Latest Odisha News

BREAKING NEWS

ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

ମୁମ୍ବାଇ: ଟିମ୍ ଇଣ୍ଡିଆର ତାରକା ଓପନର ଯଶସ୍ୱୀ ଜୈସୱାଲ ଏବେ ୱିକେଟକିପିଂ କରୁଥିବାର ନଜର ଆସିଛନ୍ତି । ମୁମ୍ବାଇ ପାଇଁ ଆଗାମୀ ରଣଜୀ ମ୍ୟାଚ୍‌ରେ ସେ ୱିକେଟକିପିଂ ଦାୟିତ୍ୱ ତୁଲାଇପାରନ୍ତି । ବର୍ତ୍ତମାନ ଯଶସ୍ୱୀ କେବଳ ଟେଷ୍ଟ କ୍ରିକେଟ୍‌ରେ ଭାରତୀୟ ଦଳର ନିୟମିତ ସଦସ୍ୟ ଅଛନ୍ତି ।  ଟି୨୦ ଦଳରୁ ସେ ବାଦ୍ ପଡ଼ିଥିବା ବେଳେ ଓପନିଂରେ ରୋହିତ ଶର୍ମାଙ୍କ ଉପସ୍ଥିତି ଯୋଗୁଁ ଦିନିକିଆ ଦଳରେ ସୁଯୋଗ ମିଳିବା କଷ୍ଟକର ହେଉଛି । ଏସବୁ ମଧ୍ୟରେ ନିଜ କ୍ରିକେଟ୍ କ୍ୟାରିୟରକୁ ଆଗକୁ ନେବା ପାଇଁ ସେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଯଶସ୍ୱୀ ଅଭ୍ୟାସ ସମୟରେ ୱିକେଟକିପିଂ ପ୍ରାକ୍ଟିସ୍ ଆରମ୍ଭ କରିଦେଇଛନ୍ତି । ମୁମ୍ବାଇ ଦଳର ଅଧିନାୟକ ସିଦ୍ଧେଶ ଲାଡ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଯଶସ୍ୱୀ ଅଭ୍ୟାସ ସେସନ୍‌ରେ ୱିକେଟକିପିଂ କରୁଥିଲେ । ସେ ନିଜର କିପିଂ ଦକ୍ଷତା ବୃଦ୍ଧି କରୁଛନ୍ତି । ଆଗାମୀ ଦିନରେ ସେ ମୁମ୍ବାଇ ଏବଂ ଭାରତୀୟ ଦଳ ପାଇଁ ୱିକେଟକିପିଂ କରୁଥିବାର ନଜର ଆସିପାରନ୍ତି ।

ଟିମ୍ ଇଣ୍ଡିଆରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ କେବଳ ବ୍ୟାଟିଂ ଯଥେଷ୍ଟ ନୁହେଁ, ଅନ୍ୟ ଦକ୍ଷତା ମଧ୍ୟ ବିକଶିତ କରିବାକୁ ପଡ଼ିବ । ଋଷଭ ପନ୍ତ, ଇଶାନ କିଷାନ, ଧ୍ରୁବ ଜୁରେଲ, ଏବଂ କେ.ଏଲ୍. ରାହୁଲଙ୍କ ଭଳି ଖେଳାଳିମାନେ ୱିକେଟକିପର-ବ୍ୟାଟର ଭାବେ ଦଳରେ ସ୍ଥାନ ପାଉଛନ୍ତି । ତେଣୁ ଯଶସ୍ୱୀ ମଧ୍ୟ ସେହି ରାସ୍ତା ଆପଣେଇବାକୁ ଯାଉଛନ୍ତି । ବାମହାତୀ ବ୍ୟାଟର ଯଶସ୍ୱୀ ମୁମ୍ବାଇ ପାଇଁ ପ୍ରଥମ ରଣଜୀ ମ୍ୟାଚ୍ ଖେଳିବାକୁ ଓହ୍ଲାଇବେ । ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଏହା ତାଙ୍କ ପାଇଁ ଏକ ଭଲ ଅଭ୍ୟାସ ସୁଯୋଗ । ସେ ଏପର‌୍ୟ୍ୟନ୍ତ ୫୩ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୫୪ ହାରରେ ୪,୯୬୮ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧୭ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ସାମିଲ ଅଛି । ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ୍ ପରେ ଯଶସ୍ୱୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ । ସେଠାରେ ଟେଷ୍ଟ ସିରିଜ୍ ପୂର୍ବରୁ ସେ  ଇଣ୍ଡିଆ-ଏ ଦଳ ପାଇଁ ୩ଟି ଅନୌପଚାରିକ ଟେଷ୍ଟ ମ୍ୟାଚ୍ ଖେଳିବେ, ଯାହା ମୁଖ୍ୟ ଟେଷ୍ଟ ସିରିଜ୍ ପାଇଁ ଶ୍ରେଷ୍ଠ ପ୍ରସ୍ତୁତି ହେବ ।

 

Leave A Reply

Your email address will not be published.