Latest Odisha News

ବାହୁଡ଼ିଗଲେ ଦ୍ୱିତୀୟ ଈଶ୍ବର

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ବର୍ତ୍ତମାନର ସମୟ ଏକ ଘଡିସନ୍ଧିର ସମୟ। ସମଗ୍ର ମାନବ ଜାତି ତା’ର ବଳ ,କଳ ,କୌଶଳ ଲଗାଇ ଲଢୁଛି ଏକ ଅଦୃଶ୍ୟ ଆତଙ୍କବାଦୀ ସହିତ । ମାନବ ଜାତିର ସବୁ ପ୍ରୟାସ କୁ ଫୁତ୍କାର ମାରି ଉଡେଇ ଦେଇ ରକ୍ତମୁଖା ଆତଙ୍କବାଦୀ ବିଜୟୋଲ୍ଲାସରେ ଘୁରି ବୁଲୁଛି ଦେଶ ପରେ ଦେଶ ,ରାଜ୍ୟ ପରେ ରାଜ୍ୟ , ଗ୍ରାମ ପରେ ଗ୍ରାମ, ଲକ୍ଷ ଲକ୍ଷ ପ୍ରାଣ କବଳିତ କରି ମଧ୍ୟ ମେଣ୍ଟି ନାହିଁ ତା’ର ଅନନ୍ତ ତୃଷ୍ଣା । ସହସ୍ରାଧିକ ଯୋଦ୍ଧା ଙ୍କୁ ପରାସ୍ତ କରି ସେ ଉଡାଇ ଚାଲିଛି ତା’ର ଜୈତ୍ର ବାନା । ଟଳି ପଡୁଛନ୍ତି କେତେ କେତେ ମହାମେରୁ , ଗଡି ଚାଲିଛି କେତେ କେତେ ମହାଯୋଦ୍ଧାଙ୍କ ମୁଣ୍ଡ । ଦ୍ୱିତୀୟ ଈଶ୍ବର ମାନେ ମଧ୍ୟ ତା’ ଆଗରେ ହାର୍ ମାନୁଛନ୍ତି , ପରାସ୍ତ ହୋଇ ଫେରି ଯାଉଛନ୍ତି । ତା’ର କ୍ଷୁଧାର୍ତ୍ତ ଆଁ ର ଅତଳ ଗହ୍ୱର ଭିତରେ ହଜି ଯାଉଛନ୍ତି । ସେମିତି ଏକ ଦ୍ୱିତୀୟ ଈଶ୍ବରଙ୍କ କଥା ……।

କେବଳ ଆଖ୍ୟାରେ ନୁହେଁ ପ୍ରକୃତ ପକ୍ଷରେ ସେ ଥିଲେ ଜଣେ ଦ୍ୱିତୀୟ ଈଶ୍ବର । ମାନବତାର ପୂଜାରୀ ଏଇ ମହନୀୟତାର ଚରମ ଦୃଷ୍ଟାନ୍ତଙ୍କର ନାମ ଥିଲା ଡଃ କେ ଏମ୍ ଇସମାଇଲ୍ ହୁସେନ୍ । ଉଣେଇଶହ ଚଉରାଳିଶି ମସିହା ଡିସେମ୍ବର ମାସ ପାଞ୍ଚ ତାରିଖରେ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ୍ ଜିଲ୍ଲାରେ ତୁଙ୍ଗଭଦ୍ରା ନଦୀତଟ ଏକ ଛୋଟ ସହରରେ ଗୋଟିଏ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇ ନିଜର ବିଚକ୍ଷଣ ଧୀଶକ୍ତି ବଳରେ ସେ ହୋଇ ପାରିଥିଲେ ଜଣେ ପ୍ରଖ୍ଯାତ ଡାକ୍ତର, ଯିଏ ମାନବ ସେବାକୁ ଈଶ୍ବରଙ୍କ ସେବା ମନେକରି ମାନବତା ର ସେବା କରି ଚାଲିଥିଲେ ସାରା ଜୀବନ । ନିଜେ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ରୋଗୀଙ୍କୁ ସମାନ ଭାବରେ ଚିକିତ୍ସା କରୁଥିଲେ କେବଳ ଜଣେ ମଣିଷ ଭାବରେ।

ଅନେକ ରୋଚକ କାହାଣୀ ଶୁଣିବାକୁ ମିଳେ ସେଇ ଦେବତୁଲ୍ୟ ଡାକ୍ତରଙ୍କ ସମ୍ବନ୍ଧରେ। କୁର୍ଣ୍ଣୁଲ୍ ମେଡିକାଲ କଲେଜରୁ ଡାକ୍ତରୀ ପଢି ସାରିବା ପରେ ସେ ସେଠାରେ ଜଣେ ଫାକଲ୍ଟି ଭାବରେ ଯୋଗଦେଇଥିଲେ । ଧନୀଟିଏ ହେଉ କି ଗରିବ ,ସମସ୍ତ ରୋଗୀଙ୍କୁ ସମାନ ଦୃଷ୍ଟି ରେ ଦେଖୁଥିଲେ ସେ । ମାନବତାର ସେବା ଥିଲା ତାଙ୍କ ଜୀବନର ମୂଳମନ୍ତ୍ର। ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୌଣସି ଦରିଦ୍ର ରୋଗୀର ଦୁଃଖ ସେ ସହି ପାରୁନଥିଲେ । ଊଣେଇଶହ ପନ୍ଚସ୍ତରି ମସିହା ରେ କୁର୍ଣ୍ଣୁଲ୍ ହସ୍ପିଟାଲରେ ସେ ଆସିଷ୍ଟାଣ୍ଟ୍ ପ୍ରଫେସର୍ ଥିବାବେଳେ ଥରେ ଗୋଟିଏ ଅତି ଗରିବ ରୋଗୀଙ୍କର ମୃତ୍ୟୁ ହୋଇଥିଲା, ତାଙ୍କ ଶବକୁ ଘର ଯାଏଁ ନେବା ଲାଗି ମଧ୍ୟ ତାଙ୍କ ପରିବାରର ଲୋକଙ୍କ ପାଖରେ ପଇସା ନଥିଲା, ସେଥିପାଇଁ ସମସ୍ତେ ମନ ଦୁଃଖରେ କନ୍ଦାକଟା କରୁଥିଲେ , ଡାକ୍ତର ଇସମାଇଲ୍ ହୁସେନଙ୍କ କାନରେ ପଡିଲା କଥାଟି, ତତକ୍ଷଣାତ୍ ସେ ନିଜ ପକେଟରୁ ସମସ୍ତ ଖର୍ଚ୍ଚ କରି ରୋଗୀର ଶବ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ତାଙ୍କ ଘରକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ, ଖାଲି ସେତିକି ନୁହେଁ ଗୋଟିଏ “ଚାରିଟି ସୋ” କରି ତହିଁରୁ ଆୟ ହୋଇଥିବା ସମସ୍ତ ଅର୍ଥକୁ ସେଇ ପରିବାର କୁ ସାହାଯ୍ୟ ଦେଇଥିଲେ।

ପରବର୍ତ୍ତୀ ସମୟରେ ସେ ନିଜ ଘରେ ନିଜର କ୍ଲିନିକଟିଏ କରି ମାଗଣାରେ ରୋଗୀ ଚିକିତ୍ସା କରିବା ଆରମ୍ଭ କରିଦେଇଥିଲେ । ଦିନରେ ବିଭିନ୍ନ ପ୍ରକାରର କାମ ରହୁଥିଲା, ତେଣୁ ସେ ସନ୍ଧ୍ୟା ସମୟରେ ତାଙ୍କର କ୍ଲିନିକ୍ ରେ ରୋଗୀ ସେବା ଆରମ୍ଭ କଲେ, ତାଙ୍କ ହାତରେ କିଛି ଐଶ୍ୱରୀୟ ଶକ୍ତି ଥିଲା କି ନାହିଁ ଜଣାନାହିଁ କିନ୍ତୁ ତାଙ୍କର ମଧୁର ଆଶ୍ୱାସନା ଭରା କଥାରେ ହିଁ ଅଧିକ ଆରୋଗ୍ଯ ଲାଭ କରୁଥିଲେ ରୋଗୀମାନେ। ତାଙ୍କର ସରଳ ଅମାୟିକ ବ୍ୟବହାର ରେ ଆକୃଷ୍ଟ ହୋଇ ଅନେକ ରୋଗୀ ଆସୁଥିଲେ ତାଙ୍କ ପାଖକୁ, କୌଣସି ରୋଗୀକୁ ସେ ଫେରାଇ ଦେଉ ନଥିଲେ , ସେଥିପାଇଁ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଜାରି ରହୁଥିଲା । ଚିକିତ୍ସା କଲାବେଳେ ସେ କୌଣସି ରୋଗୀର ନାମ ପଚାରୁନଥିଲେ କେବଳ ବୟସ ଏବଂ ରୋଗର ଲକ୍ଷଣ ବିଷୟରେ ପଚାରୁଥିଲେ । ଅନ୍ୟ ଡାକ୍ତରଙ୍କ ଭଳି ଅନେକ ଗୁଡିଏ ଅଯଥା ପରୀକ୍ଷା ନୀରିକ୍ଷା ମଧ୍ୟ କରିବା ଲାଗି ପରାମର୍ଶ ଦେଉନଥିଲେ ବରଂ ଖୁବ୍ କମ୍ ଔଷଧ ଲେଖୁଥିଲେ ଯାହା ନିହାତି ଜରୁରୀ ହେଉଥିଲା। ରୋଗୀକୁ ଚିକିତ୍ସା କରିବା ନିମନ୍ତେ ସେ ନିଜେ କୌଣସି ଫିସ୍ ନେଉନଥିଲେ, ରୋଗୀର “ସଲାମ୍ ଡାକ୍ତର ସାବ୍ “ଶବ୍ଦ ଟି ତାଙ୍କର ପାରିଶ୍ରମିକ ବୋଲି ସେ ମନେ କରୁଥିଲେ । କ୍ଲିନିକରେ ତାଙ୍କ ଟେବୁଲ୍ ପାଖକୁ ଲାଗି ଆଉ ଗୋଟିଏ ଟେବୁଲରେ ତୁଳା, ଡେଟଲ୍, ସିରିଞ୍ଜ୍ ,ଔଷଧ ଇତ୍ୟାଦି ସହିତ ଖାଲି କାର୍ଟୁନ୍ ଟିଏ ରହୁଥିଲା। କେବଳ ଯଦି ରୋଗୀକୁ ଇଂଜେକସନ୍ ଦେବାକୁ ପଡୁଥିଲା, ତେବେ ତାଙ୍କ ପାଖରେ ଯେଉଁ କମ୍ପାଉଣ୍ଡରଟି ସେଇ ଇଂଜେକସନ ଦେଉଥିଲା, ତା’ର ଫିସ୍ ବାବଦକୁ ଦୁଇଟଙ୍କା ସେଇ କାର୍ଟୁନ୍ ରେ ପକାଇ ଦେବାକୁ ସେ ରୋଗୀଙ୍କୁ କହୁଥିଲେ , ତେଣୁ ରୋଗୀମାନେ ଭାବୁଥିଲେ ଯେ ଡାକ୍ତରଙ୍କ ଫିସ୍ ହେଉଛି ଦୁଇଟଙ୍କା । ତେଣୁ ସେମାନେ ତାଙ୍କୁ “ଦୁଇଟଙ୍କିଆ ଡାକ୍ତର” ବୋଲି ନାମ ଦେଇଥିଲେ। ଲୋକ ମାନେ ସେଇ ଦୁଇଟଙ୍କିଆ ଫିସ୍ ସହିତ ଏମିତି ଅଭ୍ୟସ୍ତ ହୋଇ ଯାଇଥିଲେ ଯେ ଯଦି କେବେ କୌଣସି ରୋଗୀ ପାଖରେ ଦୁଇଟଙ୍କିଆ ନୋଟଟିଏ ନଥିଲା ଏବଂ ସେ ପାନ୍ଚ ଟଙ୍କିଆ କିମ୍ବା ଦଶଟଙ୍କିଆ ନୋଟ୍ ଟିଏ ସେଇ କାର୍ଟୁନ୍ ଭିତରେ ପକାଉଥିଲା ତେବେ ଡାକ୍ତରଙ୍କ ଫିସ୍ ଦୁଇଟଙ୍କାକୁ ବାଦ୍ ଦେଇ ସେ ବାକୀ ପଇସା ଫେରାଇ ନେବାକୁ ଭୁଲୁ ନଥିଲା । ମୃତ୍ୟୁ ପର୍ଯ୍ୟନ୍ତ ସେ ସେଇ “ଦୁଇଟଙ୍କିଆ ଡାକ୍ତର” ନାଆଁରେ ପରିଚିତ ହେଉଥିଲେ ।

ଆଉ ଗୋଟିଏ ସେମିତି ମଜାଦାର ଘଟଣା ଘଟିଥିଲା ଊଣେଇଶହ ଅଶୀ ମସିହାରେ। ଡକ୍ଟର ଇସମାଇଲ୍ ହୁସେନ୍ ଙ୍କର କ୍ଲିନିକ୍ ପୁରାଦମରେ ଚାଲିଥାଏ, ଦୂରଦୂରାନ୍ତରୁ ରୋଗୀମାନେ ଛୁଟି ଆସୁଥାନ୍ତି ତାଙ୍କ ପାଖକୁ ମାଗଣାରେ ଚିକିତ୍ସା ପାଇବା ଲାଗି । ପ୍ରବଳ ଲୋକ ଗହଳି ହେଉଥାଏ। ସେତେବେଳେ ନିର୍ବାଚନ ସମୟ,, ଆଇନ୍ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସରକାର ନିୟମ ଘୋଷଣା କରିଦେଲେ ଯେ ରାତି ଦଶଟା ତିରିଶି ମିନିଟ୍ ପରେ କୌଣସି ଡାକ୍ତରଖାନା ଖୋଲା ରହି ପାରିବନାହିଁ । ବିଳମ୍ବିତ ଅପରାହ୍ନରେ ଖୋଲୁଥିବା ଡାକ୍ତର ସାବ୍ ଙ୍କ କ୍ଲିନିକ୍ ସେଇ ନିୟମ ମାନି ରାତି ସାଢେ ଦଶଟା ବେଳକୁ ବନ୍ଦ ହୋଇଗଲା । ଡାକ୍ତର ସାବ୍ ସିନା ନିୟମକୁ ମାନିଲେ , ହେଲେ ରୋଗୀ ମାନଙ୍କର ଖୁବ୍ ଅସୁବିଧା ହେଲା, ଅନେକ ଗୁଡାଏ ରୋଗୀ ଚିକିତ୍ସା ନପାଇ ଫେରିଲେ ଡାକ୍ତର ସାବଙ୍କ କ୍ଲିନିକ୍ ରୁ। ଅନ୍ୟ ଡାକ୍ତର ମାନଙ୍କ ପାଖରେ ଚିକିତ୍ସିତ ହେବାକୁ ଚାହିଁଲେନି ସେମାନେ , ତେଣୁ ସେମାନେ ମେଳି କରି ଚାଲିଲେ କୁର୍ଣ୍ଣୁଲ୍ ର ଏସ୍ ପି ଙ୍କୁ ଅନୁରୋଧ କରିବାକୁ , ଡାକ୍ତର ଇସମାଇଲ୍ ହୁସେନ୍ ଙ୍କ କ୍ଲିନିକ୍ କୁ ପୂର୍ବବତ୍ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦେବାଲାଗି । ସୋସିଆଲ୍ ମିଡିଆରେ ପ୍ରଚାରିତ ହେଲା ସେମାନଙ୍କ ଦାବୀ, ପ୍ରବଳ ଜନ ସମର୍ଥନ ମିଳିଲା। ନିରସ୍ତ୍ର ହୋଇ ଏସ୍ ପି ଜଣାଇଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କୋଟଲା ବିଜୟ ଭାସ୍କର ରେଡ୍ଡୀଙ୍କୁ ଏବଂ ଶେଷରେ ମୁଖ୍ୟମନ୍ତ୍ରୀ ସ୍ୱୀକାର କଲେ ଯେ ଜନସାଧାରଣଙ୍କ ଦାବୀକୁ ନିଶ୍ଚୟ ମାନିବାକୁ ପଡିବ। ତା’ପରେ ସେ ଅନୁମତି ଦେଇଥିଲେ ଡାକ୍ତର ସାବ୍ ଙ୍କର କ୍ଲିନିକ୍ କୁ ପୂର୍ବବତ୍ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଖୋଲା ରଖିବାକୁ ।

ଡାକ୍ତର ଇସମାଇଲ୍ ହୁସେନ୍ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ତିନୋଟି ରାଜ୍ୟରେ ଖୁବ ଲୋକପ୍ରିୟତା ହାସଲ କରିଥିଲେ ତାଙ୍କର ନିଃସ୍ଵାର୍ଥପର ସେବା ଲାଗି । କୁର୍ଣ୍ଣୁଲରେ ତାଙ୍କର ଲୋକପ୍ରିୟତା ଲକ୍ଷ୍ୟ କରି ଟି ଡି ପି ର ମହାନ୍ ନେତା ସ୍ୱର୍ଗତ ଏନ୍ ଟି ରାମାରାଓ ଊଣେଇଶହ ଅଣାନବେ ମସିହାରେ ତାଙ୍କୁ ଏମ୍ ଏଲ୍ ଏ ଟିକେଟ୍ ଟିଏ ଦେଇ କ୍ୟାବିନେଟ୍ ରେ ସ୍ଥାନ ଦେବାକୁ ଚାହୁଁଥିଲେ ଯାହାକୁ ସେ ବିନମ୍ରତାର ସହିତ ପ୍ରତ୍ୟାଖାନ କରି ଦେଇଥିଲେ। ଥରେ ତାଙ୍କର ଜଣେ ବନ୍ଧୁ ପଚାରିଲେ “ ତୁମେ ଏମିତି ବିନା ପାରିଶ୍ରମିକ ରେ ଏତେ ସମୟ ଦେଇ , ପରିଶ୍ରମ କରି ରୋଗୀମାନଙ୍କୁ ଚିକିତ୍ସା କରୁଛ କାହିଁକି? ତୁମର କ’ଣ ଅର୍ଥ ପ୍ରତି ମୋଟେ ଆସକ୍ତି ନାହିଁ ? ଡକ୍ଟର ଇସମାଇଲ୍ ହୁସେନ୍ ହସି ହସି ଉତ୍ତର ଦେଇଥିଲେ “ କାହିଁକି ଅର୍ଥ ପ୍ରତି ଆସକ୍ତି ରଖିବି ? ଟଙ୍କା ପଇସା କ’ଣ ହେବ ମୋର ? ଈଶ୍ବର ତ ମୋତେ ବହୁତ କିଛି ଦେଇଛନ୍ତି,ମୋର ପୁଅ ଜଣେ ନାମୀ ଡାକ୍ତର, ମୋର ଜଣେ ଜ୍ୱାଇଁ କଲେକ୍ଟର, ଆଉ ଦୁଇ ଜ୍ୱାଇଁ ମଧ୍ୟ ଉଚ୍ଚ ବେତନଭୋଗୀ ସରକାରୀ କର୍ମଚାରୀ, ଆଉ ଅଧିକ ରୋଜଗାର କରିବି କାହା ଲାଗି ? ବରଂ ଏଇ ଲୋକମାନଙ୍କୁ ସେବା କରି ଯେଉଁ ସମ୍ମାନ, ଯେଉଁ ଆନନ୍ଦ ମିଳୁଛି ସେଇ ମୋର ପାରିଶ୍ରମିକ ବୋଲି ଭାବିବି । କେତେ ମହାନ୍ ଚିନ୍ତାଧାରା ଥିଲା ସେଇ ମହାନ୍ ଆତ୍ମାଙ୍କର।

ଗତ ମାର୍ଚ୍ଚ ମାସରୁ ଡାକ୍ତର ସାବ୍ ଙ୍କର କାମ ବହୁତ ବଢି ଯାଇଥିଲା । ବିଦେଶ ମାଟି ଡେଇଁ କରୋନା ଆତଙ୍କ ଖେଳି ଯାଇଥିଲା ସାରା ଭାରତ ରେ । ଲୋକ ମାନଙ୍କୁ କରୋନା ଭୂତାଣୁର ଭୟାବହତା ବିଷୟରେ ସଚେତନ କରାଇବା ଜରୁରୀ ହୋଇ ପଡିଥିଲା। ଡାକ୍ତର ସାବ୍ ରୋଗୀଙ୍କ ଚିକିତ୍ସା ତ କରୁଥିଲେ, ତା’ସହିତ ସେ ଠାଆ କୁ ଠାଆ ବୁଲି ଲୋକମାନଙ୍କୁ “ କରୋନା “ ରୋଗ ର ଭୟାବହତା ବିଷୟରେ ବୁଝାଇଥିଲେ, ପ୍ରତିଷେଧକ ସଚେତନତା ସୃଷ୍ଟି କରୁଥିଲେ। ଦିଲ୍ଲୀର “ ତବଲିଗୀ ଜମାତ୍ “ ରୁ ଫେରିଥିବା ମୁସଲମାନମାନଙ୍କ ଦ୍ୱାରା କରୋନା ଭାଇରସ୍ ସଂକ୍ରମିତ ହେଉଥିବା ଖବର ଜଣା ପଡିବାରୁ ଆନ୍ଧ୍ରପ୍ରଦେଶ ସରକାର ଡାକ୍ତର ଇସମାଇଲ୍ ହୁସେନଙ୍କୁ ସେହି ଜମାତ୍ ଫେରନ୍ତା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଠାବ କରି ସେମାନଙ୍କ ଚିକିତ୍ସା କରିବାର ଦାୟିତ୍ୱ ଦେଇଥିଲେ । ସେହି କାର୍ଯ୍ୟରେ ଦିନରାତି ଲାଗି ରହିଥିଲେ ସେ ନିଜର ଜୀବନକୁ ବାଜି ଲଗାଇ । ଶହ ଶହ ରୋଗୀଚିହ୍ନଟ କରି ଆଣି କୋଭିଡ୍ ହସପିଟାଲରେ ଭର୍ତ୍ତି କରାଉଥିଲେ ସେମାନଙ୍କ ଚିକିତ୍ସା କରାଇବା ଲାଗି । ସେମିତି ଚିକିତ୍ସା କରୁ କରୁ ଶେଷରେ ସେଇ “ କରୋନା ଭୂତାଣୁ” ରେ ସଂକ୍ରମିତ ହୋଇଥିଲେ ନିଜେ ସେଇ କରୋନା ଯୋଦ୍ଧା ।

ଜୀବନ ରେ ଲକ୍ଷ ଲକ୍ଷ ରୋଗୀଙ୍କ ପ୍ରାଣ ରକ୍ଷା କରିଥିବା ସେଇ ଦ୍ୱିତୀୟ ଈଶ୍ଵର କିନ୍ତୁ ନିଜକୁ ରକ୍ଷାକରି ପାରିଲେନି କରୋନା ରାକ୍ଷସ କବଳରୁ । ସେଇ କରୋନା ଭୂତାଣୁ ସହ ଲଢୁ ଲଢୁ ପରାସ୍ତ ହୋଇ ଧରାଧାମରୁ ଫେରି ଗଲେ ସ୍ୱର୍ଗକୁ ଦୁଇହଜାର କୋଡିଏ ମସିହ ଏପ୍ରିଲ୍ ମାସ ଚଉଦ ତାରିଖ ରେ। ଏମିତି ଏକ ଅସମୟରେ ଫେରି ଗଲେ ଯେ ତାଙ୍କୁ ଦେବତା ଭଳି ଭଲ ପାଉଥିବା, ସମ୍ମାନ କରୁଥିବା କେହି ଜଣେ ହେଲେ ମଧ୍ୟ ତାଙ୍କର ଶେଷ ଦର୍ଶନ ଟିକିଏ କରିବାକୁ , କି ଶେଷ ବିଦାୟ ଟିକିଏ ଜଣାଇବା ଲାଗି ସୁଯୋଗ ପାଇଲେନି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଭସ୍ମୀଭୂତ ହୋଇଗଲା ତାଙ୍କର ପାର୍ଥିବ ଶରୀର । “ଦୁଇଟଙ୍କିଆ ଡାକ୍ତର “ ହଜିଗଲେ ସମସ୍ତଙ୍କ ଦୃଷ୍ଟି ପଟଳରୁ। ଫେରି ଗଲେ ଦ୍ୱିତୀୟ ଈଶ୍ବର ପୁଣି ଥରେ ଆଉ କେଉଁ ରୂପରେ ଆଉ କେଉଁ ଲୋକରେ ମାନବତାର ସେବା କରିବା ପାଇଁ । କେବଳ କୁର୍ଣ୍ଣୁଲ୍ ସହର ଝୁରିବ ନାହିଁ , ସାରା ବିଶ୍ବ ଝୁରିବ ସେଇ ଦ୍ୱିତୀୟ ଈଶ୍ଵରଙ୍କୁ। ତାଙ୍କର ସେଇ ନିଃସ୍ୱାର୍ଥପର ସେବା ଲାଗି ମୃତ୍ୟୁ ପରେ ବି ସେ ଅମର ହୋଇ ରହିବେ କୋଟି କୋଟି ଭାରତୀୟ ଙ୍କ ହୃଦୟ ମଧ୍ୟରେ ।

ଶାରଳା ଭବନ
ପୋତାପୋଖରୀ ନୂଆବଜାର
କଟକ
୯୩୩୭୨୭୨୬୪୭

Comments are closed.