Latest Odisha News

ସ୍ୱଳ୍ପ ଗଳ୍ପ : ଗାଧୁଆ ବେଳ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୬

BjdElectrycity

” ଗାଧୁଆ ବେଳ ” ଶୀର୍ଷକ ଗୋଟିଏ କବିତା ସଙ୍କଳନ ସହ ଓଡ଼ିଆ କବିତାରେ ଅଭିଷିକ୍ତ ହୋଇଥିବା କବି ଅଖିଳ ନାୟକଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି ।

ଏଇଠି କିନ୍ତୁ କୌଣସି କବିତା ଚର୍ଚ୍ଚା କରାଯାଉନାହିଁ । ଯାହା କିଛି ଏଇଠି କରାଯାଉଛି ତାହା କେବଳ ସେହି ଘଡିକ ପାଇଁ ଅର୍ଥାତ୍ କହ୍ନେଇ ପାଇଁ ଦୋଳିଗୀତ ଭଳି କିଛି କଥା ଅର୍ଥାତ୍ ଗାଧୁଆବେଳ ଭଳି ଗୋଟିଏ ବେଳାର ନିକଟରେ ପହଞ୍ଚିବାର ଏକ ଇତିହାସ ଯାତ୍ରା ।

ଆଜିକାଲି ତ ଆଉ ବାହାରେ କାହାରି ଦେହରେ ଆପଣ ଟୋପାଏ ହେଲେ ମଇଳା ଦେଖିବାକୁ ପାଇବେ ନାହିଁ । ସଭିଏଁ ବେଶ୍ ଭଲ ଭାବରେ ଗାଧୁଆପାଧୁଆ କରି ବେଶ୍ ଡଉଲଡାଉଲ ହୋଇ ପ୍ରକାଶ୍ୟ ବଜାରରେ ଉପସ୍ଥିତ ହୋଇ ଯାଉଛନ୍ତି । ତେଣୁ ମଇଳା ର କେଉଁଠି ଟିକିଏ ବୋଲି ଚିହ୍ନ ବର୍ଣ୍ଣ ମିଳିବ ନାହିଁ । ହେଲେ ଆରମ୍ଭରୁ ତ ସବୁକଥା ଆଜିକା ଭଳି ଧୋବଫରଫର ନଥିଲା ।

ମଣିଷ ସଭ୍ୟତାର ଆଦ୍ୟକାଳରେ ମଣିଷ ର ଅବବୋଧରେ ମଇଳା ବୋଲି କୌଣସି ଧାରଣା ନଥିଲା । ମଇଳା ବୋଲି କିଛି ଗୋଟାଏ କୁ ସେମାନେ ସେମିତି କିଛି ଅସ୍ୱାଭାବିକ ବୋଲି ବିଚାରୁ ନଥିଲେ । ମଣିଷ ଓ ତାହାର ପାରିପାର୍ଶ୍ୱିକ ହେଉଛି ଏକ ପ୍ରାକୃତିକ ସ୍ୱାଭାବିକ ଏବଂ ଏକମାତ୍ର ସ୍ଥିତି ଆଉ ଏହାର ବାହାରେ ଆଉ କିଛି ଅସହଜ ଅସ୍ୱାଭାବିକତା ନାହିଁ,ସେଇ ଭଳି ବିଚାର ମଣିଷର ମନରେ ରହିଥିଲା । ଈଶ୍ୱର,ମଣିଷ ଆଉ ପ୍ରକୃତି ସମସ୍ତ ସେହି ସ୍ୱାଭାବିକତାରୁ ସଂଜାତ ଆଉ ଏହାର ବାହାରେ ଆଉ କିଛି ନାହିଁ ।

ସ୍ୱାଭାବିକତାକୁ ବିନା ଦ୍ୱିଧାରେ ଗ୍ରହଣ କରିନେଉଥିବା ମଣିଷ ସଭ୍ୟତା ର ଏହି ଆଦ୍ୟକାଳରେ ମଣିଷର କହିବାକୁ ଗଲେ ସ୍ୱାସ୍ଥ୍ୟରକ୍ଷା ବା ” ହାଇଜିନ୍” ସମ୍ପର୍କରେ ଆଦୌ କୌଣସି ଧାରଣା ନଥିଲା । ମଇଳା ଏବଂ ମଣିଷର ବର୍ଜ୍ୟବସ୍ତୁ ଯେ ମଣିଷ ଭିତରେ ଅସୁଖ ସୃଷ୍ଟି କରିପାରିବ ଆଉ ଏହା ଏପରିକି ମଣିଷର ମୃତ୍ୟୁର କାରଣ ବି ହୋଇପାରେ,ଏଇ ଭଳି ଧାରଣା ମଣିଷର ନଥିଲା।କହିବାକୁ ଗଲେ ଏଇ ଭଳି ମଇଳା ଏବଂ ବର୍ଜ୍ୟବସ୍ତୁକୁ ନେଇ ସ୍ୱାସ୍ଥ୍ୟରକ୍ଷାର ଧାରଣା ମଣିଷ ଭିତରେ ବିଗତ ଦୁଇଶହ ଭିତରେ ସୃଷ୍ଟି ହୋଇଅଛି । ଜୀବାଣୁ ତତ୍ତ୍ୱ ବିଷୟରେ ଆମର ପୂର୍ବପୁରୁଷମାନେ କିଛି ଜାଣି ନଥିଲେ ଆଉ ସେହିଭଳି ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ବା ପରସନାଲ୍ ହାଇଜିନ୍ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ।

ମଣିଷର ସ୍ୱାସ୍ଥ୍ୟରକ୍ଷାର ଇତିହାସ ଦୃଷ୍ଟିରୁ ଦେଖିଲେ ଜଣାଯିବ ଯେ କେବଳ ପ୍ରାଚୀନ ଗ୍ରୀସ୍ ଏବଂ ରୋମ ସାମ୍ରାଜ୍ୟର ସମୟ ଅର୍ଥାତ୍ ଖ୍ରୀଷ୍ଟଜନ୍ମ ପରର ପ୍ରାୟ ପାଞ୍ଚଶହ ବର୍ଷ ଭଳି ଏକ ସଂକ୍ଷିପ୍ତ କାଳଖଣ୍ଡ ଥିଲା ସ୍ୱଚ୍ଛତାର ଉଜ୍ଜଳ ଇତିହାସ । ମାତ୍ର ତାହା ପରେ ଅର୍ଥାତ୍ ରୋମାନ ସାମ୍ରାଜ୍ୟର ପତନ ପରେ ପୃଥିବୀ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ଏକ ଗଭୀର ଅନ୍ଧକାରର ଯୁଗକୁ ଚାଲିଯାଇଥିଲା । ସ୍ୱାସ୍ଥ୍ୟରକ୍ଷାର ଏହିଭଳି ଅଂଧାର ଯୁଗ କହିବାକୁ ଗଲେ ଖ୍ରୀଷ୍ଟୀୟ ଋନବିଂଶ ଶତାବ୍ଦୀର ମଧ୍ୟଭାଗ ଅର୍ଥାତ୍ ବିଜ୍ଞାନସମ୍ମତ ଭାବରେ ଜୀବାଣୁତତ୍ତ୍ୱ ର ଉପଯୋଗୀତା ପ୍ରତିପାଦିତ ହେବାଯାଏଁ ଅର୍ଥାତ୍ ପ୍ରାୟ ପନ୍ଦରଶହ ବର୍ଷ ପର୍ଯ୍ୟନ୍ତ ବ୍ୟାପି
ରହିଥିଲା ।

ସ୍ୱାସ୍ଥ୍ୟରକ୍ଷାର ଇତିହାସରେ ଏହି ଭଳି ଦୀର୍ଘ ଅନ୍ଧକାର ଯୁଗର କାରଣ ବିଶେଷ ଭାବରେ ଧର୍ମଗତ ଥିଲା । ଖ୍ରୀଷ୍ଟାନ ଧର୍ମର ପ୍ରସାର ତାହାର ପୂର୍ବବର୍ତ୍ତୀ ଧର୍ମଧାରା ତଥା ଗ୍ରୀସ୍ ଏବଂ ରୋମ୍ ର ପ୍ରଚଳିତ ଧର୍ମଧାରାକୁ ପାଗାନ୍ ବୋଲି ଅଭିହିତ କରି ତାହାର ସମସ୍ତ କାର୍ଯ୍ୟକଳାପକୁ ପାଗାନିଜମ୍ ବା ବହୁଦେବପୂଜନ ବିଧିର ଆନୁସଙ୍ଗିକ ବୋଲି ବିଚାରକରି ତାହାକୁ ବର୍ଜନ କରିବାକୁ ଲାଗିଲେ । ତାହା ଭିତରେ ଗ୍ରୀସ୍ ଏବଂ ରୋମାନ୍ ଙ୍କର ସ୍ୱଚ୍ଛତା ର ଆଚରଣବିଧି ଗୁଡିକ ବଳି ପଡିଗଲା । ରୋମାନ ମାନଙ୍କର ଦିନକୁ ଅନେକଥର ଗାଧୋଇବା ଭଳି ଅଭ୍ୟାସକୁ ଖ୍ରୀଷ୍ଟଧର୍ମର ପ୍ରଚାରକ ମାନେ ସଫାସୁତରା ରହିବା ଈଶ୍ୱରର ନିକଟବର୍ତ୍ତୀ ହେବାର କଥା ନୁହଁ ବୋଲି କହିବାକୁ ଲାଗିଲେ । ଏହା, ଯାହା ଆଗରୁ କୁହାଯାଇଛି, ଈଶ୍ୱରକୃତ ସ୍ୱାଭାବିକତାର ପରିପନ୍ଥୀ,ଏଇ ଭଳି ଗୋଟିଏ ବିଚାରକୁ ଧାର୍ମିକ ପୁଟ ଦେଇ ଲୋକଙ୍କୁ କୁହାଗଲା । ବିଶେଷ ଭାବରେ ଖ୍ରୀଷ୍ଟ ଧର୍ମର ଜଣେ ସମ୍ମାନୀତ ସନ୍ଥ,ଆସିସ୍ ର ସନ୍ଥ ଫ୍ରାନସିସ୍ କହିଥିଲେ, ଅଗାଧୁଆ ଦେହ ହେଉଛି ଈଶ୍ୱର ପ୍ରେମର ଏକ ଦୁର୍ଗନ୍ଧ ଯୁକ୍ତ ପଦକ । ଏହା ସହିତ ସେତେବେଳେ ଆଉ ଗୋଟିଏ ବ୍ୟବସ୍ଥାପନା ରହିଥିଲା । ଖରାପଚିନ୍ତା ମନ ଭିତରେ ପ୍ରବେଶ କଲେ ଖ୍ରୀଷ୍ଟଧର୍ମର ସନ୍ଥମାନଙ୍କୁ ଥଣ୍ଡାପାଣିରେ ଗାଧୋଇବା ପାଇଁ କୁହାଯାଉଥିଲା । ତେଣୁ ସେଇଠୁ କୌଣସି ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନୁହଁ ମନରୁ କୁଃଚିନ୍ତାକୁ ଦୂର କରିବା ପାଇଁ ଗାଧୋଇବା ଭଳି ଏକ ଧାର୍ମିକ ଆଚରଣ ସର୍ବସାଧାରଣଙ୍କ ଭିତରକୁ ପ୍ରବେଶ କରୁଥିଲା ।

ମଣିଷର ସ୍ୱାସ୍ଥ୍ୟରକ୍ଷାର ଇତିହାସରେ ସବୁଠାରୁ ସ୍ୱଚ୍ଛ ଆଉ ସବୁଠାରୁ “ସାନିଟାଇଜଡ୍” ର ଶିରୋପା ପିନ୍ଧିଥିବା ପ୍ରାଚୀନ ଗ୍ରୀସ୍ ଆଉ ରୋମାନ ସାମ୍ରାଜ୍ୟରେ ସଫାସୁତୁରା ରହିବା କୌଣସି ସ୍ୱାସ୍ଥ୍ୟରକ୍ଷା ବା ” ହାଇଜିନିକ ” କାରଣରୁ ଯେ ଘଟୁଥିଲା ସେକଥା ନୁହଁ । ସେମାନଙ୍କର ସଫାସୁତୁରା ରହିବା ପଛରେ ରହିଥିବା କାରଣଟି ଆଳଙ୍କାରିକ ଥିଲା। ଗ୍ରୀସ୍ ଆଉ ରୋମ୍ ର ସମ୍ରାଟମାନେ ସବୁବେଳେ ନିଜର କ୍ଷମତାକୁ ସର୍ବସାଧାରଣରେ ପ୍ରତିଷ୍ଠା କରିବା ପାଇଁ ଏକ ମାଧ୍ୟମ ଆକାରରେ ନିଜକୁ ଆଳଙ୍କାରିକ ବେଶଭୂଷା ତଥା ଭବ୍ୟତାରେ ଉପସ୍ଥାପନ କରୁଥିଲେ । ନିତ୍ୟ ନୂତନ ବେଶଭୂଷା ତଥା ଭବ୍ୟତା ପାଇଁ ସେମାନଙ୍କୁ ସଫାସୁତୁରା ଅର୍ଥାତ୍ ଗାଧୋଇବାକୁ ହେଉଥିଲା। ନୂତନଭାବରେ ସୁବାସିତ ହୋଇ ରହିବାପାଇଁ ,ନୂତନ ବେଶଭୂଷା ପାଇଁ ସେମାନଙ୍କୁ ବାରମ୍ବାର ଗାଧୋଇବାକୁ ପଡୁଥିଲା । ଏଇ ଭଳି ଗାଧୋଇବା ପଛରେ ଧର୍ମଚାରଣ କି ସ୍ୱାସ୍ଥ୍ୟରକ୍ଷା ବିଧାନ କାରଣ ଆକାରରେ ନଥିଲା । ରାଜା ଆଉ ରାଣୀଙ୍କର ଏମିତି ଥରକୁ ଥର ଗାଧୋଇବା କଥା ସେଇଠୁ ସର୍ବସାଧାରଣଙ୍କର ଏକ ଅନୁକରଣମୂଳକ ଅଭ୍ୟାସରେ ପରିଣତ ହୋଇଯାଇଥିଲା।

ପରେ ସମାଜର ଉଚ୍ଚସ୍ତରର ଅଭ୍ୟାସରେ ଅର୍ଥାତ୍ ରାଜା ଆଉ ରାଣୀଙ୍କ କ୍ଷେତ୍ରରେ ଗାଧୋଇବା ବର୍ଜିତ ହେବାକୁ ଲାଗିଲା । ରାଜ ଉଆସରେ କହିବାକୁ ଗଲେ ରାଜା ରାଣୀଙ୍କ କ୍ଷେତ୍ରରେ ଜୀବନରେ କେବଳ ଦୁଇଥର ଗାଧୋଇବାର ବିଧାନ ଥିଲା,ଗୋଟିଏ ଜନ୍ମଗ୍ରହଣ ବେଳେ ଆଉ ଆରଟି ବିବାହ ସମୟରେ । ଖ୍ରୀଷ୍ଟାନ ଧର୍ମର ପ୍ରଚାରକ ମାନେ ସେତେବେଳେ ଗାଧୋଇବାକୁ ବର୍ଜନ କରିବା ପାଇଁ ଲୋକମାନଙ୍କୁ କହୁଥିଲେ କାରଣ ଏହା ଫଳରେ ମଣିଷ ଗୋଟିଏ ଅନୈତିକ କାର୍ଯ୍ୟରୁ ନିଜକୁ ରକ୍ଷା କରିପାରିବ । ଗାଧୋଇବା ବେଳର ସେହି ଅନୈତିକ କାର୍ଯ୍ୟଟି ହେଉଛି ସଂପୂର୍ଣ୍ଣ ଉଲଗ୍ନ ହେବା । ତେଣୁ ସମ୍ପୂର୍ଣ୍ଣ ଉଲଗ୍ନ ହେବା ଭଳି ଅନୈତିକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ହେଲେ ଜଣକୁ ଗାଧୋଇବାକୁ ତେଜ୍ୟା କରିବାକୁ ପଡିବ। ଏହି କାରଣରୁ ଉପନିବେଶବାଦୀ ଆମେରିକୀୟ ପ୍ୟୁରିଟାନ୍ ମାନେ ଆମେରିକାର କେତେକ କଲୋନି ଯଥା ପିନସିଲଭାନିଆ ଆଉ ଭର୍ଜିନିଆ ରେ ଗାଧୋଇବାକୁ ପୁରାପୁରି ଅନୈତିକ କାର୍ଯ୍ୟ ବୋଲି ଘୋଷଣା କରିବା ସହିତ ଏହାକୁ ନିଷିଦ୍ଧ ଘୋଷଣା କରିଥିଲେ । ଏ ସଂକ୍ରାନ୍ତ କିନ୍ତୁ ସବୁଠୁ କଠୋର ଥିଲା ଫିଲାଡେଲଫିଆ । ପ୍ରାଚୀନ ଫିଲାଡେଲଫିଆରେ ଗାଧୋଇବା ଅଭିଯୋଗ ଆସିଲେ ଜଣକୁ କିଛିଦିନର ଜେଲଦଣ୍ଡର ବିଧାନ ରହିଥିଲା। ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ପର୍ଯ୍ୟବେକ୍ଷକ ଦଳ ରହୁଥିଲେ ଆଉ ସେମାନେ ଘରକୁ ଘର ବୁଲି ଦେଖୁଥିଲେ ଯେମିତି ଗାଧୋଇବା କାମ କରି କେହି ଯେମିତି ପ୍ରଚଳିତ ଆଇନର ଅମାନ୍ୟ କରିନାହାଁନ୍ତି ।

ଇଉରୋପରେ କିନ୍ତୁ ଗାଧୋଇବାକୁ ନିଷିଦ୍ଧ କରିବା ଭଳି ସେମିତି କୌଣସି ନିର୍ଦ୍ଦିଷ୍ଟ ଆଇନ ନଥିଲା । ଗାଧୋଇବା ପାଇଁ ସର୍ବସାଧାରଣଙ୍କ ନିକଟରେ ସେମିତି କୌଣସି ପରିଷ୍କାର ପାଣି ରହୁ ନଥିଲା । ସର୍ବସାଧାରଣଙ୍କ ପାଇଁ ସେମିତି କୌଣସି ଜଳ ସରବରାହ ନଥିଲା, ସେଠିକାର ହ୍ରଦ ଆଉ ନଦୀମାନେ ଭୟଙ୍କର ଭାବରେ ପ୍ରଦୁଷିତ ଥିଲେ ଏବଂ ତାହା ସହିତ ଇଉରୋପର ଥଣ୍ଡା ବି ଗାଧୋଇବା କାମକୁ ଅସହଜ କରୁଥିଲା । ସାବୁନ ସେତେବେଳେ ଅତ୍ୟନ୍ତ ଦୁର୍ମୁଲ୍ୟ ଥିଲା। ଏହା କେବଳ ବିତ୍ତବାନମାନଙ୍କର ବ୍ୟବହାର ଯୋଗ୍ୟ ପଦାର୍ଥ ଥିଲା ।

ମୋଟାମୋଟି ଭାବରେ କହିଲେ ଊନବିଂଶ ଶତାବ୍ଦୀ ବେଳକୁ ଇଉରୋପ ଆଉ ଆମେରିକାର ସର୍ବସାଧାରଣ ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିରୁ ମଇଳାରେ ଏକପ୍ରକାର ବୁଡିରହିଥିଲେ। ସେମାନେ ସେତେବେଳେ ମନେ କରୁଥିଲେ ଯେ, ନଗାଧୋଇବା ଫଳରେ ତାଙ୍କର ଦେହରେ ଯେଉଁ ମଇଳାର ପରସ୍ତ ବସିଯାଇଛି ତାହା ସେମାନଙ୍କର ଏକ ପ୍ରକାର ସୁରକ୍ଷା କବଚ। ତାହା ସେମାନଙ୍କୁ ସମସ୍ତ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ।

 

 

Leave A Reply

Your email address will not be published.