Latest Odisha News

ଭାଷା ଭାଗବତ : ଅପୂରଣୀୟ କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଆଚାର, ବିଚାର, ସଂଚାର
ନ କରି, ବିକାର ପ୍ରଚାର
ସ୍ବେଚ୍ଛାଚାରୀର ସ୍ବାଧିକାର
କରେନି କାହା ଉପକାର

ଦେଖାଇ ନିଜ ମୁଖଛବି
କେହି ତ ହୁଏନି ପ୍ରଭାବୀ
ନିଜର ଅନର୍ଗଳ ବାଣୀ
ଶୁଣାଇ ହୁଏନାହିଁ ଜ୍ଞାନୀ

ଅନେକ ଜ୍ଞାନାଶ୍ରୟୀ ଜନ
ରଖଂତି ସ୍ବନାମ ଗୋପନ
କର୍ମର ଫଳାଫଳ ଦେଖି
ହୁଅଂତି ଦୁଃଖୀ ଅବା ସୁଖୀ

ମୁଖରୁ ଶବ୍ଦ ବହିର୍ଗତ
ହେବା ପୂର୍ବରୁ ମନ, ଚିତ୍ତ
ରଖେ ଯେ ସ୍ଥିର ଓ ସଂଯତ
ସେ କରିଥାଏ ଭାଷାହିତ

ପ୍ରତିକ୍ରିୟା-ସଂଭୂତ ବାଣୀ
ପୂର୍ବକଥିତ ମତ ହାଣି
କରିଲେ ଆହତ, ବିକ୍ଷତ
ଭାଷାଟେ ହୁଏନି ଉନ୍ନତ

ବିବାଦପ୍ରିୟ ବ୍ୟକ୍ତିଗଣ
କରଂତି ଯେଉଁ ବାକ୍ୟରଣ
ତାହା କେବେ ହୁଏନି ଶେଷ
ଘଟେ ଭାଷାର ସତ୍ତାନାଶ

କଳହପରାୟଣ ବ୍ୟକ୍ତି
ସାରିଦେଲେ ହେଁ ସବୁ ଶକ୍ତି
ଦୁଶ୍ଚିଂତାଠାରୁ କେବେ ମୁକ୍ତି
ସହଜେ ପାଇ ନ ପାରଂତି

ମଥାକୁ କଲେ ରଣକ୍ଷେତ୍ର
ଫିଟେନି କାହା ଜ୍ଞାନନେତ୍ର
ଅଳ୍ପଜ୍ଞାନୀର ଭାଷାପ୍ରୀତି
କରେ ଅପୂରଣୀୟ କ୍ଷତି

ବିବାଦଠାରୁ ରହି ଦୂରେ
ଯିଏ ନିଜର କାମ କରେ
ତା’ର ଛୋଟିଆ ଅବଦାନ
ବଢ଼ାଏ ଭାଷାର ସମ୍ମାନ

 

Comments are closed.