ନୂଆଦିଲ୍ଲୀ: ଉଦ୍ଧବ ସରକାର ବେଳେ ଏକ ସୋଶିଆଲ ମିଡିଆ ପୋଷ୍ଟକୁ ନେଇ ଜଣେ ବ୍ୟକ୍ତିଙ୍କୁ ଏନସିପି ବିଧାୟକଙ୍କ ବଙ୍ଗଳାରେ ମାରପିଟ କରିବା ଘଟଣାରେ ସୁପ୍ରିମକୋର୍ଟ ଶୁଣାଣି କରିବା ବେଳେ କହିଛନ୍ତି, ନିରପେକ୍ଷ ତଦନ୍ତ ଓ ବିଚାର ପାଇଁ ପୀଡ଼ିତାଙ୍କର ମୌଳିକ ଅଧିକାର ରହିଛି। ତେଣୁ ଏହି ଘଟଣାରେ ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ର ପୋଲିସକୁ ଅଧିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେତେବେଳେ ମନ୍ତ୍ରୀ ଥିଲେ ଏନସିପିର ବିଧାୟକ ଜିତେନ୍ଦ୍ର ଆହାଦ। ଏହି ମାରପିଟ ଘଟଣା ୨୦୨୦ ମସିହା ଏପ୍ରିଲ ୫ ତାରିଖ ରାତିରେ ହୋଇଥିଲା। ଅଭିଯୋଗ ଅନୁଯାୟୀ କିଛି ପୋଲିସ କର୍ମଚାରୀ ତାଙ୍କୁ ଅପହରଣ କରିନେଇଥିଲେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀଙ୍କ ବଙ୍ଗଳାକୁ ।
ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାରେ ସିବିଆଇ ଯାଞ୍ଚ ଦାବିକୁ ଖାରଜ କରିଛନ୍ତି। ଏବଂ ବମ୍ବେ ହାଇକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ଦାବିକୁ ଯେଉଁ କାରଣ ପାଇଁ ଖାରଜ କରିଛନ୍ତି ତାକୁ ସୁପ୍ରିମକୋର୍ଟ ସଠିକ ବୋଲି ଦର୍ଶାଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ସର୍ବୋଚ୍ଚ ଅଦାଲତ କର୍ତ୍ତୃପକ୍ଷଙ୍କୁ ଅଧିକ ଅନୁସନ୍ଧାନ କରି ଯଥାଶୀଘ୍ର ତିନିମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।
ଅଭିଯୋଗ ଅନୁଯାୟୀ, ୪୦ ବର୍ଷୀୟ ସିଭିଲ୍ ଇଞ୍ଜିନିୟର ଅନନ୍ତ କରାମୁସେଙ୍କ ଘରକୁ ପୋଲିସ ଆସି ଥାନାକୁ ଯିବାକୁ କହିଥିଲେ କିନ୍ତୁ ତାଙ୍କୁ ପୋଲିସ ଷ୍ଟେସନକୁ ନେବା ପରିବର୍ତ୍ତେ ତାଙ୍କୁ ତତ୍କାଳୀନ ମନ୍ତ୍ରୀଙ୍କ ବଙ୍ଗଳାକୁ ବଳପୂର୍ବକ ନିଆଯାଇଥିଲା। ଆଉ ମୁମ୍ବାଇର କିଛି ପୋଲିସ ଏହି ଘଟଣାରେ ସାମିଲ ଥିଲେ। ତାଙ୍କର ଭୁଲ ଏହା ଥିଲା ଯେ ସେ ତତ୍କାଳୀନ ମନ୍ତ୍ରୀଙ୍କର ଏକ କାର୍ଟୁନ ଫଟୋକୁ ଫେସବୁକରେ ପୋଷ୍ଟ କରି କଟାକ୍ଷ କରିଥିଲେ।
Comments are closed.