Latest Odisha News

BREAKING NEWS

ଚୌଦ୍ୱାର ଜେଲରେ ହେବ ଗୋପାଳର ମାନସିକ ସ୍ବାସ୍ଥ୍ୟ ଯାଞ୍ଚ

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ହେବ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ। ଚୌଦ୍ୱାର ସର୍କଲ ଜେଲରେ ସେ ଏବେ ରହିଛି। ଏହି ସମୟରେ ସୋମବାର ଝାରସୁଗୁଡ଼ା ଜେଏମଏଫସି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

କ୍ରାଇମବ୍ରାଞ୍ଚର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଗୋପାଳ ଦାସର ମାନସିକ ରୋଗର ଲମ୍ବା ଇତିହାସ ରହିଛି। ଅଭିଯୁକ୍ତର ମାନସିକ ରୋଗ ଯୋଗୁଁ ଚାରି ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା। ବୋର୍ଡ ତାଙ୍କୁ ଯାଞ୍ଚ କରିବା ସହ ଝାରସୁଗୁଡ଼ାରେ ଅନୁଧ୍ୟାନ କରିଥିଲା। ପରେ ବୋର୍ଡ ମତ ଦେଇଛି ଯେ ଅଭିଯୁକ୍ତର ମାନସିକ ସ୍ୱାସ୍ଥ୍ୟ ବିଷୟରେ ନିଶ୍ଚିତ ସିଦ୍ଧାନ୍ତ ନେବା ପାଇଁ ବିସ୍ତୃତ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି।

ତେଣୁ କ୍ରାଇମବ୍ରାଞ୍ଚ ବେଙ୍ଗାଲୁରୁର ନିମହାନ୍ସରେ ଗୋପାଳ ଦାସର ମାନସିକ ପରୀକ୍ଷା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ କୋର୍ଟ ନିମହାନ୍ସ ପରିବର୍ତ୍ତେ ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟର ମୂଲ୍ୟାୟନ ବର୍ତ୍ତମାନ ଚୌଦ୍ୱାର ସର୍କଲ ଜେଲରେ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରାଯାଉଛି ଏବଂ ଏହା ଉପରେ ଅଧିକ ଆଇନର ଆଶ୍ରୟ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୨୪ ଦିନ ବିତିଯାଇଥିଲେ ମଧ୍ୟ ଏହାର ଉଦ୍ଦେଶ୍ୟ ଓ କାରଣ ସ୍ପଷ୍ଟ କରିନାହିଁ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଦାବି କରିଛି, ଗୁଜରାଟରେ ନାର୍କୋ ଟେଷ୍ଟ ବେଳେ ଗୋପାଳ ଦାସ ଜାନୁଆରୀ ୨୯ ତାରିଖରେ କିଭଳି ସର୍ବସାଧାରଣରେ ନବ ଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିଲା। ସେ ଏପରି କାହିଁକି ନିଷ୍ପତ୍ତି ନେଲା ସେ ସମ୍ପର୍କରେ ସବୁକିଛି କହିଥିଲା। ନାର୍କୋ ଟେଷ୍ଟ ବେଳେ ଅଭିଯୁକ୍ତ ମଧ୍ୟ ଗୁଳି କରିବା ସମୟରେ ନିଜ ମାନସିକ ସ୍ଥିତି ବିଷୟରେ ସ୍ୱୀକାର କରିଥିବା ଜଣାପଡ଼ିଛି।

 

Comments are closed.