ବରଗଡ: ବରଗଡ଼ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବବ୍ୟହାର ଅଭିଯୋଗ । ଖୋଦ୍ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ବା ସିଡିଏମଓ ଏଭଳି ଅଭିଯୋଗ ଆଣିଛନ୍ତି । ସିଡିଏମଓ ଡାକ୍ତର ଚାରୁବାଳା ରଥ ଶୁକ୍ରବାର ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହିତ ତାଙ୍କର ବଦଳି ଦାବି କରିଛନ୍ତି।
ଡାକ୍ତର ଚାରୁବାଳା ରଥ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କ ନିକଟରେ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବବ୍ୟହାର ଅଭିଯୋଗ ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଏକ ଟେଣ୍ଡରକୁ ନେଇ ଜିଲ୍ଲାପାଳ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି ବୋଲି ଡାକ୍ତର ରଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳ ବିଭିନ୍ନ ପ୍ରସଙ୍ଗରେ କିଛି ନବୁଝି ଅନେକ ଥର ତାଙ୍କୁ ଅସଦାଚରଣ କରିଛନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରବନ୍ଧରେ କାର୍ଯ୍ୟକ୍ରମ ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିବାଦ ହେବା ପୂର୍ବରୁ ସେ ଭଲ ଭାବରେ ଏହି ଘଟଣାକୁ ମ୍ୟାନେଜ କରିବାରେ ସଫଳ ହୋଇଥିଲେ । ହେଲେ ଏଥିପାଇଁ ଜିଲ୍ଲାପାଳ କେବେ ପ୍ରଶଂସା ମଧ୍ୟ କରିନଥିବା ଉଲ୍ଲେଖ କରିଛନ୍ତି।
ଡାକ୍ତର ରଥୀ କହିଛନ୍ତି, ଜିଲ୍ଲାପାଳଙ୍କ ଅସଭ୍ୟ ଆଚରଣ ଯୋଗୁଁ ସେ ମାନସିକ ଭାବରେ ଆହତ ହୋଇଛନ୍ତି। ଜିଲ୍ଲାପାଳଙ୍କର କଥାବାର୍ତ୍ତା ମାନସିକ ନିର୍ଯାତନା ଦେଲା ଭଳି ରହିଛି । ତେଣୁ ତାଙ୍କର ବଦଳି କରାଯାଉ ବୋଲି ସିଡିଏମଓ କହିଛନ୍ତି।
ସେପଟେ ସିଡିଏମ୍ଓଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି, ସେ ଚିଠି ପଢି ନାହାନ୍ତି। ଚିଠିଟି ତାଙ୍କ ପାଖକୁ ଆସିନାହିଁ । ସମସ୍ତଙ୍କର କହିବାର ଅଧିକାର ରହିଛି । ସେ ତାଙ୍କ କଥା କହିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।
Comments are closed.