Latest Odisha News

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ୪୦ ତମ ରାଜ୍ୟ ଚାରୁକଳା ପ୍ରଦର୍ଶନୀ ରାଜ୍ୟ ସଂଗ୍ରହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି।ଏହି ଅବସରରେ କଳାକୃତିଗୁଡିକର ଏକ ରଙ୍ଗୀନ କ୍ୟାଟଲଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ପ୍ରଦର୍ଶନୀରେ ୪୦ ତମ ରାଜ୍ୟ ପୁରସ୍କାରରେ ପୁରସ୍କୃତ କଳାକୃତି ଗୁଡିକ ପ୍ରଦର୍ଶିତ ହେବା ସହ ଚିତ୍ରକଳାରେ ୧୦୧ ଟି, ଭାସ୍କର୍ଯ୍ୟ କଳାରେ ୩୦ ଟି, ମୁଦ୍ରଣ କଳାରେ ୧୮ ଟି ଓ ପାରମ୍ପରିକ କଳାରେ ୧୫ ଟି ଚିତ୍ର ପ୍ରଦର୍ଶିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋଇ ମୁଖ୍ୟ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ ସମ୍ମାନିତ ଅତିଥି ଓ ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ପ୍ରମୁଖ ଯୋଗଦେଇ ଶିଳ୍ପୀମାନଙ୍କ କଳାକୃତି ବୁଲି ଦେଖିବା ସହ ସାମ୍ପ୍ରତିକ କଳାକୃତିଗୁଡିକ ସମୟପୋଯୋଗୀ ହୋଇଥିବା ପ୍ରକାଶ କରିଥିଲେ ।

ଏକାଡେମୀର ସଚିବ ପଞ୍ଚାନନ ସାମଲ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପ୍ରଦର୍ଶନୀ ଆଗାମୀ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

 

 

 

Comments are closed.