ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଟିମ ଧିରେ ଧିରେ ଟାଇଟଲ ହାସଲ ଦିଗରେ ଅଗ୍ରସର ହେଉଛି । ଆଉ ୨ଟି ବାଧା ଅତିକ୍ରମ କଲେ ଟିମ ଇଣ୍ଡିଆ ହେବ ଚାମ୍ପିୟନ । ଏହି ଧାରାରେ ଗୁରୁବାର ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ୫ ବର୍ଷ ଧରି ଭାରତୀୟ ଟିମ ଭଲ ପ୍ରଦର୍ଶନ କରି ଆସୁଥିଲେ ମଧ୍ୟ ବଡ ଟୁର୍ଣ୍ଣାମେଂଟର ଟାଇଟଲ ହାସଲ କରିପାରି ନାହିଁ । ଗତ ସଂସ୍କରଣରେ ଫାଇନାଲରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ସେହିପରି ବର୍ମିଂହାମରେ ମଧ୍ୟ ଅଷ୍ଟ୍ରେଲିଆ ଭାରତକୁ ମାତ ଦେଇଥିଲା । ନକଆଉଟ ଚାପ ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ କିପରି ଟିମ ଇଣ୍ଡିଆ ହରାଉଛି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।
ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ୪ଟିରୁ ୩ଟି ମୁକାବିଲାରେ ବିଜୟୀ ହୋଇ ଭଲ ଫର୍ମରେ ରହିଛି । ତେବେ ସବୁ ମୁକାବିଲାରେ ଭାରତକୁ କିଛି ମାତ୍ରାରେ ସଂଘର୍ଷ କରିବାକୁ ପଡିଛି । ଜଣେ, ଦୁଇଜଣ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ବିଜୟ ହାସଲ କରି ଚାଲିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଜିତିବାକୁ ହେଲେ ଦଳଗତ ପ୍ରଦର୍ଶନ ସହ ଏବେ ନୁହେଁ ତ କେବେ ନୁହେଁ ନୀତି ଆପଣାଇବାକୁ ପଡିବ । ସ୍ମୃତି ମାନ୍ଧାନା ପୁନର୍ବାର ଭାରତ ପାଇଁ ଟ୍ରମ୍ପ କାର୍ଡ ସାଜି ପାରନ୍ତି । ଅପରପକ୍ଷରେ ଅଷ୍ଟ୍ରେଲିଆ ଅପରାଜେୟ ରହିଛି । ମେଗା ଲେନିଂଙ୍କ ନେତୃତ୍ୱରେ ଚଳିତ ଟି୨୦ ବିଶ୍ୱକପକୁ ମିଶାଇ ଦଳ କ୍ରମାଗତ ୨୨ଟି ମ୍ୟାଚ ଜିତିଛି ।
Comments are closed.