Latest Odisha News

ରାଜ୍ୟରେ ବିଜୟ ହେବେ କି ବିଆରଏସର ଭବିଷ୍ୟତ ?

ଭୁବନେଶ୍ୱର: ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଫୋକସ ଓଡିଶା। କେବଳ ଦକ୍ଷିଣ ଓଡିଶା ନୁହେଁ ଉପକୂଳର ପ୍ରଭାବଶାଳୀ ନେତା ମାନଙ୍କୁ ବିଆରଏସ ନିଜ ଆଡକୁ ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋରଦାର।ରାଜ୍ୟର ପ୍ରମୁଖ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ସ୍ତ୍ରୀ ହେମା ଗମାଙ୍ଗ ପ୍ରମୁଖ ବିଆରଏସରେ ଯୋଗ ଦେଇଛନ୍ତି।

ଏପରିକି କୋରାପୁଟର ପୂର୍ବତନ ସାଂସଦ ତଥା ପ୍ରଭାବଶାଳୀ ନେତା ଜୟରାମ ପାଙ୍ଗୀ ମଧ୍ୟ ବିଆରଏସରେ ଯୋଗ ଦେଇଛନ୍ତି। ଏବେ ବିଜୟଙ୍କୁ ବିଆରଏସ ନେତା ଭେଟିବା ପରେ ଦଳରେ ବିଜୟ ସାମିଲ ହେବା ନେଇ ଚର୍ଚ୍ଚା ତୀବ୍ର ହେବାରେ ଲାଗିଛି।ସେଥିପାଇଁ ଆଗାମୀ ଦିନରେ ଓଡ଼ିଶା ରାଜନୈତିକ ଦୃଶ୍ୟପଟରେ ଭିନ୍ନ କିଛି ଚିତ୍ର ଦେଖିବାକୁ ମିଳିବ କି ବୋଲି ଚର୍ଚ୍ଚା ହେଉଛି।

ଦୀର୍ଘ ବର୍ଷ ଧରି ବିଜେଡି ରାଜ୍ୟରେ ସବୁଠୁ ପ୍ରଭାବଶାଳୀ ଦଳ ଭାବେ ଉଭା ହୋଇ ଆସୁଥିବା ବେଳେ କଂଗ୍ରେସ କିମ୍ବା ବିଜେପି ବିଜେଡିକୁ ମାତ ଦେବାକୁ ସକ୍ଷମ ହୋଇପାରି ନାହାଁନ୍ତି। ଏପରିକି ଓଡ଼ିଶାରେ ଆମ ଆଦମୀ ପାର୍ଟିକୁ ନେଇ ବହୁ ଚର୍ଚ୍ଚା ହେଉଥିଲେ ମଧ୍ୟ ଦଳ ରାଜ୍ୟରେ ସେତେଟା ପ୍ରଭାବୀ ହୋଇପାରିନାହିଁ। ଏବେ କିନ୍ତୁ ଭାରତ ରାଷ୍ଟ୍ର ସମିତି ଓଡିଶାକୁ ସ୍ୱତନ୍ତ୍ର ଭାବେ ଏଣ୍ଟ୍ରି କରିଛି।

ଏଥିସହିତ ରାଜ୍ୟର ସମସ୍ତ ଅଞ୍ଚଳର ସ୍ଥିତି ଓ ନେତାଙ୍କ ଲୋକପ୍ରିୟତା କୁ ଦେଖି ସେମାନଙ୍କୁ ଦଳରେ ସାମିଲ କରିବାକୁ ଉଦ୍ୟମ ଜୋରଦାର କରିଛି। ପୂର୍ବରୁ ଦଳ କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଂଜାମ, ଗଜପତି, ମାଲକାନଗିରି ଆଦି ଅଞ୍ଚଳ ଉପରେ ଫୋକସ କରୁଥିବା ନେଇ ଚର୍ଚ୍ଚା ହେଉଥିଲା। ବିଶେଷ କରି ତେଲୁଗୁ ଭାଷାଭାଷୀ ବସବାସ କରୁଥିବା ଅଞ୍ଚଳକୁ ବିଆରଏସ ଟାର୍ଗେଟ କରୁଥିବା ଚର୍ଚ୍ଚା ହେଉଛି।

କିନ୍ତୁ କିଛି ଦିନ ପୂର୍ବେ କୃଷକ ନେତା ଅକ୍ଷୟ କୁମାର ବିଆରଏସ ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଲଢ଼ିବା ନେଇ ସୂଚନା ଦେଇସାରିଛନ୍ତି। ଗମାଙ୍ଗ ପରିବାର, ପାଙ୍ଗୀଙ୍କ ସମେତ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବିଆରଏସରେ ଯୋଗଦାନ ଓ ଧୀରେ ଧୀରେ ଦଳ ରାଜ୍ୟରେ କାୟା ବିସ୍ତାର କରିବା ରାଜନୈତିକ ପାଣିପାଗକୁ ସରଗରମ କରିଛି। ବିଜୟ ମହାପାତ୍ରଙ୍କୁ ରାଜ୍ୟ ରାଜନୀତିରେ ବିଶେଷ ଗୁରୁତ୍ୱ ଦିଆଯାଏ।

ସେ ଏମିତି ଜଣେ ରାଜନେତା ଯାହାଙ୍କର ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ନେଟୱର୍କ ଅଛି ବୋଲି କୁହାଯାଏ। ତେଣୁ ବିଆରଏସରେ ଯଦି ବିଜୟ ଯୋଗ ଦିଅନ୍ତି ତେବେ ଦଳ ବେଶ ଲାଭବାନ ହେବ ବୋଲି ଚର୍ଚ୍ଚା ହେଉଛି।ବିଆରଏସ ରାଜ୍ୟର ଆଉ କେଉଁ ନେତାଙ୍କୁ ଦଳକୁ ନେବାକୁ ଉଦ୍ୟମ ଚଳାଇଛି ତାକୁ ନେଇ ଏବେ ସରଗରମ ଚର୍ଚ୍ଚା।

Comments are closed.