ରାଉରକେଲା : ଆଜି ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଓ୍ବାର୍ଲ୍ଡ କପ ଭିଲେଜରେ ରାତ୍ରୀ ଯାପନ କରିବେ । ଏଥିନେଇ ରାଉରକେଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମଧ୍ୟ ରାଉରକେଲା ବାସୀ ଉତ୍କଣ୍ଠିତ ।
ଆଜି ଅପରାହ୍ନ ୫ଟା ୨୦ ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧା ନବନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଯିବେ । ସେଠାରେ ଷ୍ଟାଡିୟମର ଉଦଘାଟନ କରିବେ । ୧୦ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ଓ ସୁଇମିଂ ପୁଲ କମ୍ପ୍ଲେକ୍ସ ଓ ୧୮୦ଟି କାର ପାର୍କିଂ ବିଶିଷ୍ଟ ମଲଟି ଲେବୁଲ କାର ପାର୍କିଂର ଲୋକାର୍ପଣ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ୬୦୦ରୁ ଅଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ୯୦୦କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ୬୦୦ ପ୍ରକଳ୍ପକୁ ଆଜି ଜିଲ୍ଲାବାସୀଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଏଥିସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହକି ତାଲିମ କେନ୍ଦ୍ର ଲୋକାର୍ପଣ କରିବେ ।
ଏହା ପରେ ମୁଖ୍ୟମନ୍ତ୍ରୀ ୫ଟା ୫୦ ମିନିଟରେ ଓ୍ବାର୍ଲଡ କପ ଭିଲେଜ ଆସିବେ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହେବାକୁ ଥିବା FIH ହକି ପ୍ରୋ ଲିଗ ଉଦଘାଟନୀ ଉତ୍ସବରେ ଯୋଗଦେବେ । ଏହା ସହ ଏଚଆଇ ଅଫିସିଆଲ୍ସଙ୍କୁ ସମ୍ମାନିତ କରିବେ । ଏହି ଅବସରରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଗିନିଜ ବୁକ ରେକର୍ଡ ଗ୍ରହଣ କରିବେ ନବୀନ ।
ପରେ ଓ୍ବାର୍ଲ୍ଡ କପ ଭିଲେଜରେ ରାତ୍ରୀ ଯାପନ କରିବେ ମୁଖ୍ୟମନ୍ତ୍ରୀ । ଶନିବାର ସକାଳ ୧୦ଟା ୪୦ ମିନିଟରେ ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ।
Comments are closed.