Latest Odisha News

BREAKING NEWS

ଦେଶର ୫ ଉତ୍ତପ୍ତ ସହର ମଧ୍ୟରେ ଭୁବନେଶ୍ୱର, ଫେବ୍ରୁଆରୀରେ ୩୮ ଛୁଇଁଲା ପାରଦ

ଭୁବନେଶ୍ୱର: ପଶ୍ଚିମାଝଡ଼ର କମ୍ ପ୍ରଭାବ ଯୋଗୁ ଚଳିତ ବର୍ଷ ଫେବ୍ରୁଆରୀରେ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳିଛି । ଆଜି ରାଜଧାନୀ ଭୁବନେଶ୍ୱରର ପାରଦ ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏଥିସହ ଭୁବନେଶ୍ୱର ଦେଶର ୫ ଉତ୍ତପ୍ତ ସହର ମଧ୍ୟରେ ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଦେଶର ସର୍ବାଧିକ ୧୦ ଉତ୍ତପ୍ତ ସହର ମଧ୍ୟରେ ଭୁବନେଶ୍ୱର ପଞ୍ଚମ ସ୍ଥାନରେ ରହିଛି । ଦିନ ୧୧ଟାରୁ ପ୍ରବଳ ଖରା ହୋଇଥିବା ବେଳେ ଘରୁ ବାହାରିଲେ ଦେହ ହାତ ପୋଡ଼ି ଯାଉଥିଲା । ଫେବୃଆରୀ ମାସରେ ରାଜଧାନୀ ଭୁବନେଶ୍ୱରର ସର୍ବକାଳୀନ ରେକର୍ଡ ତାପମାତ୍ରା ହେଉଛି ୪୨.୭ ଡ଼ିଗ୍ରୀ । ଯାହାକି ୨୩ ଫେବ୍ରୁଆରୀ ୧୯୬୩ ରେକର୍ଡ କରାଯାଇଥିଲା ।

ପାଣିପାଗ ବିଜ୍ଞାନୀଙ୍କ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଭୁବନେଶ୍ୱରରେ ୨୦୧୬ ଫେବ୍ରୁଆରୀ ୨୧ରେ ସର୍ବୋଚ୍ଚ ତାପମାତ୍ରା ୪୦.୯ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୦୧୭ ଫେବ୍ରୁଆରୀ ୧୨ରେ  ୩୭ ଡ଼ିଗ୍ରୀ, ୨୦୧୮ ଫେବ୍ରୁଆରୀ ୩ରେ ୩୮.୨ ଡିଗ୍ରୀ, ୨୦୧୯ ଫେବ୍ରୁଆରୀ ୨୩ରେ ୩୯.୪ ଡିଗ୍ରୀ ରେକର୍ଡ ହୋଇଥିଲା ତାପମାତ୍ରା ।

୨୦୨୦ ଫେବ୍ରୁଆରୀ ୧୯ରେ ସର୍ବୋଚ୍ଚ ତାପମାତ୍ରା ୩୩.୮ ଡ଼ିଗ୍ରୀ, ୨୦୨୧ ଫେବ୍ରୁଆରୀ ୨୭ରେ ୪୦.୬ ଡିଗ୍ରୀ ଏବଂ ୨୦୨୨ ଫେବ୍ରୁଆରୀ ୨୮ରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଏ ବର୍ଷ ଫେବ୍ରୁଆରୀ ବେଶ୍ ତତଲା ରହିବ ବୋଲି ଆକଳନ କରାଯାଉଛି ।

ଫେବ୍ରୁଆରୀ ଗରମ କାହିଁକି ?

ଉତ୍ତର ସହ ପଶ୍ଚିମ ଭାରତରେ ଏବେ ତାପମାତ୍ରା ବଢ଼ୁଛି । ସାଧାରଣତଃ ଫେବ୍ରୁଆରୀ ମାସରେ ଶକ୍ତିଶାଳୀ ପଶ୍ଚିମା ଝଡ଼ ଦେଖିବାକୁ ମିଳିଥାଏ । ଯାହା ଫଳରେ ବର୍ଷା ହେବା ଦ୍ୱାରା ତାପମାତ୍ରା ଅଧିକ ବୃଦ୍ଧି ପାଇ ନଥାଏ । କିନ୍ତୁ ଚଳିତ ବର୍ଷ ଶକ୍ତିଶାଳୀ ପଶ୍ଚିମା ଝଡ଼ ପରିବର୍ତ୍ତେ ଦୁର୍ବଳ ପଶ୍ଚିମା ଝଡ଼ ସକ୍ରିୟ ଯୋଗୁ ତାପମାତ୍ରା ବୃଦ୍ଧି ପାଉଛି ।

Leave A Reply

Your email address will not be published.