂଶପେଶି ଯାହା ଦୃଶ୍ୟମାନ ସେସବୁ ଅଲିଭ ତେଲରେ ମାଜଣା ହୋଇଥିବା କାରଣରୁ ସୂର୍ଯ୍ୟକିରଣର ପ୍ରତିଫଳନକୁ ଆମନ୍ତ୍ରଣ କରୁଥାଏ ଆଉ ଚକଚକ । ସେମାନଙ୍କ ଦେହରେ ଥାଏ ଅତୀତକାଳର ରୋମୀୟମାନଙ୍କର ଉତ୍ସବ ସମୟର ଯାହା ଏକବସ୍ତ୍ର ପରିଧାନ,ତୋଗା ।
ସମସ୍ତେ ହସହସ । ଯେଉଁ ଉପସ୍ଥିତି ନାରୀତ୍ୱକୁ ଏଇ ଭଳି ଏଠିକୁ ବହନ କରି ଆଣିଛି ସେଇ ଭଳି ପୁରୁଷ ସମଗ୍ର,ଯେଉଁ ନାରୀ ଜଣକ ଏହିଭଳି ନିଜର ମହିମାକୁ ବିସ୍ତାର କରି ଏଠାରେ ଉପସ୍ଥିତ ସେ ଏବଂ ଯେଉଁ ପ୍ରତୀକକୁ ପ୍ରତିଷ୍ଠିତ କରିବାର ଆୟୋଜନ ସେ,ଏଇ ଭଳି ଏଇ ତିନି ଟି ଏକକ,ସଭିଏଁ ହସ ହସ ।
ସେ ।
ସେ ଯୁଦ୍ଧକ୍ଷେତ୍ରକୁ ପ୍ରବେଶ କରିଥିଲେ ଗୋଟିଏ ହାତଟଣା ରିକସାରେ । ରିକସାଟିରେ ସେମିତି କିଛି କାରୁକାର୍ଯ୍ୟ ନଥିଲା । ଏହି ରିକସାଟିକୁ ଟାଣି ଟାଣି ଆଣିଥିଲେ କେତେଜଣ ନାରୀ । ସମସ୍ତଙ୍କ ଦେହରେ ସେତିକି ମାତ୍ର ପୋଷାକ ଯାହା ଜଣେ ନାରୀର ସମସ୍ତ ସଂଭ୍ରମତାକୁ ଠିକ୍ ଯେମିତି ଆଢୁଆଳ କରି ରଖିପାରିବ ।
ସେ ସେହି ହାତଟଣା ରିକସାରେ ପ୍ରସନ୍ନ ଚିତ୍ତରେ ବସିଥାନ୍ତି । ତାଙ୍କର ବେଶଭୂଷାରେ ସେମିତି କୌଣସି ନୂତନତ୍ୱ ନଥିଲା । କେବଳ ସେ ଯେଉଁ ପ୍ରତୀକାତ୍ମକତାକୁ ପରିଭାଷିତ କରିବା ପାଇଁ ଚାହୁଁଛନ୍ତି ତାହାର ଏକ ଯଥେଷ୍ଟ ସଂକ୍ଷିପ୍ତ ଆୟୋଜନ ସେଇଠି ଥିଲା ସେଦିନ ।
ସେ ନିଜର ମୁହଁ ତୁଳନାରେ ଯଥେଷ୍ଟ ବଡ ନିଶଟିଏ ଲଗାଇଥିଲେ । ମୁହଁରେ ଏହିଭଳି ଅସ୍ୱାଭାବିକ ନିଶଟିଏ ରହିଛି ବୋଲି ଦେଖାଇବା ପାଇଁ ତାଙ୍କୁ ବିଶେଷରେ ନିଜର ଦୁଇହାତର ସହଯୋଗ ନେବାକୁ ପଡୁଥିଲା ।
ସେ ।
ଯୁଦ୍ଧକ୍ଷେତ୍ରରେ ସାମ୍ନା ସାମ୍ନି ହେବା ପରେ ସେ ତାଙ୍କୁ ଭେଟି ଦେଇଥିଲେ ଗୋଟିଏ ଘୁଷୁରି। ଘୁଷୁରିଟି ସେତେବେଳେ ଆର୍ତ୍ତ ଚିତ୍କାର କରୁଥାଏ ।
ଘୁଷୁରୀ ହେଉଛି ନାରୀଦ୍ୱେଷୀ ପୁରୁଷର ପ୍ରତୀକ । ଏକଥା ସମସ୍ତେ ଜାଣନ୍ତି । ସେ ତାଙ୍କ ସମ୍ପର୍କରେ ଯୁଦ୍ଧ ପୂର୍ବରୁ କହିଥିଲେ,ସେ ଜଣେ ଘୁଷୁରୀ ।
ସେ ।
ସେ ତାଙ୍କୁ ପ୍ରତିବଦଳ ରେ ପ୍ରଦାନ କରିଥିଲେ ଗୋଟିଏ ଲଲିପପ୍ ।
ସାମାନ୍ୟ ଟିକିଏ ମଧୁରତାରେ ନାରୀ ବଶବର୍ତ୍ତି ବୋଲି ପୁରୁଷତନ୍ତ୍ରର ଏକ ଚିରାଚରିତ ବିଚାର ।
ଯୁଦ୍ଧ ଘଟିବା ପୂର୍ବରୁ ସେ ନିଜର ମନ୍ତବ୍ୟରେ କହିଥିଲେ, ନାରୀକୁ ଖୁବ ସହଜରେ ନିଜର ଅକ୍ତିଆରରେ ରେ ରଖାଯାଇ ପାରିବ । ସେଇଥିପାଇଁ ଯେଉଁ ଦୁଇଟି ସରଳ ବାଟ ରହିଛି ତାହାହେଉଛି , ନାରୀକୁ ଗର୍ଭବତୀ କରି ରଖିବା ଅଥବା ତାହାର ପାଦକୁ ପିନ୍ଧିଲା ଭଳି ଚପଲ୍ ଆଦୌ ଯୋଗାଇ ନଦେବା ।
ସେତିକିରେ ତାଙ୍କର ନାରୀଦ୍ୱେଷର ସମାପ୍ତ ହୋଇନଥିଲା । ସେ ନିଜର ବକ୍ତବ୍ୟକୁ ଆହୁରି ପୁରୁଷାଳି କରି କହିଥିଲେ,ଯେ କୌଣସି ପେଷାଦାର ଖେଳକୁ ନିଅ, ଧର ଏଇ ଯେମିତି ଆମର ଟେନିସ୍ ,ଏଇ ସବୁରେ ନାରୀମାନେ ସାଧାରଣତଃ ପୁରୁଷର ଶତକଡା ପଚିଶ ଭାଗ କ୍ରୀଡାସାମର୍ଥ୍ୟର ପ୍ରଦର୍ଶନ କରିଥାନ୍ତି , ତେଣୁ ପୁରୁଷ ତୁଳନାରେ ନିର୍ଦ୍ଧାରିତ ପୁରସ୍କାର ଅର୍ଥରାଶିର ଶତକଡା ପଚିଶ ଭାଗ ଅର୍ଥ ସେମାନଙ୍କର ପ୍ରାପ୍ୟ ହେବା ଉଚିତ ।
ପ୍ରତ୍ୟୁତ୍ତରରେ ଉତ୍ତର ଥିଲା, ଘୁଷୁରିମାନେ ଯଦି ମଣିଷ ଭଳି କଥା କହନ୍ତି ତାହାହେଲେ ସେ ଯେମିତି ନିଜ କଥା କହିବ , ଇଏ ସେମିତି ।
ସେ ।
ତାହାହେଲେ ଗୋଟିଏ ଯୁଦ୍ଧରେ ପରସ୍ପରର ସାମର୍ଥ୍ୟକୁ ଲଢାଯାଉ । ଦେଖାଯାଉ,କିଏ ଅଛି କେତେ ଗଭୀରରେ ।
ସେ ।
ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ଯେଉଁ ଅଟ୍ଟହାସ୍ୟ ରହିଥାଏ ସେହି ଭଳି ସଶବ୍ଦରେ ସେ କହିଥିଲେ , ତଥାସ୍ତୁ । ଯୁଦ୍ଧର ପ୍ରବନ୍ଧନ କରାଯାଉ ।
ସେ ।
ଜଣେ ନାରୀ ହେଲେ ବି ତାଙ୍କର ନାଆଁ କିଙ୍ଗ୍ । ପୂରା ନାଆଁ ବିଲି ଜିନ୍ କିଙ୍ଗ୍ । ବୟସ ୨୯ ବର୍ଷ। ପେଷାଦାର ଟେନିସ୍ ଖେଳରେ ସେ ସେତେବେଳକୁ ଶୀର୍ଷରେ । ଦୀର୍ଘ ସମୟ ଧରି ପେଷାଦାର ମହିଳା ଟେନିସ୍ ତାରକାମାନଙ୍କର କ୍ରମତାଲିକା ଅର୍ଥାତ୍ ଏଟିପି ରାଙ୍କିଙ୍ଗରେ ସେ ପ୍ରଥମ ।
ସେତେବେଳେ ବିଶ୍ୱାସ କରାଯାଉଥିଲା ଏଇଭଳି ପ୍ରଥମ ସ୍ଥାନଟି ଯେମିତି ଖୋଦ୍ ଈଶ୍ୱର ତାଙ୍କ ପାଇଁ ପ୍ରସ୍ତୁତ କରି ରଖିଛନ୍ତି ।
ସେ ।
ସେ ବି ଜଣେ ଟେନିସ୍ ଖେଳାଳୀ । ତାଙ୍କର ନାଆଁ ବବି ରିଗସ୍ ।
ସେତେବେଳକୁ ତାଙ୍କର ବୟସ ୫୫ ବର୍ଷ ।
ଏକଦା ସେ ଜଣେ ଚର୍ଚ୍ଚିତ ଟେନିସ୍ ଖେଳାଳୀ ଥିଲେ । ଚାମ୍ପିଅନ ଥିଲେ ।
୧୯୩୯,୧୯୪୬,୧୯୪୭ ବେଳକୁ ସେ ବିଶ୍ୱର ଶ୍ରେଷ୍ଠ ଟେନିସ୍ ଖେଳାଳୀ ଥିଲେ ।
ବୟସ ବେଶି ହୋଇଗଲେ କେହି କେହି ନିଜର ବିଚାରରେ ଅତ୍ୟନ୍ତ ରକ୍ଷଣଶୀଳ ହୋଇ ଉଠିଥାନ୍ତି । ଏପରି ହେବାର ପଛରେ କେବଳ ଗୋଟିଏ କାରଣ, ନିଜକୁ କାଳକ୍ରମରେ ଅପ୍ରାସଙ୍ଗିକ ହୋଇଯାଉଥିବା ଭଳି ସ୍ୱାଭାବିକ ଅସୁଖରୁ ସୁରକ୍ଷିତ କରି ରଖିବା ପାଇଁ ଏହା ଆବଶ୍ୟକୀୟ ଅବଲମ୍ବନ ପ୍ରଦାନ କରିଥାଏ।
ନିଜର ଅପହୃତ ଶ୍ରେଷ୍ଠତ୍ୱକୁ ଧରି ରଖିବା ପାଇଁ ଏହା ଗୋଟିଏ ଆତ୍ମମୁଗ୍ଧ ବନ୍ଦୀଶାଳ ।
ସେ ବନାମ୍ ସେ ।
ଯୁଦ୍ଧ ।
ଯୁଦ୍ଧ କ୍ଷେତ୍ରଟି ଏକ ଟେନିସ୍ କୋର୍ଟ ।
୨୦ ସେପ୍ଟେମ୍ବର ୧୯୭୩ ।
ଯୁଦ୍ଧର ଜନଖ୍ୟାତି ବ୍ୟାପକ । ସମସ୍ତେ କହୁଥିଲେ,ଏହା ଏକ ଲିଙ୍ଗ-ଯୁଦ୍ଧ ବା ବାଟଲ୍ ଅଫ୍ ସେକ୍ସେସ୍ ।
ଏହି ଯୁଦ୍ଧରେ ସେ ବିଲି ଜିନ୍ କିଙ୍ଗ ସେ ବବି ରିଗସଙ୍କୁ ସିଧା ସଳଖ ସେଟରେ ପରାସ୍ତ କରିଥିଲେ । ଏହି ଯୁଦ୍ଧର ଫଳାଫଳ ଥିଲା ୬-୪,୬-୩ ଆଉ ୬-୩ ।
ଏହି ଲିଙ୍ଗ-ଯୁଦ୍ଧ ଏକତରଫା ନଥିଲା । ବେଶ୍ ପ୍ରତିଦ୍ୱନ୍ଦିତା ମୂଳକ ଥିଲା ।
ସମର୍ଥକମାନେ ନିଜ ନିଜର ଲିଙ୍ଗର ଆଧାରରେ ପକ୍ଷ ଆଉ ପ୍ରତିପକ୍ଷ ବିଚାର କରି ସେମାନଙ୍କୁ ଯଥୋଚିତ ସମର୍ଥନ ପ୍ରଦାନ କରୁଥିଲେ ।
ନାରୀ ଆଉ ପୁରୁଷ ଉଭୟଙ୍କର ସେଦିନ ଆବଶ୍ୟକ ଥିଲା ଏକ ବିଜୟ ,ଯେଉଁ ବିଜୟ ଉଭୟଙ୍କର ସାମର୍ଥ୍ୟକୁ ସମାଜରେ ପ୍ରତିଷ୍ଠିତ କରିପାରିବ ।
ଯୁଦ୍ଧରେ ବିଜୟ ଲାଭ ସବୁ ସମ୍ପ୍ରଦାୟର କାମ୍ୟ ।
ସେ ।
ବିଜୟ ପରେ ସେ ଯେମିତି ଆସିଥିଲେ ଠିକ୍ ସେହିଭଳି ମହାସମାରୋହରେ ସୌମ୍ୟଦର୍ଶନ ପୁରୁଷ ମାନଙ୍କ କାନ୍ଧରେ ସୁବର୍ଣ୍ଣ ହାନ୍ଦୋଳାରେ ବସି ଫେରିଯାଇଥିଲେ ।
ଯିବା ବେଳକୁ ସେ ସାଥିରେ ନେଇଯାଇଥିଲେ ଏକଲକ୍ଷ ଡଲାର୍ ବିଶିଷ୍ଟ ପୁରସ୍କାରର ସମ୍ପୂର୍ଣ୍ଣ ଅର୍ଥରାଶି ।
ଆଗରୁ ସ୍ଥିର କରାଯାଇଥିଲା ଯେ ଯିଏ ବିଜୟ ଲାଭ କରିବ ସେ ହିଁ ହେବ ସମ୍ପୂର୍ଣ୍ଣ ପୁରସ୍କାର ଅର୍ଥରାଶିର ଏକମାତ୍ର ପ୍ରାପକ ।
ସେ ।
ସେ ତେଣୁ ଏଇଠୁ ପରାଜୟ ବ୍ୟତୀତ ଆଉ କୌଣସି ପଦାର୍ଥକୁ ସାଥିରେ ନେଇ ଯାଇ ନଥିଲେ ।
ଫେରିବା ବେଳକୁ ତାଙ୍କର ଆସିବା ବେଳର ସେ ହାତଟଣା ରିକସା ନଥିଲା । ନିଜ ହାତରେ ତାହାକୁ ଟାଣିଟାଣି ମଞ୍ଚକୁ ଆଣିଥିବା ସେହି ସ୍ୱଳ୍ପବାସ ପରିହିତା ହାସ୍ୟୋଚ୍ଛଳ ତରୁଣୀମାନେ ନଥିଲେ ।
ପାଦରେ ଚାଲି ଚାଲି ତଳକୁ ମୁହଁ କରି ସେ ସେଦିନର ସେହି ଚର୍ଚ୍ଚିତ ଯୁଦ୍ଧକ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଫେରିବା ପରେ ସେ ସେଦିନ ଆଉ ବାହାରକୁ ବାହାରି ନାହାଁନ୍ତି । ଦୁଆର କିଳି ରହିଥିଲେ ଭିତରେ । ଖାଲି ପାଦରେ ସେ ସେଦିନ ରହିଥିଲେ ବୋଲି କୁହାଯାଏ ।
ପାଦକୁ ପାଣ୍ଡୋଇ ନଦେଇ ଅଥବା ଗର୍ଭବତୀ କରିବା ଦ୍ୱାରା କୌଣସି ନାରୀକୁ ଯେ ଅକ୍ତିଆରରେ ରଖାଯାଇପାରେ ତାହାହିଁ ଥିଲା ତାଙ୍କ ବିଚାରରେ ସବୁଠୁ ସହଜ ,ମାତ୍ର ସେଦିନ ଦୁଆର କିଳି ଭିତରେ ରହିଥିବା ବେଳେ ସମ୍ଭବତଃ ସେ ବୁଝିପାରୁଥିବେ ଯେ,ଜଣକୁ କେବଳ ଅକ୍ତିଆରରେ ରଖାଯାଇପାରେ ଯେତେବେଳେ ସେ କେବଳ ପରାଜିତ ।
Comments are closed.