ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ମନ୍ଦିର ସମ୍ପର୍କରେ ଆମର ଆଲୋଚନା ଜାରି ରଖିବା ସମୟରେ ଆଉ ଏକ କଥା ମନକୁ ଆସେ। ତାହା ହେଲା ଶ୍ରୀଜଗନ୍ନାଥଙ୍କ ଶ୍ରୀପୁରୁଷୋତ୍ତମ ସ୍ୱରୂପ ସମ୍ପର୍କରେ। କାରଣ ଆମେ ସ୍କନ୍ଦ ପୁରାଣ କଥା ଆଲୋଚନା କଲେ ଦୃଷ୍ଟିକୁ ଆସନ୍ତି ଶ୍ରୀପୁରୁଷୋତ୍ତମ ଓ ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ଯାହା ସର୍ବୋତ୍ତଭାବେ ସୂଚାଇ ଥାଏ ଯେ ଶ୍ରୀଜୀଉମାନଙ୍କ ପ୍ରଥମ ସ୍ୱରୂପ ନିଶ୍ଚୟ ଶ୍ରୀପୁରୁଷୋତ୍ତମ ଅଟେ। ଏଠାରେ ଐତିହାସିକ ଡ଼ଃ କୈଳାସ ଚନ୍ଦ୍ର ଦାଶଙ୍କ ମତକୁ ପ୍ରାଧାନ୍ୟ ଦେଲେ ଜଣାଯାଏ, ସମ୍ରାଟ ଅନଙ୍ଗ ଭୀମଦେବ (ତୃତୀୟ )ବୃହତ ଗଙ୍ଗ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଶ୍ରୀ ପୁରୁଷୋତ୍ତମଙ୍କୁ ଗଙ୍ଗ ସମ୍ରାଜ୍ୟର ଅଧିଶ୍ୱର ବୋଲି ଗ୍ରହଣ କଲେ। ଆହୁରି ଏକ ବିରାଟ ପରିବର୍ତ୍ତନ ବା ସଂସ୍କାର ସେ ଆଣିଥିଲେ ; ତାହା ହେଉଛି ନିଜକୁ ସାମାନ୍ୟ ରାଉତ ବା ସାମନ୍ତ ଭାବେ ସ୍ୱୀକାର କରି, ପ୍ରଭୁଙ୍କୁ ନିଜର ତଥା ସାମ୍ରାଜ୍ୟର ଅଧିଶ୍ୱର ବୋଲି ଘୋଷଣା କରିଥିଲେ। ଠିକ ସେହି ସମୟରେ ଶ୍ରୀପୁରୁଷୋତ୍ତମଙ୍କ ନାମ ଏତେ ବ୍ୟାପକ ପ୍ରଚାର ପ୍ରସାର ହୋଇ ନଥିଲା। ତେଣୁ ପ୍ରଭୁଙ୍କୁ ସାରା ଜଗତରେ ଅଧିଶ୍ୱର ରୂପେ ପ୍ରତିଷ୍ଠିତ କରିବା ପାଇଁ ସେ ଶ୍ରୀଜଗନ୍ନାଥ ନାମକୁ ବ୍ୟାପକ କଲେ। ସେତେବେଳେର ବ୍ରlହ୍ମଣ ଶକ୍ତି ଏହି ଶ୍ରୀଜଗନ୍ନାଥ ଙ୍କ ନାମକୁ ମଧ୍ୟ ଆଦରରେ ଗ୍ରହଣ କରି ନେଇଥିଲେ। ଆଜି ଶ୍ରୀଜଗନ୍ନାଥଙ୍କ ନାମ ଓ ଚେତନା ତେଣୁ ସର୍ବବ୍ୟାପକ ଅଟେ। ଏହାର ଏକ ବଳିଷ୍ଠ ପ୍ରମାଣ ହେଲା ୧୨୩୦ ଖ୍ରୀଷ୍ଟାବ୍ଦରେ ଲିଖିତ କୁର୍ମେଶ୍ୱର ଶିଳାଲିପି। ଯେଉଁଥିରେ ପ୍ରଥମେ ଶ୍ରୀପୁରୁଷୋତ୍ତମଙ୍କ ଜାଗାରେ ଶ୍ରୀଜଗନ୍ନାଥଙ୍କ ନାମ ଉଲ୍ଲେଖ ଥିବାର ଦେଖାଯାଏ। ସେହିସମୟରେ ଲିଖିତ ମାଦଳାପାଞ୍ଜି କହେ ସମ୍ରାଟ ଅନଙ୍ଗଭୀମ ଦେବ “ନଗର କଟକେ ଥାଇ ଶ୍ରୀପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଦେବଙ୍କୁ ସମସ୍ତ ସମର୍ପି ରାଉତ ପଣେ ଥାଆନ୍ତି ।” ଏଭଳି କୁହାଯାଏ ଅନଙ୍ଗଭୀମ ଦେବ ଓ ଶ୍ରୀ ପୁରୁଷୋତ୍ତମ ଦେବ ମଧ୍ୟ ରାଜ୍ୟ ୨ ଅଙ୍କ ଅଭିଷେକ ନହେଲେ, ଓଡ଼ିଶା ରାଜ୍ୟ ରାଜା ଶ୍ରୀଜଗନ୍ନାଥ ମହାପ୍ରଭୁ ଏମନ୍ତ କହି ଅଭିଷେକ ନୋହିଲେ । ଗଙ୍ଗ ବଂଶ ରାଜତ୍ୱ କାଳରେ ଶ୍ରୀଜଗନ୍ନାଥ ହିଁ ବୈଷ୍ଣବ ଧର୍ମର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ। ଏହାର ଅନେକ ବିକାଶ ବି ଘଟିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ସୂର୍ଯ୍ୟ ବଂଶର ଶାସନ ସମୟରେ ରାୟ ରମାନନ୍ଦ ଓ ପଞ୍ଚସଖାଙ୍କ ସହଯୋଗ ଓ ଶ୍ରୀଚୈତନ୍ୟଙ୍କ ସକ୍ରିୟ ଉଦ୍ୟମରୁ ଓଡ଼ିଶାରେ ବୈଷ୍ଣବ ଧର୍ମ ଓ ଶ୍ରୀଜଗନ୍ନାଥ ଚେତନା ଅଧିକ ଦୃଢ଼ୀଭୂତ ଓ ସର୍ବଜନ ଆଦୃତ ହୋଇଥିଲା। ଏହି ଅପୂର୍ବ ଇତିହାସକୁ ଖୋଜିବା ସହ ବର୍ତ୍ତମାନ ପରିଦୃଶ୍ୟମାନ ଶ୍ରୀମନ୍ଦିର ବିଷୟରେ ଅନେକ ଆଲୋଚନା ଜାରି ରହିବ। କିନ୍ତୁ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
“ଶ୍ରବଣ ମାତ୍ରେ ମୋକ୍ଷ ପାଇ
ତ୍ରିତାପ ମାନ କ୍ଷୟ ହୋଇ ।
ହୃଦରେ ବସଇ ତକ୍ଷଣ
ଅନାଦି ପ୍ରଭୁ ନାରାୟଣ ।
ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ
କି ପ୍ରୟୋଜନ ଏ ଜଗତେ ।
ଏ ଭାଗବତ ର ମହିମା
କେ କହିପାରେ ଗୁଣ ସୀମା ।
ଜୟ ଜଗନ୍ନାଥ ( ଦ. ତ୍ରି. ଉବାଚ )
Comments are closed.