Latest Odisha News

ଅଜବ ଶିଶୁ, ଦେହ ପଥର ଭଳି ଟାଣ

ଚେହେରା ଶିଶୁ ଭଳି, ହେଲେ ପାଖରୁ ଦେଖିଲେ ଚେହେରା ପଛରେ ଥିବା ବାସ୍ତବତା ଅତ୍ୟନ୍ତ କଷ୍ଟଦାୟକ । ପୁରା ଦେହ ପଥର ଭଳି ଟାଣ । ଯେତେ ଔଷଧ ସେବନ କଲେ ବି ସେ ପଥରର ଚେହେରାରେ ପରିବର୍ତନ ଆସୁନାହିଁ । ଏମିତି ଏକ ଅଜବ ଶିଶୁ ହେଉଛି ମହେନ୍ଦି ହସନ ।

ବାଙ୍ଗଲାଦେଶର ଦୋନା ସେନାନଗରରେ ରୁହନ୍ତି ଡ଼େଲି ମେଲ ଓ ତାଙ୍କ ପତ୍ନୀ ଜହାନରା ବେଗମ । ଡ଼େଲି ଜଣେ କାର ଡ଼୍ରାଇଭର । ଯାହା ରୋଜଗାର କରନ୍ତି ସେଥିରେ ଚଳେ ତାଙ୍କ ପରିବାର । ମହେନ୍ଦି ତାଙ୍କର ଏକମାତ୍ର ପୁଅ । ମହେନ୍ଦିର ଜନ୍ମ ପରେ ପୁରା ପରିବାରରେ ଖୁସିର ଲହରି ଖେଳି ଯାଇଥିଲା । ହେଲେ ଧୀରେ ଧୀରେ ସେ ଖୁସି ମିଳେଇଗଲା । କାରଣ ଏହି ଶିଶୁଟିର ଦେହରେ ଏକ ଅଜବ ରୋଗ ବିକଶିତ ହେଲା । ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଶରୀର ଅସ୍ୱାଭାବିକ ଭାବେ ଟାଣ ହେବା ସହିତ ମହେନ୍ଦିର ଚେହେରା କଦାକାର ହୋଇଗଲା । ଚେହେରା ଆଳରେ ତାଙ୍କୁ ସ୍ଥାନୀୟ ଲୋକେ ଷ୍ଟୋନ ବଏ ଭାବେ ଡ଼ାକିଲେ । ମହେନ୍ଦିଙ୍କ ମାଆ ଜହାନରା କୁହନ୍ତି, ମହେନ୍ଦି ସାଧାରଣ ପିଲାଙ୍କ ପରି ଜନ୍ମ ହୋଇଥିଲା । ପୁଅ ହେବା ଦେଖି ପରିବାର ଲୋକେ ବହୁତ ଖୁସି ମଧ୍ୟ ହୋଇଥିଲେ । ତାକୁ ଯେତେବେଳେ ମାତ୍ର ୧୨ ଦିନ ହୋଇଥିଲା, ତା ଦେହରେ କଣ ଫଳିଗଲା । ଭାବିଲୁ ମଶା କାମୁଡ଼ିବାରୁ ଏପରି ହୋଇଛି । ଧୀରେ ଧୀରେ ଦେହର ସେ ଅଂଶ ବଢିବାକୁ ଲାଗିଲା । ଗୋଡ଼ ଟାଣ ହେବା ସହ ଶରୀରରେ ଏକ ଟାଣ ପରସ୍ତ ଚମଡ଼ା ଦେଖାଦେଲା । ସେ ଏମିତି ଗୋଟିଏ ଅଜଣା ରୋଗରେ ଆକ୍ରାନ୍ତ ହେଲା ଯେ, ଆମର ଚିନ୍ତା ବଢ଼ିଗଲା । ଆଉ ଏବେ ବି ସେହି ରୋଗରେ ଘାଂଟି ହେଉଛି ମହେନ୍ଦି । ତାହାର ଚିକିତ୍ସା ପାଇଁ ଅନେକ ଡ଼ାକ୍ତରଙ୍କ ପରାମର୍ଶ କରିଛୁ । ଅନେକ ଔଷଧ ବି ଖାଇଛି । ହେଲେ ଭଲ ହେଉନି ଏହି ଅସାଧ୍ୟ ରୋଗ । ମହେନ୍ଦି ନିଜେ ନିଜ ଡ଼୍ରେସ ପିନ୍ଧି ପାରେ ନାହିଁ । କାରଣ ଡ଼୍ରେସ ପିନ୍ଧିଲେ ତାକୁ କଷ୍ଟ ହୁଏ । ସବୁ ବେଳେ ଗୋଟିଏ ଘରେ ପଡ଼ି ରହିଥାଏ ଠିକ୍ ଏକ ନିରବି ଯାଇଥିବା ପଥରର ମୂର୍ତି ଭଳି । ସେ ଖେଳି ପାରେ ନାହିଁ କିମ୍ବା ପଢିପାରେ ନାହିଁ । ଆଗରୁ ଗାଁ ସ୍କୁଲକୁ ଯାଉଥିଲା । ଧୀରେ ଧୀରେ ଶରୀର ପଥର ଭଳି ଟାଣ ହେବା କାରଣରୁ ତାକୁ ଅନ୍ୟ ପିଲାମାନେ ଡ଼ରିବା ଆରମ୍ଭ କଲେ । ବାଧ୍ୟ ହୋଇ ମହେନ୍ଦିକୁ ସ୍କୁଲ କର୍ତୃପକ୍ଷ ବାହାର କରି ଦେଲେ । ଏମିତି କି ତାଙ୍କୁ ଦେଖିଲେ କେହି କେହି ଭୟରେ ଭୁତ ଭୁତ କହି ଚିତ୍କାର କରି ଦୌଡ଼ିଥାନ୍ତି । ବାଧ୍ୟ ହୋଇ ତାକୁ ଏକ କୋଠରୀରେ ବନ୍ଦ କରି ରଖିଛୁ ବୋଲି କୁହନ୍ତି ତାଙ୍କ ମାଆ ଜହାନରା ।
ମେହନ୍ଦିଙ୍କ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କ ମତରେ, ମହେନ୍ଦି ଏକ ଚର୍ମ ରୋଗରେ ଆକ୍ରାନ୍ତ,ଯେଉଁଥି ପାଇଁ ତା ଶରୀର ପଥର ଭଳି ଟାଣ ପାଲଟି ଯାଉଛି । ଏମିତି କି ସେ କୌଣସି ଜିନିଷ ଛୁଇଁ ପାରୁ ନାହିଁ କି ଚାଲି ବି ପାରୁ ନାହିଁ । ତାର ତ୍ୱଚା ଧୀରେ ଧୀରେ ଟାଣ ହେବାରେ ଲାଗିଛି । ଯାହାଦ୍ୱାରା ସେ ବହୁତ କଷ୍ଟ ମଧ୍ୟ ପାଉଛି । ତେବେ ହୁଏତ ଚିକିତ୍ସା ବିଜ୍ଞାନର ଚମତ୍କାରିତା ମହେନ୍ଦିଙ୍କୁ ଏହି ଅସାଧ୍ୟ ରୋଗରୁ ଆରୋଗ୍ୟ କରିପାରେ ଏହି ଆଶା ଆମେ ରଖୁଛୁ ।

Comments are closed.