Latest Odisha News

BREAKING NEWS

ଆଦାନୀ ପ୍ରସଙ୍ଗରେ ସୋମବାର ସଂସଦରୁ ସଡ଼କ ଗର୍ଜିଲା କଂଗ୍ରେସ

ନୂଆଦିଲ୍ଲୀ: ସୋମବାର କଂଗ୍ରେସ ଆଦାନୀ ଗ୍ରୁପ ବିରୋଧରେ ତଦନ୍ତ ଦାବି କରି ସଂସଦରୁ ସଡକ ବିରୋଧ କରିଛି। କଂଗ୍ରେସ କର୍ମୀମାନେ ଦେଶର ଏଲଆଇସି ଏବଂ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ଶାଖା ସମ୍ମୁଖରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

BjdElectrycity

ଆଦାନି ଗୋଷ୍ଠୀ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ବିରୋଧୀ ଏବେ ଯୁଗ୍ମ ସଂସଦୀୟ କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟଙ୍କ ନେତୃତ୍ବରେ ନ୍ୟାୟିକ ତଦନ୍ତ ପାଇଁ ଦାବି କରୁଛନ୍ତି।

ବିରୋଧୀ ସାଂସଦ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତଦନ୍ତ ଦାବି କରି ପ୍ରତିବାଦ କରିଛନ୍ତି। ବିରୋଧୀ ଦଳର ନେତା ଏହି ପ୍ରସଙ୍ଗ ସଂସଦରେ ଉଠାଇବା ପରେ ଉଭୟ ଗୃହର ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ବିରୋଧୀ ସାଂସଦ କହିଛନ୍ତି ଯେ ସରକାର ସଂସଦରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଦେଉନାହାଁନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଦଳ କହିବାକୁ ପ୍ରସ୍ତୁତ କିନ୍ତୁ ପ୍ରଥମ ପ୍ରାଥମିକତା ହେଉଛି ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତର। ସେ କହିଛନ୍ତି, ସରକାର ଚାହୁଁଛନ୍ତି ଯେ ଏହି ପ୍ରସଙ୍ଗ ନଉଠାଯାଉ କି ଆଲୋଚନା ନକରାଯାଉ। ସେମାନେ କୌଣସି ପ୍ରକାରେ ଏହାକୁ ଏଡାଇବାକୁ ଚାହାଁନ୍ତି ଏବଂ ଏହାକୁ ରେକର୍ଡରେ ଆଣିବାକୁ ଚାହାଁନ୍ତି ନାହିଁ।

ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ସାଂସଦ ମହୁଆ ମାଜି କହିଛନ୍ତି ଯେ ଧୀରେ ଧୀରେ ସବୁକିଛି ଘରୋଇକରଣ କରାଯାଉଛି ଏବଂ ଆଦାନୀ ଗୋଷ୍ଠୀ ଏହାର ଲାଭ ପାଉଛି। ସେ କହିଛନ୍ତି, ଆପଣ ଏବେ ଦେଖିପାରୁଥିବେ ଦେଶ କୁଆଡେ ଯାଉଛି। ସମସ୍ତ ବିରୋଧୀ ଏକଜୁଟ, ଆମେ ବିରୋଧ କରୁଛୁ। ଆମେ ଉତ୍ତର ଚାହୁଁଛୁ। ଆଦାନୀଙ୍କୁ କାହିଁକି ଉଦ୍ଧାର କରାଯାଉଛି?

ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବି କରୁଛୁ। ବିରୋଧୀଙ୍କ ଦ୍ବାରା ଯୁକ୍ତି କରାଯାଉଛି ଯେ ଏସବିଆଇ ଏବଂ ଏଲଆଇସି ପରି ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକରେ ଆଦାନୀ ଗୋଷ୍ଠୀର ବିନିଯୋଗ ମଧ୍ୟବିତ୍ତଙ୍କ ସଞ୍ଚୟ ଉପରେ ବହୁତ ପ୍ରଭାବ ପକାଇଛି।

ସେହିପରି ଏନଏସୟୁଆଇର କର୍ମୀମାନେ ରାସ୍ତାକୁ ଓହ୍ଲାଇ ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ଦାବି କରି ସାରା ଦେଶରେ ବିରୋଧ କରିଛନ୍ତି। ଜମ୍ମୁ କଶ୍ମୀରରେ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲିସ୍ କର୍ମଚାରୀଙ୍କ ସହ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଛି।କଂଗ୍ରେସ କର୍ମୀମାନେ ତେଲେଙ୍ଗାନା, ମୁମ୍ବାଇ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଜାନୁଆରୀ 24ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଆଦାନୀ ଗ୍ରୁପ ବ୍ଯବସାୟିକ ଲାଭ ପାଇଁ ଫେକ୍ ଆକାଉଣ୍ଟ ତିଆରି କରିଥିବା ଦାବି କରାଯାଇଥିବା ବେଳେ ଆକାଉଣ୍ଟରେ ବେଆଇନ କାର୍ଯ୍ୟକଳାପ ରହିଛି ବୋଲି କୁହାଯାଉଛି। ଆଦାନୀ ଦେଶର ନମ୍ବର ଓ୍ୱାନ ଧନୀ ତାଲିକାରେ ରହିବା ପରେ ଏପରି ରିପୋର୍ଟ ପ୍ରକାଶ ପାଇଥିଲା। ତେଣୁ ଆଦାନୀ ସମର୍ଥକ ଏହି ରିପୋର୍ଟ ଉପରେ ପ୍ରଶ୍ନବାଚୀ ଉଠାଇଥିବା ବେଳେ ଆଦାନୀ ହିଣ୍ଡେନବର୍ଗ ରିପୋର୍ଟକୁ ଖାରଜ କରିଛି। କିନ୍ତୁ ଏହାରି ଭିତରେ ଅନେକ କ୍ଷତି ସହିଲାଣି ଦେଶର ଏହି ବଡ଼ କର୍ପୋରେଟ୍ କମ୍ପାନୀ।

 

Leave A Reply

Your email address will not be published.