Latest Odisha News

BREAKING NEWS

ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ସଂଘ; ସ୍ଵାଭାବିକ ହେଲା ତୈଳ ପରିବହନ

ଝାରସୁଗୁଡ଼ା: ସ୍ଵାଭାବିକ ହେଲା ତୈଳ ପରିବହନ । ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ସଂଘ । ଜିଲ୍ଲା ସ୍ଥିତ ଭାରତୀୟ ତୈଳ ନିଗମ ଟର୍ମିନାଲରେ କଣ୍ଟ୍ରାକ୍ଟ କ୍ୟାରିୟର୍ସ ଏବଂ ଟ୍ୟାଙ୍କର ଚାଳକମାନଙ୍କ ଦ୍ୱାରା ଜାରି ରହିଥିବା ଆନ୍ଦୋଳନ ଓ ପରିବହନ ସମସ୍ୟାର ସମାଧାନ ହୋଇଛି । ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ ଆରକ୍ଷୀ ଅଧିକ୍ଷକ ଜି.ଆର୍ ରାଘବେନ୍ଦ୍ରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଟ୍ୟାଙ୍କର ଗୁଡ଼ିକରେ ତୈଳ ଲୋଡିଂ କାର୍ଯ୍ୟ ସ୍ଵାଭାବିକ ହୋଇଛି

ଆଜି ସକାଳୁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ନିଜେ ଟର୍ମିନାଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଅପରାହ୍ନ ୧୨:୩୦ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପେଟ୍ରୋଲ ପମ୍ପ ମାଲିକ ସଂଘ, ଟ୍ୟାଙ୍କର ଆସୋସିଏସନ ଏବଂ ଡ୍ରାଇଭର ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ।

ଜିଲ୍ଲାପାଳ ବୈଠକରେ ସ୍ପଷ୍ଟ କରିଛନ୍ତି ଯେ, ତୈଳ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ଏହାର ପରିବହନରେ କୌଣସି ପ୍ରକାର ବାଧା ସୃଷ୍ଟି କଲେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଯଦି କୌଣସି ଅନଧିକୃତ କିମ୍ବା ବେଆଇନ କାର୍ଯ୍ୟ ହୁଏ, ତେବେ ଗାଡ଼ିର ପରିବହନ ଲାଇସେନ୍ସ ରଦ୍ଦ କରିବାକୁ ସେ ଆରଟିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଡ୍ରାଇଭରମାନେ ପାନୀୟ ଜଳର ଅଭାବ ଏବଂ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ଭାରତୀୟ ତୈଳ ନିଗମ ମ୍ୟାନେଜମେଣ୍ଟକୁ ଉପଯୁକ୍ତ ସ୍ଥାନରେ ପାନୀୟ ଜଳ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତୈଳ ସଙ୍କଟ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ଯେ, ଟର୍ମିନାଲ ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ପ୍ରତିଟି କାର୍ଯ୍ୟକଳାପ ଉପରେ CCTV ମାଧ୍ୟମରେ ନଜର ରଖାଯିବ। ଯଦି କେହି ବିଶୃଙ୍ଖଳା ସୃଷ୍ଟି କରନ୍ତି, ତେବେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏସପି ନିଜେ ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ପରେ ଲୋଡିଂ କାର୍ଯ୍ୟ ଆରମ୍ଭ ହୋଇଛି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) କିଶୋର ଚନ୍ଦ୍ର ସ୍ୱାଇଁ, ଉପ-ଜିଲ୍ଲାପାଳ ବ୍ୟସାଚୀ ପଣ୍ଡା, ଆରଟିଓ ପ୍ରଣୟ ମିଶ୍ର ଏବଂ ଭାରତୀୟ ତୈଳ ନିଗମ ମ୍ୟାନେଜମେଣ୍ଟର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.