ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ (Joint Secretary to CM) ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ (OAS) ଅଧିକାରୀ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛି । ତାଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରସ୍ଥିତ ROTI (Madhusudan Das Regional Academy of Financial Management / Regional OMMIS Training Institute) ର ନିର୍ଦ୍ଦେଶକ ଭାବେ ନୂତନ ନିଯୁକ୍ତି ଦେଇଛନ୍ତି।
ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ (ଗୃହ ନିର୍ବାଚନ ବିଭାଗ) ପକ୍ଷରୁ ହୋଇଥିବା ଓଏଏସ ସ୍ତରୀୟ ଏକ ବଡ଼ ଧରଣର ଅଦଳବଦଳ ପ୍ରକ୍ରିୟାରେ ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରେ ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ବର୍ତମାନ ଭୁବନେଶ୍ୱର ସ୍ଥିତ ଆରଓଟିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି।
ବିଜ୍ଞପ୍ତି ଅନୁଯାୟୀ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଥିବା ଓଏଏସ୍ (ଏସ୍.ଭି.) ଗୀତାଞ୍ଜଳି ନାୟକଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।
ସେହିପରି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ସଚିବ ତଥା ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପଞ୍ଜୀକରଣ ଅଧିକାରୀ (Registrar) ଭାବେ କାର୍ଯ୍ୟରତ ଓଏଏସ୍ (ଏସ୍.ଭି.) ନିବେଦିତା ବିଶ୍ୱାଳଙ୍କ ପୂର୍ବ ବଦଳି ଆଦେଶକୁ ରଦ୍ଦ କରାଯାଇଛି। ଏହା ପରିବର୍ତ୍ତେ, ତାଙ୍କୁ ବର୍ତ୍ତମାନ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ଅତିରିକ୍ତ ଭାବେ, ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ପଞ୍ଜୀକରଣ ଅଧିକାରୀ ତଥା ନିକଟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଯୋଗ ଦେଇଥିବା ଓଏଏସ୍ (ଏସ୍.) କୁକୁମିନା ଦାସଙ୍କୁ ବାରିପଦା ସ୍ଥିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପି.ଡି. (P.D.), R&R ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

