ମୁମ୍ବାଇ: ଲୋକପ୍ରିୟ ଗାୟକ ଜୁବୀନ ନୌଟିୟାଲା ତାଙ୍କ ପିଲାବେଳର ବାନ୍ଧବୀଙ୍କୁ ବିବାହ କରିଛନ୍ତି । ଉତରାଖଣ୍ଡରେ ଏହି ବିବାହ ଚୁପଚାପ କରାଯାଇଛି । ଏଥିରେ କେବଳ ପରିବାର ସଦସ୍ୟ ଓ ନିକଟତମ ବନ୍ଧୁ ଉପସ୍ଥିତ ଥିଲେ । ଜୁବୀନ ରାତାଂ ଲମ୍ବିୟା, ଲୁଟ ଗୟେ, ତୁମ ହି ଆନା, ବେବଫା ତେରା ମାସୁମ ଚେହେରା ପରି ଗୀତ ଗାଇ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ଜୁବୀନ କାହାକୁ ବିବାହ କଲେ ତାହା ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇନି । ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବାକୁ ଭଲ ପାଆନ୍ତି । ଅବଶ୍ୟ ଏ ପର୍ଯ୍ୟନ୍ତ ଜୁବୀନ ବିବାହ ସମ୍ପର୍କରେ କୌଣସି ଔପଚାରିକ ବୟାନ ଦେଇ ନାହାନ୍ତି ।
୨୦୧୪ରେ ଏକ ମୁଲାକାତ ଗୀତ ମାଧ୍ୟମରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏହା ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ଗୀତ ଗାଇ ସାରିଛନ୍ତି । ଡେରାଡୁନର ଜୁବୀନ ୨୦୧୧ରେ ସିଙ୍ଗିଙ୍ଗ ରିୟଲିଟି ଶୋ ଏକ୍ସ ଫ୍ୟାକ୍ଟରରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସଲମାନ ଖାଁଙ୍କ ବଜରଙ୍ଗୀ ଭାଇଜାନ ଫିଲ୍ମରେ କୁଛ ତୋ ବତା ଜିନ୍ଦେଗୀ ଓ ହ୍ରିତିକ ରୋଶନଙ୍କ କାବିଲ ଫିଲ୍ମରେ ସେ କାବିଲ ହୁଁ କ୍ୟା ଗୀତ ଗାଇଥିଲେ । ଏହା ବ୍ୟତୀତ ସେ ଅନେକ ଲୋକପ୍ରିୟ ଭଜନ ମଧ୍ୟ ଗାଇଛନ୍ତି ।