ଭୁବନେଶ୍ୱର: ପୁଣି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ରଙ୍କ ବିସ୍ଫୋରକ ବୟନା । ନବ ଦାସଙ୍କ ହତ୍ୟା ମାମଲାରେ ସିଧା ଟାଣିଲେ 5T ସଚିବ ଭିକେ ପାଣ୍ଡିଆନ୍ ଓ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ । ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ବିଧାନସଭା ପରିସରରେ ଧାରଣା ଦେବା ଅବସରରେ ଦାବି କରିଛନ୍ତି ବିରୋଧୀ ଦଳ ନେତା ।
ଆଜି ବଜେଟ ଅଧିବେଶନ ଆରମ୍ଭ ହେବା କ୍ଷଣି ରାଜ୍ୟପାଳଙ୍କ ଅଭିଭାଷଣ ଦେଇଥିଲେ । ହେଲେ ବିଜେପି ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା । ବିଜେପି କର୍ମୀ ବିଧାନସଭା ପରିସରରେ ଧାରଣାରେ ବସିଥିଲେ । ଏହି ସମୟରେ ବିରୋଧୀ ଦଳ ନେତା ନବ ଦାସଙ୍କ ହତ୍ୟା ମାମଲାରେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଟାଣିଛନ୍ତି । ଉଭୟଙ୍କ ନାଁ ଧରି ସେ କହିଛନ୍ତି ସେମାନଙ୍କର ମୋବାଇଲର କଲ ରେକର୍ଡ ଯାଞ୍ଚ କରାଯାଉ । ଏଥି ସହିତ ଘଟଣାର ସିବିଆଇ ଯାଞ୍ଚ କରାଯାଉ ।
ସେ ପୁଣି ଅଭିଯୋଗ କରିଛନ୍ତି, ନବ ଦାସଙ୍କ ହତ୍ୟା ଘଟଣାର ୪ ଦିନ ପୂର୍ବରୁ ପାଣ୍ଡିଆନ ଓ ପ୍ରଣବ ଦାସ କଥାବାର୍ତ୍ତା ହୋଇଥିଲେ । ଉଭୟେ ଟେଲିଫୋନରେ କ’ଣ କଥାବାର୍ତ୍ତା ହୋଇଥିଲେ ? ସେମାନଙ୍କର କଲ ରେକର୍ଡ ଯାଞ୍ଚ କରାଯାଉ । କିନ୍ତୁ ଏହି ଯାଞ୍ଚ ଓଡ଼ିଶା କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ କରିବ । ଯାହା ଉପରେ ସନ୍ଦେହ ହେଉଛି ତାଙ୍କ କଲ ରେକର୍ଡ ଯାଞ୍ଚ କରାଯାଉ । ଏପରିକି ମୋ କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି ।
ସେ ଓଡ଼ିଶା ପୋଲିସ ଉପରେ ମଧ୍ୟ ବର୍ଷିଛନ୍ତି । ଓଡ଼ିଶା ପୋଲିସ ତଦନ୍ତଙ୍କୁ ଚାପି ଦେବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ କହିଥିଲେ, ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇ ପାରୁଛି । ହେଲେ ସରକାର ଏହାର ତଦନ୍ତ ଠିକ ଭାବେ କରୁନାହାନ୍ତି । ଏଠି ଜନସାଧାରଣ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି ।
Comments are closed.