ସୃଷ୍ଟିର ନିୟମ ଅନୁସାରେ ସବୁ ଗଛ ସୂର୍ଯ୍ୟ ଆଲୋକ ଆସୁଥିବା ଦିଗକୁ ବଢିଥାନ୍ତି । ଅର୍ଥାତ୍ ସବୁ ଗଛ ଉପରକୁ ଉପରକୁ ଆକାଶ ଆଡ଼କୁ ବଢ଼ିଚାଲେ । ଏହି ବଢିବା ପ୍ରକ୍ରିୟା ସମୟରେ ଗଛର ଚେର ଭୂମିକୁ ଜାବୁଡି ଧରିଥାଏ । ଭୂମି ତଥା ସୂର୍ଯ୍ୟକିରଣର ବ୍ୟବହାର କରି ଗଛ ଉପର ଆଡ଼କୁ ବଢେ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ରୋମରେ ଏଭଳି ଏକ ଗଛ ଅଛି, ଯାହାର ବିକାଶ ପ୍ରକ୍ରିୟା ତଳଆଡ଼କୁ ଯାଇଛି । ଅର୍ଥାତ୍ ଏହି ଅଜବ ଗଛର ବିକାଶ ପ୍ରକ୍ରିୟା , ଉପରରୁ ତଳ ଆଡକୁ ବଢିଛି । ଆମ ସମସ୍ତଙ୍କ ମନରେ ଧାରଣା ଆସୁଥିବ ଏହା ସୃଷ୍ଟିର ନିୟମର ପରିପନ୍ଥି କି ? ଏହା କେମିତି ସମ୍ଭବ ହେଲା ? ଏହି ଗଛର ଚର୍ଚ୍ଚା କାରଣରୁ ଓଲଟା କୁହାଯାଉଥିବା ଏହି ଅଜବ ଗଛକୁ ଏବେ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।
ଇଟାଲୀ ବକୋଲୀ ସହର ନିକଟରେ ଅଛି ପ୍ରାଚୀନ ସହର ବାଇଏ । ଏଠାରେ ଅଛି ଏକ ପୁରାତନ ରୋମନ ଆର୍କୱେ ବା ଗୁମ୍ଫା ରାସ୍ତା, ଯେଉଁଠି ଏହି ଓଲଟା ଗଛ ଦେଖିବାକୁ ମିଳେ । ଉକ୍ତ ଗଛଟି ଏକ ଡିମିରି ଗଛ ବା ଫିଗ୍ ପ୍ରଜାତିର । ଏହି ଗଛଟି ଆର୍କୱେର ଛାତରେ ହୋଇଛି । ଆଉ ତାହା ତଳ ଆଡକୁ ଝୁଲି ରହିଛି । ତେବେ ଏହି ଗଛଟି କିଭଳି ଛାତ ଉପରେ ହେଲା ଓ ତାହା କେବେଠୁ ଉଠିଛି ତାହା କେହି ଜାଣି ନାହାନ୍ତି । ସମୟକ୍ରମେ ଏହା ଅଧିକ ମଜଭୁତ ହୋଇଗଲାଣି ଓ ସେଥିରେ ଫଳ ବି ଧରିଲାଣି । ତେବେ ଏହି ଗଛ କିଭଳି ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଦିଗରେ ବଢୁଛି ତାହା ଉଦ୍ଭିଦ ବିଜ୍ଞାନୀଙ୍କୁ ବି ଆଶ୍ଚର୍ଯ୍ୟ କରି ଦେଇଛି ।
Comments are closed.