Latest Odisha News

ଲୋକସଭାରେ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କଲେ ବରଗଡ ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ। ଏହି ଘଟଣାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ବାବଦରେ କହିବା ସହିତ କିଭଳି କେନ୍ଦ୍ରର ସହଯୋଗ ଲୋଡୁଛି ତଦନ୍ତକାରୀ ସଂସ୍ଥା କହିଥିଲେ ବରଗଡ ସାଂସଦ। ପରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ସୁରେଶ ପୂଜାରୀ।

ଜାନୁଆରୀ ୨୯ରେ ଜଣେ ପୁଲିସ କର୍ମଚାରୀ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ। ମନ୍ତ୍ରୀ ଜଣଙ୍କ ତାଙ୍କ ସଂସଦୀୟ କ୍ଷେତ୍ରର ବିଧାୟକ ଥିଲେ ଏବଂ ୪୦ ବର୍ଷ ପୂର୍ବେ ଏକାଠି ଉଭୟେ କଲେଜରେ ପାଠ ପଢୁଥିଲେ ବୋଲି ସୁରେଶ ପୂଜାରୀ କହିଥିଲେ।ଇତିମଧ୍ୟରେ ୧୫ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଏଯାଏଁ ଖୋଲି ପାରିନାହିଁ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ବୋଲି ସଂସଦକୁ ଅବଗତ କରାଇଛନ୍ତି ବରଗଡ ସାଂସଦ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାର ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ କେନ୍ଦ୍ରର ସହାୟତା ନେଉଛନ୍ତି କିନ୍ତୁ ଏହାର ତଦନ୍ତ ସିବିଆଇକୁ ଦେବାକୁ କୁଣ୍ଠାବୋଧ କରୁଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତରୁ କିଛି ଜଣାପଡ଼ିବ ନାହିଁ ବୋଲି ସେ କହିଛନ୍ତି। ସିବିଆଇ ତଦନ୍ତ ହେଲେ ହିଁ ମନ୍ତ୍ରୀଙ୍କ ଉପରେ ପୋଲିସ କାହିଁକି ଗୁଳି ଚଳାଇଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି। ତେଣୁ ସିବିଆଇ ତଦନ୍ତ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଏକ କାର୍ଯ୍ୟକ୍ରମ ସାରି ଆଉ ଏକ ସ୍ଥାନକୁ ଯାଉଥିଲେ ନବ ଦାସ। ଏହି ସମୟରେ ଗାନ୍ଧୀଛକ ନିକଟରେ ଗୋପାଳ ଦାସ ତାଙ୍କୁ ଗୁଳି କରିବାରୁ ମୃତ୍ୟୁ ଘଟିଥିଲା।

 

 

Comments are closed.