ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ଏକ ଆବେଗଭରା ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର ହୋଇଥିବା ଏହି ଦୁଇଟି ଫଟୋରେ ପନ୍ତ ଆଶାବାଡ଼ି ସାହାଯ୍ୟରେ ବୁଲୁଥିବାର ନଜର ଆସିଛନ୍ତି। ପନ୍ତଙ୍କ ପାଦରେ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି।
ସେ ତାଙ୍କର ରିକୋଭରୀ ବିଷୟରେ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ଅପଡେଟ୍ ଦେଇଛନ୍ତି। ଫେବୃଆରୀ ୧୦ ସନ୍ଧ୍ୟାରେ ସେ ଏହି ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ବର୍ତ୍ତମାନ ଟିକିଏ ଚାଲିବା ଆରମ୍ଭ କରିଛନ୍ତି ବୋଲି ଦେଖିବାକୁ ମିଳିଛି। ଫଟୋର କ୍ୟାପସନ୍ ସେ ଲେଖିଛନ୍ତି- ‘ଗୋଟିଏ ପାଦ ଆଗକୁ, ଗୋଟିଏ ପାଦ ଶକ୍ତିଶାଳୀ, ଗୋଟିଏ ପାଦ ଭଲ। ଆଉ ଏହି ପୋଷ୍ଟରୁ ବୁଝାପଡୁଛି ଯେ ତାଙ୍କର ରିକୋଭରୀ ହେଉଛି।
One step forward
One step stronger
One step better pic.twitter.com/uMiIfd7ap5— Rishabh Pant (@RishabhPant17) February 10, 2023
ପନ୍ତ ୩୦ ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ନୂଆ ବର୍ଷ ପାଇଁ ପନ୍ତ ନିଜ କାରରେ ତାଙ୍କ ଘରକୁ ଯାଉଥିଲେ, ଯେଉଁଥିରେ ତାଙ୍କ କାର ହଠାତ୍ ଜାତୀୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ଏହି ଦୁର୍ଘଟଣାରେ ପନ୍ତଙ୍କ କାର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତେବେ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେତେବେଳେ ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ତାଙ୍କୁ ବିମାନ ଯୋଗେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ଡାକ୍ତରଖାନାରେ ପ୍ରାୟ ମାସେ ରହିବା ପରେ ସେ ବର୍ତ୍ତମାନ ତାଙ୍କ ଘରେ ପହଞ୍ଚିଛନ୍ତି।
୨୦୨୨ ଶେଷରେ ବାଂଲାଦେଶ ଗସ୍ତରେ ଖେଳାଯାଇଥିବା ୨ ମ୍ୟାଚ୍ ଟେଷ୍ଟ ସିରିଜରେ ପନ୍ତ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ, ୪୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଦ୍ୱିତୀୟ ମ୍ୟାଚରେ ସେ ଦଳର ପ୍ରଥମ ଇନିଂସରେ ୯୩ ରନ୍ ସଂଗ୍ରହ କରିଥିଲେ।
ଏହା ପରେ ସମସ୍ତେ ଆଶା କରିଥିଲେ ଯେ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ଟେଷ୍ଟ ସିରିଜରେ ପନ୍ତଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ ବିଜେତା ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ ଏହା ହୋଇପାରିଲା ନାହିଁ। ବର୍ତ୍ତମାନ ବର୍ଡର-ଗାଭାସ୍କର ସିରିଜରେ କେ.ଏସ୍ ଭରତ ତାଙ୍କ ସ୍ଥାନରେ ଖେଳୁଛନ୍ତି। ପନ୍ତ କେବେ କ୍ରିକେଟ ପିଚକୁ ଫେରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚଳିତ ବର୍ଷ ସେ ଆଉ ଖେଳିବା ଭଳି ଜଣାପଡୁନାହିଁ।
Comments are closed.